କୋଟା, କ୍ୟାରିୟର ଓ ଆମ ସମାଜ

ଅଭିଜିତ୍‌ ଜୟପ୍ରକାଶ ପ୍ରଧାନ ରାଜସ୍ଥାନର କୋଟା ସହର ମେଡିକାଲ ତଥା ଜେ.ଇ.ଇ. ପରି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ପାଇଁ ଏକ ପରିଚିତ ନାମ। ତେବେ ହଠାତ୍‌ ଏହି ସହର ସରକାରଙ୍କ ନିଦ ହଜାଇଦେଇଛି। କାରଣ ହେଉଛି, ଏହି ସହରରେ ଆତ୍ମହତ୍ୟା କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା। ଏକଦା ଅଶୀ ଦଶକରେ ରାଜସ୍ଥାନର ଅନ୍ୟତମ ଶିଳ୍ପନଗରୀ ଥିବା କୋଟା, କଟନ ଶାଢ଼ି ଓ ଚୂନପଥର ପାଇଁ ପ୍ରସିଦ୍ଧ ଥିଲା। କିନ୍ତୁ ନବେଦଶକ ପରେ ନୂଆ […] The post କୋଟା, କ୍ୟାରିୟର ଓ ଆମ ସମାଜ appeared first on Dharitri Odia News.

କୋଟା, କ୍ୟାରିୟର ଓ ଆମ ସମାଜ

ଅଭିଜିତ୍‌ ଜୟପ୍ରକାଶ ପ୍ରଧାନ

ରାଜସ୍ଥାନର କୋଟା ସହର ମେଡିକାଲ ତଥା ଜେ.ଇ.ଇ. ପରି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ପାଇଁ ଏକ ପରିଚିତ ନାମ। ତେବେ ହଠାତ୍‌ ଏହି ସହର ସରକାରଙ୍କ ନିଦ ହଜାଇଦେଇଛି। କାରଣ ହେଉଛି, ଏହି ସହରରେ ଆତ୍ମହତ୍ୟା କରୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା। ଏକଦା ଅଶୀ ଦଶକରେ ରାଜସ୍ଥାନର ଅନ୍ୟତମ ଶିଳ୍ପନଗରୀ ଥିବା କୋଟା, କଟନ ଶାଢ଼ି ଓ ଚୂନପଥର ପାଇଁ ପ୍ରସିଦ୍ଧ ଥିଲା। କିନ୍ତୁ ନବେଦଶକ ପରେ ନୂଆ ନୂଆ କୋଚିଂ ଅନୁଷ୍ଠାନମାନ ଖୋଲିବା ପରେ ଏହାର ପରିଚୟ ବଦଳିଲା। ଦେଶର କୋଣ ଅନୁକୋଣରୁ ଛାତ୍ରୀଛାତ୍ର ମେଡିକାଲ ଓ ଆଇ.ଆଇ.ଟି. ପରି ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଲାଗି ଏଠାକୁ ଆସିବାକୁ ଲାଗିଲେ। ତେବେ କୋଟା ସହରରେ ଛାତ୍ରୀଛାତ୍ରମାନଙ୍କର ଆତ୍ମହତ୍ୟା ଘଟଣା ନୂଆ ନୁହେଁ। ରାଜସ୍ଥାନ ବିଧାନସଭାରେ ରଖାଯାଇଥିବା ଉତ୍ତର ଅନୁଯାୟୀ ବିଗତ ଦଶବର୍ଷରେ ଏହି ଆତ୍ମହତ୍ୟା କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୫୦ରୁ ଅଧିକ ହେବ। ରାଜସ୍ଥାନ ସରକାର ଏହି ଘଟଣାକୁ ଏବେ ଗୁରୁତ୍ୱର ସହ ନେବା ସହିତ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତ ପରି ୧୪୦କୋଟି ଜନସଂଖ୍ୟାବିଶିଷ୍ଟ ରାଷ୍ଟ୍ରରେ ଗୋଟିଏ ସହରରେ ଆଠ ମାସରେ ବାଇଶଟି ଆତ୍ମହତ୍ୟା ହୁଏତ ସଂଖ୍ୟା ଦୃଷ୍ଟିରୁ ବେଶି ହୋଇ ନ ପାରେ, କିନ୍ତୁ ଏହି ସମସ୍ତ ଆତ୍ମହତ୍ୟା ଯଦି ଗୋଟିଏ ନିର୍ଦ୍ଦିଷ୍ଟ ବୟସ ଗୋଷ୍ଠୀର ଏବଂ ନିର୍ଦ୍ଦିଷ୍ଟ କାରଣ ପାଇଁ ହେଉଥାଏ, ତାହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ।
କୋଟା ସହରରେ ପ୍ରାୟ ଦୁଇଶହରୁ ଅଧିକ କୋଚିଂ ଅନୁଷ୍ଠାନ ରହିଛି, ଯେଉଁଗୁଡ଼ିକ ବିଭିନ୍ନ ସର୍ବଭାରତୀୟ ପରୀକ୍ଷା ପାଇଁ ପିଲାମାନଙ୍କୁ କୋଚିଂ ଦିଅନ୍ତି। ପ୍ରାୟ ଦୁଇରୁ ତିନି ଲକ୍ଷ ପିଲା ପ୍ରତିବର୍ଷ ଭାରତର ବିଭିନ୍ନ ପ୍ରାନ୍ତରୁ ଏଠାକୁ କୋଚିଂ ନେବା ପାଇଁ ଆସିଥାନ୍ତି। ବଢ଼ୁଥିବା ଆତ୍ମହତ୍ୟା ପଛରେ ମାନସିକ ଅବସାଦ ବା ଚାପ ତ ନିଶ୍ଚିତ ରହିଛି, ତେବେ ସେସବୁର କାରଣ ଯଦି ଆମେ ଖୋଜିବାକୁ ଯିବା ପ୍ରଥମେ ଆସିବ ସେଠାରେ ଥିବା ଘରୋଇ କୋଚିଂ ଅନୁଷ୍ଠାନଗୁଡ଼ିକ। ଆଡ୍‌ମିଶନ ହେବା ମାତ୍ରେ ଏକ ତୀବ୍ର ପ୍ରତିଯୋଗିତା ମୂଳକ ପରିବେଶ ମଧ୍ୟକୁ ଠେଲି ଦିଆଯାଏ ପିଲାଙ୍କୁ। ଡେଲି ଟେଷ୍ଟ, ସାପ୍ତାହିକ ଟେଷ୍ଟ, ଅର୍ଦ୍ଧମାସିକ ତଥା ମାସିକ ଟେଷ୍ଟ ଆଦିଗୁଡ଼ିକ ମଧ୍ୟରେ ରୁନ୍ଧି ହୋଇଯାଏ ପିଲାଟି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସର୍ଭେର ରିପୋର୍ଟ ଅନୁଯାୟୀ କୋଟା ସହରରେ ସମୁଦାୟ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଅନୁପାତ ହେଉଛି ୧:୧୨୫। ପ୍ରତି କ୍ଲାସ୍‌ରୁମ୍‌ରେ ଶହେରୁ ଅଧିକ ପିଲା, ତେଣୁ ସବୁ ପିଲାଙ୍କ ପାଇଁ ଶିକ୍ଷକମାନଙ୍କର ବ୍ୟକ୍ତିଗତ ନିରୀକ୍ଷଣ ସମ୍ଭବପର ହୋଇପାରେ ନାହିଁ। ଏକ ଛୋଟ ସହରରୁ ଯାଇଥିବା ତଥା ସାଧାରଣ ମେଧାସମ୍ପନ୍ନ ପିଲାଟିଏ ଏପରି ଗୋଟିଏ ପରିବେଶରେ ସବୁବେଳେ ନିଜକୁ ଖାପ ଖୁଆଇ ପାରେନାହିଁ। ବାରମ୍ବାର ଟେଷ୍ଟରେ ର଼୍ୟାଙ୍କ୍‌ କମ୍‌ ଆସିବା ହେତୁ ଉଭୟ ଘରୁ ଓ କୋଚିଂ ଅନୁଷ୍ଠାନରୁ ଚାପର ଶିକାର ହୁଏ ପିଲାଟି। ପୁଣି ବର୍ତ୍ତମାନ ସମୟରେ କୋଟାରେ କେତେଗୁଡ଼ିଏ କୋଚିଂ ସେଣ୍ଟରର ବାର୍ଷିକ ଫି ଚାରିରୁ ପାଞ୍ଚ ଲକ୍ଷ ଟଙ୍କା। ବାରମ୍ବାର ର଼୍ୟାଙ୍କ୍‌ କମ୍‌ ଆସିବା ହେତୁ, ଗୋଟିଏ ସାଧାରଣ ମଧ୍ୟବିତ୍ତ ପରିବାରରୁ ଏତେଗୁଡ଼ିଏ ଟଙ୍କା ଖର୍ଚ୍ଚ କରି ପଢ଼ିବାକୁ ଆସିଥିବା ପିଲାଟି ପ୍ରଦର୍ଶନଜନିତ ଚାପର ଶିକାର ହୁଏ। ଆଉ ଏହି ସବୁ ଚାପ ମଧ୍ୟରେ ନିଜର ପରିବାର ତଥା ଆତ୍ମୀୟଙ୍କଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ପିଲାଟିର ମାନସିକ ଅବସ୍ଥା କେମିତି ରହୁଥିବ ତାହା ସହଜରେ ଅନୁମେୟ।
ଅନେକେ ହୁଏତ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଇ.ଆଇ.ଟି. ବା ମେଡିକାଲ ପାଇଁ ପାଠପଢ଼ା ଆଉ ୧୧ ଏବଂ ୧୨ ଶ୍ରେଣୀରେ ସୀମିତ ନାହିଁ। କୋଚିଂ ସେଣ୍ଟରଗୁଡ଼ିକ ଫାଉଣ୍ଡେଶନ୍‌ କୋର୍ସ ନାଁରେ ଷଷ୍ଠ, ସପ୍ତମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ମେଡିକାଲ ଅଥବା ଇଞ୍ଜିନିୟରିଂ ଉଇଙ୍ଗ୍‌ରେ ବିଭକ୍ତ କରି ତଦନୁଯାୟୀ ସେମାନଙ୍କୁ କୋଚିଂ ଦେଉଛନ୍ତି। ଥରେ ଭାବି ଦେଖିଲେ, ଦଶ/ବାର ବର୍ଷର ପିଲାଟିଏ, ଯାହାକୁ ଦୁନିଆ କିମ୍ବା କ୍ୟାରିଅର ବିଷୟରେ ସାମାନ୍ୟତମ ଜ୍ଞାନ ନ ଥିବ, ତାକୁ ହିଁ ଆମେ ପ୍ରତିଯୋଗିତାର ଅନ୍ଧକୂପ ଭିତରକୁ ଠେଲି ଦେଉଛନ୍ତି। ଅନେକେ ଜାଣି ନ ଥିବେ କୋଟା ସହର ଓ ତା’ର ଆଖପାଖରେ ଅନେକ ଗୁଡ଼ିଏ ସ୍କୁଲ ରହିଛି; ଯେଉଁଗୁଡ଼ିକ ରାଜସ୍ଥାନ ବୋର୍ଡ କିମ୍ବା ସି.ବି.ଏସ୍‌.ଇ. ସହିତ ଅନୁବନ୍ଧିତ। ସେହି ସବୁ ସ୍କୁଲଗୁଡ଼ିକରେ ଉପସ୍ଥାନର କୌଣସି ଧରାବନ୍ଧା ନିୟମ ନ ଥାଏ। କୋଟାର କୋଚିଂ ସେଣ୍ଟରଗୁଡ଼ିକ ସହିତ ସେମାନଙ୍କର ସଲାସୁତରା ଥାଏ, ଯାହାଫଳରେ ପିଲାମାନେ ସେହି ସ୍କୁଲ ସବୁରେ ନାମଲେଖାଇ କୋଟାରେ ରହି କେବଳ କୋଚିଂ ସେଣ୍ଟର ଗୁଡ଼ିକରେ ପାଠ ପଢ଼ିବେ। ସ୍କୁଲରେ ଉପସ୍ଥାନର କୌଣସି ଗୁରୁତ୍ୱ ନ ଥିବାରୁ ସେମାନେ କେବଳ ପରୀକ୍ଷା ସମୟରେ ହିଁ ସ୍କୁଲ ଆସିବେ। ଥରେ ଭାବନ୍ତୁ, ସ୍କୁଲ, ଯାହା କି ଗୋଟିଏ ପିଲାର ଶୈକ୍ଷିକ, ବୌଦ୍ଧିକ ତଥା ନୈତିକ ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଆମେ ଅଭିଭାବକ ହିସାବରେ ପିଲାଟିକୁ ସେସବୁରୁ ବଞ୍ଚିତ କରି ସେମାନଙ୍କୁ ଏମିତି ଏକ ରେସ୍‌ରେ ଦୌଡ଼ିବାକୁ ବାଧ୍ୟ କରୁଛନ୍ତି; ଯେଉଁ ରେସ୍‌ର ଗୁରୁତ୍ୱ ବୁଝିବାକୁ ସେ ପିଲାଟି ନିଜେ ମଧ୍ୟ ସକ୍ଷମ ହୋଇନାହିଁ।
ତେବେ କୋଚିଂ ସେଣ୍ଟର, ଅଭିଭାବକମାନଙ୍କ ଛଡ଼ା ଆଉ ଯେଉଁ ମୁଖ୍ୟ କାରଣଟି ଲୁଚି ରହିଛି ତାହା ହେଲା ଆମ ସମାଜ, ଯାହାର ଅଂଶ ଆମେ ନିଜେ ଓ ଆଜିକାଲିର ପରୀକ୍ଷାକୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା। ଛୋଟବେଳରୁ ପିଲାଟି ପାଠପଢ଼ାରେ ଭଲ ପ୍ରଦର୍ଶନ କଲେ ତା’ ମୁଣ୍ଡରେ ଭର୍ତ୍ତି କରିଦିଆଯାଉଛି ଯେ ଆଇ.ଆଇ.ଟି. କିମ୍ବା ମେଡିକାଲ କଲେଜରେ ସ୍ଥାନ ନ ମିଳିଲେ ସମାଜରେ ସମ୍ମାନ ମିଳିବ ନାହିଁ। କଳା, ଦର୍ଶନ ଶାସ୍ତ୍ର, ଆଇନ, ରାଜନୀତି ବିଜ୍ଞାନ, ଖେଳକୁଦ ଆଦି କୌଣସି ବିଷୟରେ ପିଲାର ଇଚ୍ଛା ଥାଇପାରେ, କିନ୍ତୁ ଆମେ ସେସବୁକୁ ଅଣଦେଖା କରିଦେଇ ମେଡିକାଲ କିମ୍ବା ଇଞ୍ଜିନିୟରିଂ ଉପରେ ହିଁ ଚାପ ଦେଉ। ଅବଶ୍ୟ ଏହା ପଛରେ ଗୋଟେ କାରଣ ରହିଛି। ସ୍ବାଧୀନତା ପରେ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା ଯେବେ ସେତେଟା ଉନ୍ନତ ନ ଥିଲା, ସେବେ ଡାକ୍ତରୀ ବୃତ୍ତିକୁ ଅତ୍ୟନ୍ତ ସମ୍ମାନଜନକ ତଥା ଲାଭଜନକ ବୃତ୍ତି ରୂପେ ବିବେଚନା କରାଯାଉଥିଲା। ସେହିପରି ଅଶୀ ଓ ନବେ ଦଶକ ଆଡ଼କୁ ଦ୍ରୁତ ଶିଳ୍ପାୟନ ଫଳରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା ଏବଂ ସେ ସମୟରେ ଦେଶରେ ଇଞ୍ଜିନିୟରିଂ କଲେଜ ସଂଖ୍ୟା ମଧ୍ୟ ବେଶି ନ ଥିଲା। ତେଣୁ ଡାକ୍ତରୀ ଓ ଇଞ୍ଜିନିୟରିଂ ବୃତ୍ତି ସମାଜରେ ଏକ ସ୍ବତନ୍ତ୍ର ସ୍ବୀକୃତି ପାଇଥିଲା ଓ ମେଧାବୀ ଛାତ୍ରୀଛାତ୍ରମାନେ ଏ ଦୁଇଟିରେ ନିଜ କ୍ୟାରିଅର ଗଢ଼ିବାକୁ ଆଗ୍ରହୀ ଥିଲେ। କିନ୍ତୁ ସମୟ ଏବେ ବଦଳିଛି, ଇଞ୍ଜିନିୟରିଂ ଓ ମେଡିକାଲ କଲେଜର ସଂଖ୍ୟା ମଧ୍ୟ ଯଥେଷ୍ଟ ଭାବରେ ବୃଦ୍ଧି ପାଇଛି। ଏକ ପରିସଂଖ୍ୟାନ ଅନୁଯାୟୀ ଆଗାମୀ ଦଶବର୍ଷ ଭିତରେ ଭାରତ ବିଶ୍ୱର ସର୍ବାଧିକ ଡାକ୍ତରୀ ଓ ଇଞ୍ଜିନିୟରିଂ ବୃତ୍ତିଧାରୀ ଲୋକଙ୍କର ଦେଶ ହେବ। ତେଣୁ ବର୍ତ୍ତମାନ ସମୟରେ ଏହି ମାନସିକତାରୁ ଆମ ସମସ୍ତଙ୍କୁ ବାହାରିବାକୁ ପଡ଼ିବ ଯେ, ଏହି ଦୁଇଟି ବୃତ୍ତି ବା ଏହି ପ୍ରକାର ପ୍ରତିଯୋଗିତାମୂଳକ ପରୀକ୍ଷାର ର଼୍ୟାଙ୍କ୍‌ ହିଁ ଗୋଟିଏ ପିଲାକୁ ମେଧାବୀର ସାର୍ଟିଫିକେଟ୍‌ ଦେବ।
ତେବେ କୋଟା ସହରର ସମସ୍ୟା ପ୍ରଶାସନିକ ଦୃଷ୍ଟିରୁ ରାଜସ୍ଥାନର ସମସ୍ୟା ହୋଇପାରେ କିନ୍ତୁ ପ୍ରକୃତରେ ଏହା ଆମ ସମସ୍ତଙ୍କର ସମସ୍ୟା। ଯଦି ଆମେ ଏଣ୍ଟ୍ରାନ୍ସ ପରୀକ୍ଷାର ଫଳାଫଳକୁ ବିଚାରକୁ ନେବା, ସଫଳତା ପାଉଥିବା ପିଲାମାନଙ୍କର ସଂଖ୍ୟା ସମୁଦାୟ ପରୀକ୍ଷା ଦେଉଥିବା ପିଲାମାନଙ୍କ ସଂଖ୍ୟାର ଏକ ପ୍ରତିଶତ। ବାକି ଅନେଶତ ପ୍ରତିଶତ ପିଲା ଯେଉଁମାନେ କି ଏତେ କୋମଳ ବୟସରୁ ସମାଜ ହେଉ କିମ୍ବା ପରିବାର ଚାପରେ ପଡ଼ି ଏ ରେସ୍‌ରେ ଦୌଡ଼ି ବିଫଳ ହୋଇଛନ୍ତି, ସେମାନଙ୍କ କଥା ଅନ୍ତତଃ ଥରୁଟିଏ ଭାବିବା।
ସହକାରୀ ଉପବିଭାଗ ଅଧିକାରୀ, ଲୋକସେବା ଭବନ ଓଡ଼ିଶା, ଭୁବନେଶ୍ୱର, ମୋ: ୮୯୧୭୩୭୨୯୭୯

The post କୋଟା, କ୍ୟାରିୟର ଓ ଆମ ସମାଜ appeared first on Dharitri Odia News.