କୋଟାରେ ପୁଣି ଝୁଲି ପଡ଼ିଲେ ଛାତ୍ର, ନିଟ୍‌ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ

ନିଟ୍‌ ପରୀକ୍ଷା ପାଖେଇ ଆସୁଥିବା ବେଳେ ପୁଣି ଥରେ ଝୁଲି ପଡ଼ି ଜୀବନ ହାରିଛନ୍ତି ଜଣେ ଛାତ୍ର। ଆତ୍ମହତ୍ୟା କରିଥିବା ଛାତ୍ରଜଣକ ହରିୟାଣାର ବୋଲି ଜଣାଯାଇଛି।

କୋଟାରେ ପୁଣି ଝୁଲି ପଡ଼ିଲେ ଛାତ୍ର, ନିଟ୍‌ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ

ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟା ଥମିବା ନାଁ ଧରୁନି। ନିଟ୍‌ ପରୀକ୍ଷା ପାଖେଇ ଆସୁଥିବା ବେଳେ ପୁଣି ଥରେ ଝୁଲି ପଡ଼ି ଜୀବନ ହାରିଛନ୍ତି ଜଣେ ଛାତ୍ର। ଆତ୍ମହତ୍ୟା କରିଥିବା ଛାତ୍ରଜଣକ ହରିୟାଣାର ବୋଲି ଜଣାଯାଇଛି। ସେ କୋଟାରେ ରହି ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।

ଗତକାଲି ମଧ୍ୟାହ୍ନ ସମୟରେ ଛାତ୍ରଜଣକ ମେସ୍‌ରେ ଖାଇଥିଲେ। ଏହାପରେ ସେ ନିଜ ରୁମ୍‌ର କବାଟ ଖୋଲି ନ ଥିଲେ। ପରିବାର ଲୋକେ ବହୁ ଥର ଫୋନ୍‌ କରିଥିବା ସତ୍ତ୍ୱେ ଛାତ୍ରଜଣକ ଫୋନ୍‌ ଉଠାଇ ନ ଥିଲେ। ଖବର ପାଇ ହଷ୍ଟେଲ ୱାର୍ଡେନ ପହଞ୍ଚି ଛାତ୍ରଙ୍କ ରୁମ୍‌ର କବାଟ ବାଡ଼େଇଥିଲେ ବି ସେ ଖୋଲି ନ ଥିଲେ।

ଏନେଇ ତୁରନ୍ତ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ପହଞ୍ଚି କବାଟ ଖୋଲି ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଛାତ୍ରଜଣକ ଉକ୍ତ ହଷ୍ଟେଲରେ ଗତ ବର୍ଷ ଜୁଲାଇରୁ ରହି ନିଟ୍‌ ପାଇଁ କୋଚିଂ ନେଉଥିଲେ। ମାତ୍ର ପରୀକ୍ଷା ଆସନ୍ତା ମେ’ ୫ ତାରିଖରେ ଥିବା ବେଳେ ଏହା ପୂର୍ବରୁ ଛାତ୍ରଜଣକ ଝୁଲି ପଡ଼ିଛନ୍ତି। ଛାତ୍ରଙ୍କ ରୁମ୍‌ରୁ କୌଣସି ସୁଇସାଇଡ ନୋଟ୍‌ ମିଳି ନ ଥିବା ବେଳେ ପରୀକ୍ଷା ଚାପ ଯୋଗୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଛାତ୍ରଙ୍କ ରୁମ୍‌ରେ ଥିବା ଫ୍ୟାନ୍‌ରେ ଆଣ୍ଟି ହ୍ୟାଙ୍ଗିଙ୍ଗ ଡିଭାଇସ୍‌ ଲାଗି ନ ଥିବା ଜଣାଯାଇଛି।  ଏ ନେଇ କୋଟା ପ୍ରଶାସନକୁ ସୂଚନା ଦିଆଯାଇଛି। 

୨୦୨୩ରେ କୋଟାରେ ରହି ପାଠପଢ଼ୁଥିବା ୨୬ ଜଣ ଶିକ୍ଷାର୍ଥୀ ବିଭିନ୍ନ ସମୟରେ ଆତ୍ମହତ୍ୟା କରିଥିବା ବେଳେ ଚଳିତ ବର୍ଷ ବି ଏହି ସଂଖ୍ୟା ବଢ଼ିବାରେ ଲାଗିଛି।