କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଖେଳନା ଟିଫିନ ବାକ୍ସରେ ହେଉଥିଲା ଚାଲାଣ

କ୍ରାଇମବ୍ରାଞ୍ଚ ପୁଲିସ, କଷ୍ଟମ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଖେଳନା ଟିଫିନ ବାକ୍ସରେ ହେଉଥିଲା ଚାଲାଣ

ଅବକାରୀ ବିଭାଗ ଓ ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ନିଶାଦ୍ରବ୍ୟ ବେପାରୀ। ଛୁଆମାନଙ୍କ ଖେଳନା, କଣ୍ଢେଇ ଓ ଖେଳନା ଟିଫିନ୍ ବାକ୍ସରେ ଚାଲାଣ କରୁଥିଲେ ଗଞ୍ଜେଇ, ଯାହାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ।

ଅହମଦାବାଦ କ୍ରାଇମବ୍ରାଞ୍ଚ ପୁଲିସ, କଷ୍ଟମ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏଥିସହ ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ସୂଚନା ଅନୁସାରେ, ଜବତ ହୋଇଥିବା ଗଞ୍ଜେଇ କାନାଡା, ଆମେରିକା ଏବଂ ଥାଇଲ୍ୟାଣ୍ଡରେ ଉତ୍ପାଦନ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି କି, ଗଞ୍ଜେଇ ବିଦେଶ ଡାକ ମାଧ୍ୟମରେ ପଠା ଯାଇଥିଲା। ଅହମଦାବାଦର ବିଦେଶ ଡାକକୁ ଆସିଥିବା ପାର୍ସଲ ତଦନ୍ତ ସମୟରେ ମାମଲାର ପର୍ଦ୍ଦାଫାସ୍ ହୋଇଛି।

ତଦନ୍ତ ପରେ ଖେଳନା ଟିଫିନ୍ ବାକ୍ସ ଓ କଣ୍ଢେଇରୁ ଗଞ୍ଜେଇ ମିଳିଥିଲା। ପାର୍ସଲ ଭିତରେ ହାଇବ୍ରିଡ୍ ଓ ସିନ୍ଥେଟିକ ଗଞ୍ଜେଇ ରହିଥିଲା।