କୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ପୂର୍ବତନ ସ୍ୱାମୀଙ୍କୁ ମାସିକ ୫ ହଜାର ଟଙ୍କା ଦେବେ ପତ୍ନୀ

ମହିଳା ଜଣଙ୍କ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ସ୍ୱାମୀ ଯୌତୁକ ପାଇଁ ସବୁବେଳେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

କୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ପୂର୍ବତନ ସ୍ୱାମୀଙ୍କୁ ମାସିକ ୫ ହଜାର ଟଙ୍କା ଦେବେ ପତ୍ନୀ

ସାଧାରଣ ପାରିବାରିକ କଳହ ବା ଛାଡ଼ପତ୍ର ମାମଲାରେ ସ୍ୱାମୀ ହିଁ ପତ୍ନୀଙ୍କୁ ଭରପୋଷଣ ପାଇଁ ମାସିକ ଟଙ୍କା ଦେଇଥାଆନ୍ତି। କିନ୍ତୁ ମଧ୍ୟପ୍ରଦେଶର ଇନ୍ଦୋରରେ ଓଲଟା ଘଟଣା ଘଟିଛି। ଇନ୍ଦୋରରେ ଥିବା ଗୋଟିଏ ପରିବାର ଅଦାଲତ ଘରୋଇ ହିଂସା ଅଭିଯୋଗ ଆଣିଥିବା ପତ୍ନୀଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏ ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ଜଣଙ୍କ ଅଭିଯୋଗ ଆଣିଥିଲେ ଯେ ତାଙ୍କୁ ସ୍ୱାମୀ ଯୌତୁକ ପାଇଁ ସବୁବେଳେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏଥିପାଇଁ ସେ ପରିବାର ଅଦାଲତରେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଦାବିରେ ମାମଲା କରିଥିଲେ।

ଏହାର ଜବାବରେ ତାଙ୍କ ସ୍ୱାମୀ ମଧ୍ୟ ଗୋଟିଏ ଆବେଦନ କରିଥିଲେ। ବାହାଘର ପରେ ପତ୍ନୀ ତାଙ୍କୁ ହଇରାଣ କରୁଛନ୍ତି ଓ ଭରଣପୋଷଣ ଦାବି କରୁଛନ୍ତି। ସେ ଅଭିଯୋଗ କରିଥିଲେ ଯେ ପତ୍ନୀଙ୍କ ପାଇଁ ତାଙ୍କ ପାଠପଢ଼ା ଅଧାରୁ ବନ୍ଦ ହୋଇଥିଲା। ଏଥିପାଇଁ ତାଙ୍କୁ କେଉଁଠି ବି କାମ ମିଳି ନଥିଲା।

ଅଭିଯୋଗକାରୀ ଅମନଙ୍କ ଓକିଲ ମନୀଷ ଝାରୋଲା କହିଛନ୍ତି ଯେ କୋର୍ଟ ଦୁଇ ପକ୍ଷର ଯୁକ୍ତି ଶୁଣିଥିଲେ। ଏହାପରେ ଅମନଙ୍କୁ ମାସିକ ୫ ହଜାର ଟଙ୍କା ଲେଖାଏ ଦେବାକୁ ତାଙ୍କ ପତ୍ନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପତ୍ନୀଙ୍କ କଥାରେ ତାଳମେଳ ନଥିଲା। ସେ ପ୍ରଥମେ ପୁଲିସ୍‌କୁ କହିଥିଲେ ଯେ ସେ ଗୋଟିଏ ବିୟୁଟି ପାର୍ଲର ଚଳାଉଛନ୍ତି।

କିନ୍ତୁ କୋର୍ଟରେ ଦାଖଲ କରିଥିବା ଦସ୍ତାବିଜରେ ସେ ବେକାର ଓ ତାଙ୍କ ସ୍ୱାମୀ ରୋଜଗାର କରନ୍ତି। ସେ ନିଜର କଥା ବାରମ୍ବାର ବଦଳାଉଥିବାରୁ ପରିବାର ଅଦାଲତ ତାଙ୍କୁ ୫ ହଜାର ଟଙ୍କା ଲେଖାଏ ପର ହୋଇ ସାରିଥିବା ସ୍ୱାମୀଙ୍କୁ ଦେବା ପାଇଁ କହିଛନ୍ତି।

ମଧ୍ୟପ୍ରଦେଶରେ ପ୍ରଥମଥର ପାଇଁ ପତ୍ନୀଙ୍କୁ ଭରଣପୋଷଣ ଖର୍ଚ୍ଚ ସ୍ୱାମୀଙ୍କୁ ଦେବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ମିଳିଛି। ପୂର୍ବରୁ ପତ୍ନୀଙ୍କୁ ସ୍ୱାମୀ ଭରଣପୋଷଣ ଖର୍ଚ୍ଚ ଦେବାର ନଜିର ରହିଛି।

ମନୀଷ କହିଛନ୍ତି, ଉଜ୍ଜୟୀନରେ ରହୁଥିବା ଅମନ ୨୦୨୦ରେ ପ୍ରଥମେ ମହିଳାଙ୍କୁ ଦେଖା ହୋଇଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଥିଲା। କିଛି ମାସର ଭଲ ପାଇବା ପରେ ମହିଳା ଜଣଙ୍କ ତାଙ୍କୁ ବାହା ହେବାକୁ କହିଥିଲେ। କିନ୍ତୁ ଅମନ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବାରୁ ବାହା ହେବାକୁ ମନା କରିଥିଲେ। ପାଠପଢ଼ା ସରିବା ପରେ ସେ ବାହା ହେବ ବୋଲି କହିଥିଲେ।

ମହିଳା ଜଣଙ୍କ ଏଥିରେ ରାଜି ହୋଇ ନଥିଲେ। ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଶେଷରେ ଅମନ ୨୦୨୧ ମସିହା ଜୁଲାଇ ମାସରେ ଆର୍ଯ୍ୟ ସମାଜରେ ତାଙ୍କୁ ବିବାହ କରିଥିଲେ। ବାହାଘର ପରେ ଦମ୍ପତି ଇନ୍ଦୋରରେ ଭଡ଼ା ଘର ନେଇ ରହିଥିଲେ। ବାହାଘରର ମାସକ ପରେ ମହିଳା ଜଣଙ୍କ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେବା ଆରମ୍ଭ କରିଥିଲେ।

ବାହାଘରର ଦୁଇ ମାସ ପରେ ଅମନ ଭଡ଼ା ଘର ଛାଡ଼ି ତାଙ୍କ ବାପା ମା’ଙ୍କ ପାଖକୁ ଚାଲି ଯାଇଥିଲେ। ପ୍ରଥମେ ପୁଲିସ୍‌ ନିକଟରେ ନିଖୋଜ ଅଭିଯୋଗ କରିଥିଲେ। ଏହାପରେ ପରିବାର ଅଦାଲତରେ ଅମନଙ୍କ ବିରୋଧରେ ଯୌତକ ନିର୍ଯାତନା ଅଭିଯୋଗ ଦାଖଲ କରିଥିଲେ। ଅମନଙ୍କ ଠାରୁ ସେ ଭରଣପୋଷଣ ଖର୍ଚ୍ଚ ମଧ୍ୟ ମାଗିଥିଲେ।

ଅମନ ମଧ୍ୟ ଏହାର ଜବାରେ ପୁଲିସ୍‌ ଓ ପରିବାର ଅଦାଲତରେ ଭରଣପୋଷଣ ପାଇଁ ପିଟିସନ ଦାଖଲ କରିଥିଲେ। ସେ କୌଣସି ଚାକିରି କରି ନଥିବାରୁ ପତ୍ନୀଙ୍କ ଦାବି ଅନୁସାରେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ। ଶେଷରେ କୋର୍ଟ ଅମନଙ୍କ ସପକ୍ଷରେ ରାୟ ଦେଇଛନ୍ତି।