କୋଲକାତା ଆରଜି କର ହସ୍ପିଟାଲରେ ପହଞ୍ଚିଲା CBI, କ୍ରାଇମ୍ ସିନର ହେବ ଡିଜିଟାଲ ମ୍ୟାପିଂ

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ପାଇଁ କୋଲକାତା ଆରଜି କର ହସ୍ପିଟାଲରେ ପହଞ୍ଚିଛି ସିବିଆଇ ଟିମ୍।

କୋଲକାତା ଆରଜି କର ହସ୍ପିଟାଲରେ ପହଞ୍ଚିଲା CBI, କ୍ରାଇମ୍ ସିନର ହେବ ଡିଜିଟାଲ ମ୍ୟାପିଂ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାନକ ଘଟଣାର ଟିକନିଖ୍ ତଥ୍ୟର ପର୍ଦ୍ଦାଫାସ କରିବ ସିବିଆଇ। ଆଜି ଆରଜି କର ମେଡିକାଲ କଲେଜରେ ପହଞ୍ଚି ତନ୍ନାଘନା ଆରମ୍ଭ କରିଛି ସିବିଆଇ ଟିମ୍। ତଦନ୍ତକାରୀ ସଂସ୍ଥା ଘଟଣା ଦିନର ପୂରା ସିନର ଡିଜିଟାଲ୍ ମ୍ୟାପିଂ କରିବ ବୋଲି ଜଣାପଡିଛି। 

ସିବିଆଇ ସୂତ୍ର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସିସିଟିଭି ଫୁଟେଜ ଆଧାରରେ କରାଯାଇଥିବା ତଦନ୍ତରୁ ଜଣାପଡୁଛି ଯେ, ଅଭିଯୁକ୍ତ ସଞ୍ଜୟ ରୟ ଘଟଣା ଦିନ ଅର୍ଥାତ୍ ଗୁରୁବାର ରାତି ପ୍ରାୟ 11ଟା ସମୟରେ ଡାକ୍ତରଖାନାକୁ ଆସିଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ସେ ପ୍ରାୟ 30 ମିନିଟ୍ ରହିବା ପରେ ସେଠାରୁ ଚାଲି ଯାଇଥିଲା। 

ଏହି 30 ମିନିଟ୍ ମଧ୍ୟରେ ଡାକ୍ତରଖାନାରେ ଅଭିଯୁକ୍ତ ସଞ୍ଜୟ ରୟର ଗତିବିଧି ଦେଖିବାକୁ ମିଳିଛି। ଏହା ପରେ ସେ ପୁଣି ବିଳମ୍ବିତ ରାତି ପ୍ରାୟ 3ଟା 45ରୁ 3ଟା 50 ମଧ୍ୟରେ ଡାକ୍ତରଖାନାକୁ ଆସିଥିଲା। ଏହି ସମୟରେ ସେ ସେମିନାର ରୁମକୁ ଯାଇଥିଲା ଏବଂ 35 ମିନିଟ୍ ପରେ ସେଠାରୁ ଚାଲି ଯାଇଥିଲା। 

ସୂଚନାନୁସାରେ, ଘଟଣା ଦିନ ମୃତ ଡାକ୍ତର ଏବଂ ତାଙ୍କ ସାଙ୍ଗମାନେ ରାତି ପ୍ରାୟ 12ଟା ସମୟରେ ଖାଇବା ଅର୍ଡର କରି ଖାଇଥିଲେ। ପୋଷ୍ଟମୋର୍ଟମ ରିପୋର୍ଟରୁ ମଧ୍ୟ ଜଣାପଡୁଛି ଯେ, ଖାଇବାର 4 ଘଣ୍ଟା ପରେ ତାଙ୍କ ର ମୃତ୍ୟୁ ଘଟିଛି। କୋଲକାତା ପୁଲିସ ମୃତ ଡାକ୍ତରଙ୍କ ସାଙ୍ଗ ଏବଂ ଖାଦ୍ୟ ଡେଲିଭର କରିଥିବା ଡେଲିଭର ବଏର ବୟାନ ମଧ୍ୟ ରେକର୍ଡ କରିଛି।  ଏସବୁ ପୂରା ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ସିବିଆଇ।