କୋଲକାତା ବନ୍ଦ, ୭ ବିଜେପି କର୍ମୀଙ୍କୁ ଉଠାଇ ନେଲା ପୁଲିସ

କୋଲକାତା ପୁଲିସ ନବାନ୍ନ ଅଭିଯାନର ଆୟୋଜକ ଛାତ୍ର ନେତା ସୟାନ ଲାହିରିଙ୍କୁ ମଧ୍ୟ ଗିରଫ କରିଛି।

କୋଲକାତା ବନ୍ଦ, ୭ ବିଜେପି କର୍ମୀଙ୍କୁ ଉଠାଇ ନେଲା ପୁଲିସ

ମମତାଙ୍କ ଗଡରେ ଚାଲିଛି ମହାବିକ୍ଷୋଭ। ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ରଣକ୍ଷେତ୍ର ପାଲଟିଛି କୋଲକାତା। ଗତକାଲି ଛାତ୍ର ସଗଠନର ନବାନ୍ନ ରାଲି ପରେ ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦେଇଛି ବିଜେପି। ଆଜି ସକାଳୁ ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି। ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା ହୋଇଛି।

ନର୍ଥ ୨୪ ପରଗଣାରେ ରେଳ ଧାରଣା ଉପରେ ବସିଛନ୍ତି ବିଜେପି କର୍ମୀ। ମେଟ୍ରୋ ଷ୍ଟେସନ ଗେଟ୍‌କୁ ବିଜେପି କର୍ମୀମାନେ ଜୋର ଜବରଦସ୍ତ ବନ୍ଦ କରିବାକୁ ଉଦ୍ୟମ କରିଛନ୍ତି। ଏହାକୁ ନେଇ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାସ୍ଥଳରୁ ୭ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି।

ସେହିପରି କୋଲକାତା ପୁଲିସ ନବାନ୍ନ ଅଭିଯାନର ଆୟୋଜକ ଛାତ୍ର ନେତା ସୟାନ ଲାହିରିଙ୍କୁ ମଧ୍ୟ ଗିରଫ କରିଛି। ଲାହିରି ପଶ୍ଚିମ ବଙ୍ଗ ଛାତ୍ର ସମାଜ ସହ ଜଡିତ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ ଲାହିରି ନବାନ୍ନ ଅଭିଯାନ ପୂର୍ବରୁ କୋଲକାତାର ଏକ ପଞ୍ଚ ତାରକା ହୋଟେଲରେ କିଛି ନେତାଙ୍କୁ ଭେଟିଥିଲେ।

ସେପଟେ ବଙ୍ଗଳାର ଉତ୍ତର ଦିନାଜପୁରରେ ବିଜେପିର ପଶ୍ଚିମବଙ୍ଗ ବନ୍ଦ ବେଳେ ପୋଡାଜଳା ଖରବ ସାମ୍ନାକୁ ଆସିଛି। ସେହିପରି ବନ୍ଦକୁ ନେଇ ନାଦିଆରେ ବିଜେପି ଏବଂ ଟିଏମ୍‌ସି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳର କର୍ମୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି। ଏଥି ସହିତ ମୁର୍ସିଦାବାଦରେ ବିଜେପି ସମର୍ଥକମାନେ ଜଣେ ବ୍ୟକ୍ତିଙ୍କୁ ମାଡ ମାରିଛନ୍ତି, ଯେଉଁଥିପାଇଁ ଏକ ବଡ଼ ଧରଣର ଗଣ୍ଡଗୋଳ ଉପୁଜିଛି। ଏହି ସମୟ ମଧ୍ୟରେ ବସ୍ ଡ୍ରାଇଭରମାନେ ହାୱାଡାର ଅନେକ ସ୍ଥାନରେ ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧିଥିବାର ନଜର ଆସିଛନ୍ତି।

୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରାରେ ବିଜେପିର ସମସ୍ତ ନେତା ସାମିଲ ହୋଇଛନ୍ତି। ବିଜେପି ନେତ୍ରୀ ଅଗ୍ନିମିତ୍ରା ପଲ୍‌ ମମତା ସରକାର ଉପରେ ବର୍ଷିଛନ୍ତି। ମମତା ସରକାରଙ୍କ ମନୋଭାବ ଅତ୍ୟନ୍ତ ଘୃଣ୍ୟ। ସେମାନଙ୍କର କୌଣସି ମେରୁଦଣ୍ଡ ନାହିଁ। ପୁଲିସ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛି। ସେମାନେ ପାଣି କେମିକାଲ ମିଶାଇ ବିକ୍ଷୋଭକାରୀଙ୍କ ଉପରେ ମାଡ଼ କରିଛନ୍ତି। ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ଏହି ସରକାର ବିଫଳ ହୋଇଯାଇଛି ବୋଲି ସେ କହିଛନ୍ତି।