କୌଶଳ-ବିହୀନ ଶିକ୍ଷା
ଏକ ରାଷ୍ଟ୍ରର ଅଭିବୃଦ୍ଧି ସେହି ଦେଶର ଶିକ୍ଷା ବ୍ୟବସ୍ଥା, ନେତୃତ୍ୱର ଗୁଣବତ୍ତା ଏବଂ ଏହାର ବ୍ୟବସାୟ ତଥା ନୂତନ ଜ୍ଞାନକୌଶଳକୁ ଆପଣାଇବା ଆଦି କାରକ ସହିତ ପରିପୂରକ। ଏହି ଦୃଷ୍ଟିରୁ ଦେଖÒବାକୁ ଗଲେ ପାରମ୍ପରିକ ଶିକ୍ଷା ସହିତ ବର୍ତ୍ତମାନର ଅତ୍ୟାବଶ୍ୟକତା ଡିଜିଟାଲ ଶିକ୍ଷା ଭାରତ କ୍ଷେତ୍ରରେ ବେଶ୍ ପ୍ରଭାବଶାଳୀ ହୋଇପାରିନାହିଁ ଏବଂ କୌଶଳ ହାସଲରେ ମଧ୍ୟ ବେଶ୍ ତାରତମ୍ୟତା ଦେଖିବାକୁ ମିଳିଛି। ସବୁଠାରୁ ବିସ୍ମୟକର କଥା ହେଲା ଶିକ୍ଷାକ୍ଷେତ୍ର ବିସ୍ତାର ହେଉଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ଅବନତି […]

ଏକ ରାଷ୍ଟ୍ରର ଅଭିବୃଦ୍ଧି ସେହି ଦେଶର ଶିକ୍ଷା ବ୍ୟବସ୍ଥା, ନେତୃତ୍ୱର ଗୁଣବତ୍ତା ଏବଂ ଏହାର ବ୍ୟବସାୟ ତଥା ନୂତନ ଜ୍ଞାନକୌଶଳକୁ ଆପଣାଇବା ଆଦି କାରକ ସହିତ ପରିପୂରକ। ଏହି ଦୃଷ୍ଟିରୁ ଦେଖÒବାକୁ ଗଲେ ପାରମ୍ପରିକ ଶିକ୍ଷା ସହିତ ବର୍ତ୍ତମାନର ଅତ୍ୟାବଶ୍ୟକତା ଡିଜିଟାଲ ଶିକ୍ଷା ଭାରତ କ୍ଷେତ୍ରରେ ବେଶ୍ ପ୍ରଭାବଶାଳୀ ହୋଇପାରିନାହିଁ ଏବଂ କୌଶଳ ହାସଲରେ ମଧ୍ୟ ବେଶ୍ ତାରତମ୍ୟତା ଦେଖିବାକୁ ମିଳିଛି। ସବୁଠାରୁ ବିସ୍ମୟକର କଥା ହେଲା ଶିକ୍ଷାକ୍ଷେତ୍ର ବିସ୍ତାର ହେଉଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ଅବନତି ଘଟୁଥିବାର ଉଦାହରଣମାନ ମିଳୁଛିି। ଏହି ପ୍ରସଙ୍ଗରେ ‘କାଗଜ ଯୋଗ୍ୟତା’ ଅଭିବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ।
ଭାରତୀୟ ଶିକ୍ଷା ସମ୍ପର୍କରେ ବିଶ୍ୱ ଅର୍ଥନୈତିକ ଫୋରମ ଦ୍ବାରା ୨୦୨୦ରେ ପ୍ରକାଶିତ ଏକ ସନ୍ଦର୍ଭରେ ଉଲ୍ଲେଖ ଅଛି ଯେ ମୋଟ ଇଞ୍ଜିନିୟର ସ୍ନାତକଧାରୀଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ଏବଂ ସାଧାରଣ ସ୍ନାତକମାନଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତଙ୍କ ନିଯୁକ୍ତି ଯୋଗ୍ୟତା ବା ଦକ୍ଷତା ରହିଛି। ୨୦୨୪ରେ ନିତି ଆୟୋଗ ଦ୍ୱାରା ପ୍ରକାଶିତ ‘ଇଲେକ୍ଟ୍ରୋନିକ୍: ପାୱାର ଇଣ୍ଡିଆସ୍ ପାର୍ଟିସିପେସନ୍ ଇନ୍ ଗ୍ଲୋବାଲ୍ ଭାଲ୍ୟୁ ଚେନ୍’ ଶୀର୍ଷକ ନିବନ୍ଧରେ ଉଲ୍ଲେଖ ରହିଛି ଯେ ୮୦% ଇଲେକ୍ଟ୍ରୋନିକ ଇଞ୍ଜିନିୟର ସେମାନଙ୍କ କ୍ଷେତ୍ର ସହିତ ଜଡ଼ିତ ଆବଶ୍ୟକ କୌଶଳ ହାସଲ କରି ପାରିନାହାନ୍ତି। ୨୦୧୫ ମସିହାରେ ଆରମ୍ଭ ହୋଇଥିବା ‘କୌଶଳ ଭାରତ’ ବା ‘ସ୍କିଲ୍ ଇଣ୍ଡିଆ’ ଅଭିଯାନ ମଧ୍ୟ ଏ ଦିଗରେ ଯଥେଷ୍ଟ ପ୍ରଭାବଶାଳୀ ହୋଇପାରି ନାହିଁ। କୃତ୍ରିମ ବୁଦ୍ଧିମତ୍ତା, ମେସିନ ଲର୍ଣିଂ, ବିଗ୍ ଡାଟା ଆନାଲିଟିକ୍ସ ତଥା ଉନ୍ନତ କ୍ଷେତ୍ରଗୁଡ଼ିକରେ ଭାରତୀୟ ଶିକ୍ଷା ବ୍ୟବସ୍ଥାର ସାମର୍ଥ୍ୟ ଏବଂ ଏହାର ଶୈକ୍ଷିକ ଆଧାରର କ୍ଷମତା ମଧ୍ୟରେ ଆନୁପାତିକ ବ୍ୟବଧାନ ରହିଛି। ଅପରପକ୍ଷରେ ସରକାରୀ ପରିଚାଳିତ ଧନ୍ଦାମୂଳକ କୌଶଳ ଶିକ୍ଷା ମଧ୍ୟ ବିଫଳ ହେବାରେ ଲାଗିଛି। ଉଦାହରଣ ସ୍ୱରୂପ, କୃତ୍ରିମ ବୁଦ୍ଧିମତ୍ତା ଏକ ବିପ୍ଳବ ରୂପେ ଉଭା ହୋଇଥିବା ବେଳେ ଭାରତ ଭଳି ଜନବହୁଳ ରାଷ୍ଟ୍ର କେବଳ ଏକ ଉପଭୋକ୍ତା ସାଜିଛି। ଚୀନ୍, ଭାରତଠାରୁ ୩୦ଗୁଣ ଅଧିକ କୃତ୍ରିମ ବୁଦ୍ଧିମତ୍ତା ଢାଞ୍ଚା ବିକାଶ କରିସାରିଛି। ୨୦୧୪ ମସିହା ଠାରୁ ୨୦୨୩ ମସିହା ମଧ୍ୟରେ ଭାରତ ୧୩୫୦ଟି କୃତ୍ରିମ ବୁଦ୍ଧିମତ୍ତା ଢାଞ୍ଚା ବିକାଶ କରିଥିବା ବେଳେ ଚୀନ୍ର ପ୍ରଦର୍ଶନ ୩୮୨୧୦ ରହିଛି।
ନୂତନ ଶିକ୍ଷାନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କାୟାକଳ୍ପ ବଦଳାଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଏହାକୁ ଲାଗୁ କରାଇ ସାରିଲେଣି, ଯେଉଁଥିରେ ବିକଶିତ ଦେଶଗୁଡ଼ିକର ଶିକ୍ଷା ବ୍ୟବସ୍ଥା ସହ ପ୍ରତିଯୋଗିତା କରିବାର ସମ୍ପୂର୍ଣ୍ଣ ସୁଯୋଗ ରହିଛି। ଯେତେବେଳେ ଶିକ୍ଷା ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନର ସମୟ ଆସିଛି କୌଶଳ ବୃଦ୍ଧିର ଦିଗଗୁଡ଼ିକୁ ଅଣଦେଖା କରିବା ଅନୁଚିତ। ଡିଜିଟାଲ ଶିକ୍ଷାକୁ ଠିକ୍ ଭାବେ ଲାଗୁ ନ କରି ପାରିଲେ ଏହାର ପରିଣାମ ଭୟଙ୍କର ହେବ। ଏହି ପରିପ୍ରେକ୍ଷୀରେ ପିସା ଆଇସିଟି ୨୦୧୮ ସର୍ଭେ ବିଷୟରେ ଆଲୋକପାତ କରାଯାଇପାରେ। ଏହି ସର୍ଭେ ରିପୋର୍ଟ ଅନୁସାରେ ଡିଜିଟାଲ ଉପକରଣ ବ୍ୟବହାର କରୁଥିବା ଶିକ୍ଷାର୍ଥୀଙ୍କ ୩୪ ପ୍ରତିଶତ ପଠନ କ୍ଷମତା, ୩୯ ପ୍ରତିଶତ ଗଣିତ ଜ୍ଞାନ, ୨୮ ପ୍ରତିଶତ ବିଜ୍ଞାନ ଜ୍ଞାନରେ ଅବନତି ଘଟିଛି। ତେଣୁ ନୂତନ ଶିକ୍ଷାନୀତି ୨୦୨୦ ଲାଗୁ କରିବା ବେଳେ ସଫଳ ହେବାର ଉତ୍କଣ୍ଠା ଓ ବିଫଳ ହେବାର ଭୟକୁ କିପରି ସମନ୍ୱିତ ଭାବେ ନିୟନ୍ତ୍ରଣ କରିହେବ ସେଦିଗରେ ଯଥେଷ୍ଟ ଗବେଷଣା ହେବା ଆବଶ୍ୟକ।
ଶିକ୍ଷା ଓ ଦକ୍ଷତା ବିଷୟରେ ଆଲୋଚନା କଲାବେଳେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ଏକ ଉପଦେଶକୁ ମନେପକାଇବା ଉପଯୋଗୀ ହେବ – ‘ଅଶିକ୍ଷିତ ତଥା ଅସ୍ୱାସ୍ଥ୍ୟକର ଶ୍ରମଶକ୍ତି ସହିତ ଭାରତ ବିଶ୍ୱ ଅର୍ଥନୀତିର ମୁଖ୍ୟ ହେବାକୁ ଚାହୁଁଛି।’ ଶିକ୍ଷା ଅର୍ଜନରେ ବ୍ୟକ୍ତିଗତ ସ୍ଥିରତା ହେଉଛି କୌଣସି କୌଶଳ ହାସଲ କରିବାର ଶ୍ରେଷ୍ଠ ମାଧ୍ୟମ। ଦକ୍ଷତା ହାସଲ ନିମନ୍ତେ ଦୁଇଟି କାରକ ନିହାତି ଆବଶ୍ୟକ। ପ୍ରଥମଟି ହେଲା ଉଚ୍ଚ ବୈଧତା ସମ୍ପନ୍ନ ପରିବେଶ, ଯାହା ଶିକ୍ଷାର୍ଥୀଙ୍କୁ ଶିଖିବାକୁ ସୁଯୋଗ ପ୍ରଦାନ କରିଥାଏ ଏବଂ ଦ୍ୱିତୀୟଟି ହେଲା ଦୀର୍ଘ ସମୟ ଅଭ୍ୟାସ ମାଧ୍ୟମରେ ଶିଖିବାର ସୁଯୋଗ। ମୁଁ ଶିକ୍ଷକ ଥିଲା ବେଳେ ଦେଖିଛି. ଯେଉଁସବୁ ଅଞ୍ଚଳରେ ଡିଜିଟାଲ ଉପକରଣ ପ୍ରଚଳନ ନଥିଲା ଆଉ ଆଧୁନିକତାର ଆଢୁଆଳରେ ହଠାତ୍ ଏହାକୁ ବ୍ୟବହାର କରିବାକୁ ଲାଗିଲେ ସେମାନେ ଡିଜିଟାଲ ଉପକରଣକୁ କେବଳ ଚିତ୍ତବିନୋଦନର ଏକ ମାଧ୍ୟମ ରୂପେ ବ୍ୟବହାର କରୁଛନ୍ତି। ଅତଏବ ଭାରତ ବିଶ୍ୱଶକ୍ତି ହେବାର ସ୍ୱପ୍ନ ପୂରଣ କରିବାକୁ ହେଲେ ଶିକ୍ଷାରେ ଯେଉଁ କ୍ରାନ୍ତି ପାଇଁ ବ୍ୟବସ୍ଥାଟିଏ ତିଆରି କରାଯାଇଛି, ତା’କୁ ସୁପରିଯୋଜିତ ଢଙ୍ଗରେ ଲାଗୁ କରାଯିବା ଆବଶ୍ୟକ। ଡିଜିଟାଲ ଉପକରଣର ବ୍ୟବହାର ସହ କୌଶଳ ବୃଦ୍ଧି କିପରି ଏହି ସଂଯୋଗ ସକାରାତ୍ମକ ପରିଣାମ ଦେବ ତା’କୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ରହିଛି।
ଜଗଜିବନ ସେଠି
(ସହକାରୀ ଆଯୁକ୍ତ, ଅର୍ଥ ବିଭାଗ)
ମୋ: ୮୯୮୪୦୪୯୫୨୧