କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦୀ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ ମୋଦୀ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୨ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) […]

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ ମୋଦୀ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୨ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ରାଷ୍ଟ୍ରପତି ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଐତିହାସିକ ଶପଥ ସମାରୋହରେ ୭୩ ବର୍ଷୀୟ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରାଜନାଥ ସିଂହ, ଅମିତ ଶାହ ଓ ନୀତିନ ଗଡକରୀ ଶପଥ ନେଇଥିଲେ। ପଛକୁ ପଛ ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର ଓ ମନୋହର ଲାଲ ଖଟ୍ଟର ଶପଥ ଗ୍ରହଣ କରିଥିଲେ। ଖଟ୍ଟରଙ୍କ ପରେ ଏନ୍ଡିଏ ସହଯୋଗୀ ଦଳର ପ୍ରଥମ ନେତା ଭାବେ ଏଚ୍ଡି କୁମାରସ୍ବାମୀ ଶପଥ ଗ୍ରହଣ କରିଥିଲେ। ଏହାପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ଜନତା ଦଳ (ୟୁନାଇଟେଡ୍) ନେତା ଲଲନ ସିଂହ ମଧ୍ୟ ଶପଥ ଗ୍ରହଣ କରିଥିଲେ। ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାଝୀ, ରାଜୀବ ରଂଜନ ସିଂହ, ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, ରାମ ମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଶପଥ ନେଇଥିଲେ। ଶପଥ ଉତ୍ସବରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳର ରାଷ୍ଟ୍ରନେତାମାନେ ଯୋଗ ଦେଇଥିଲେ। ଶପଥ ସମାରୋହର କିଛି ଘଣ୍ଟା ପୂର୍ବରୁ ମୋଦୀ ଆଜି ଏନଡିଏ ନେତାମାନଙ୍କୁ ଭେଟିଥିଲେ ଏବଂ ସରକାରଙ୍କ ଆଗାମୀ ୧୦୦ ଦିନର ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ସାମିଲ ହୋଇଥିଲେ ଏବଂ ଏହା ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି କହିଥିଲେ।