କ୍ରାଇମବ୍ରାଞ୍ଚକୁ ଅଭିଯୁକ୍ତଙ୍କ ଚାଞ୍ଚଲ୍ୟକର ବୟାନ୍; ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଭାଇଜାନ୍
ବାବା ସିଦ୍ଦିକି ଓ ପୁଅ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ପାଇଁ ମିଳିଥିଲା କଣ୍ଟ୍ରାକ୍ଟ । ସୁପାରୀ କିଲରଙ୍କ ଟାର୍ଗେଟରେ ଥିଲେ ଉଭୟ ସିଦ୍ଦିକି ବାପା-ପୁଅ ।
ସୁପାରୀ କିଲରଙ୍କ ନିଶାନାରେ ଥିଲେ ସିଦ୍ଦିକି ବାପା-ପୁଅ। ଜେରା ବେଳେ ମୁମ୍ବାଇ କ୍ରାଇମବ୍ରାଂଚ୍ ଆଗରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛନ୍ତି ବାବା ସିଦ୍ଦିକିଙ୍କ ହତ୍ୟାକାରୀ। ଘଟଣାରେ ଏଯାଏଁ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତକୁ ରିମାଣ୍ଡରେ ନେଇଛି ପୋଲିସ। ସେପଟେ ସିଦ୍ଦିକିଙ୍କ ହତ୍ୟା ପରଠୁ ବିବ୍ରତ ଅଛନ୍ତି ସଲମାନ୍। ତେବେ ସଲମାନଙ୍କ ସହ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଏ ଶତ୍ରୁତା କାହିଁକି ?
ବାବା ସିଦ୍ଦିକି ଓ ପୁଅ ଜିଶାନ ସିଦ୍ଦିକିଙ୍କୁ ହତ୍ୟା ପାଇଁ ମିଳିଥିଲା କଣ୍ଟ୍ରାକ୍ଟ । ସୁପାରୀ କିଲରଙ୍କ ଟାର୍ଗେଟରେ ଥିଲେ ଉଭୟ ସିଦ୍ଦିକି ବାପା-ପୁଅ । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ, ବରିଷ୍ଠ ଏନସିପି ନେତା ତଥା ତିନି ଥରର ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ବଡ ଖୁଲ୍ଲାସା। ରିମାଣ୍ଡରେ ଥିବା ଅଭିଯୁକ୍ତ ଜେରା ବେଳେ ମୁମ୍ବାଇ କ୍ରାଇମବ୍ରାଂଚ୍ ଆଗରେ କହିଛି ଯେ, ସେମାନଙ୍କ ଟାର୍ଗେଟରେ ଉଭୟ ସିଦ୍ଦିକି ବାପ-ପୁଅ ଥିଲେ। ଦୁଇ ଜଣଙ୍କୁ ହତ୍ୟା ପାଇଁ ମିଳିଥିଲା କଣ୍ଟ୍ରାକ୍ଟ। ଯାହାକୁ ଦେଖିଲେ ବି ଉଡାଇ ଦେବାକୁ ହୋଇଥିଲା ଯୋଜନା।
ପ୍ଲାନ ମୁତାବକ, ୧୨ ତାରିଖ ରାତି ପ୍ରାୟ ୯ଟାରେ ପହଁଚିଯାଇଥିଲେ ୩ ଅଭିଯୁକ୍ତ। ହାତରେ ଥିଲା ୯ ଏମ୍ଏମ୍ ପିସ୍ତଲ। ଲଙ୍କା ଗୁଣ୍ଡ ଓ ଗୋଲମରିଚ ସ୍ପ୍ରେ ବି ଧରିଥିଲେ। ପୁଅ ଜିଶାନଙ୍କ ଅଫିସ ବାହାରେ ବାବା ସିଦ୍ଦିକି ବାଣ ଫୁଟାଉଥିବା ବେଳେ ତାଙ୍କ ଉପରେ ୬ ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ ଶିବ କୁମାର। ଯେଉଁଥିରୁ ୩ଟି ବାଜିଥିଲା ସିଦ୍ଦିକିଙ୍କ ଦେହରେ। ପରେ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲଙ୍କ ଉପରେ ଚିଲି ପାଉଡର ଫୋପାଡି ଫେରାର ମାରିଥିଲା ଶିବ କୁମାର। ତେବେ ଧରା ପଡିଯାଇଥିଲେ ସୁଟର ଗୁରମେଲ ବଲଜିତ୍ ସିଂ ଏବଂ ଧର୍ମରାଜ କଶ୍ୟପ। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ ଓ ୨୮ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ।
ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ପୂର୍ବରୁ ନିଜକୁ ଦାୟୀ କରି ସାରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍। ଯିଏ ବି ସଲମାନଙ୍କୁ ସହଯୋଗ କରିବ, ନିଜ ହିସାବ କିତାବ କରିକି ରଖିଥିବ କହି ଚେତାବନୀ ବି ଦେଇଛି। ତେବେ ସଲମାନଙ୍କ ସହ ବିଷ୍ଣୋଇ ଗ୍ୟାଙ୍ଗର ଶତ୍ରୁତା କାହିଁକି ? ୧୯୯୮ରେ ରାଜସ୍ଥାନରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ୍ ଫସିବା ପରେ ବଢିଥିଲା ଲରେନ୍ସ ଓ ଭାଇଜାନଙ୍କ ମଧ୍ୟରେ ଶତ୍ରୁତା। ବିଷ୍ଣୋଇ ସମାଜରେ କୃଷ୍ଣସାର ମୃଗକୁ ପୂଜା କରାଯାଉଥିବାରୁ ଏହା ସାରା ବିଷ୍ଣୋଇ ସମାଜ ପ୍ରତି ଅପମାନ ଦର୍ଶାଇ ସଲମାନ୍ଙ୍କୁ ହତ୍ୟା କରିବାକୁ ତିହାର ଜେଲରୁ ଖୋଲାଖୋଲି ଧମକ ଦେଇଥିଲା ଲରେନ୍ସ। ସେବେଠୁ ସଲମାନ୍ଙ୍କୁ ବାରମ୍ବାର ଧମକ ଦେଉଛି।
ଏପରିକି ଗତ ଜୁଲାଇରେ ସଲମାନଙ୍କ ଘର ଉପରକୁ ଫାୟାରିଂ ପଛରେ ବି ତା ହାତ ରହିଛି। ଲରେନ୍ସର ଦବଦବା ଏତେ ଯେ ଗୁଜରାଟ ସାବରମତୀ ଜେଲରେ ବସି ସେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ ଆଉ ଏବେ ମୁମ୍ବାଇରେ ଗ୍ୟାଙ୍ଗ ଚଲାଉଛି। ଯେଉଁଥିରେ ପ୍ରାୟ ୭ଶହ ସୁଟର ନିୟୋଜିତ ଥିବା କୁହାଯାଉଛି। ଏପରିକି କାନାଡାରେ ବି ତାର ଅପରାଧ ସାମ୍ରାଜ୍ୟ ରହିଛି। ଏହାରି ଭିତରେ ୨୦ ବର୍ଷ ତଳର କୃଷ୍ଣସାର ମୃଗ ଶୀକାର ଘଟଣାରେ ବିଷ୍ଣୋଇ ସମାଜକୁ କ୍ଷମା ମାଗିବାକୁ ସଲମାନ ଖାନଙ୍କୁ ପରାମର୍ଶ ଦେଇଛନ୍ତି ବିଜେପି ସାଂସଦ ହରନାଥ ସିଂ ଯାଦବ।
ସେପଟେ ସିଦ୍ଦିକିଙ୍କୁ ହତ୍ୟା ପରେ ଭାଙ୍ଗିପଡିଛନ୍ତି ସଲମାନ୍। ନିଜର ସମସ୍ତ ସୁଟିଂ ଓ ମିଟିଂ କ୍ୟାନସଲ୍ କରିଦେଇଛନ୍ତି। ଚିନ୍ତିତ ଓ ବିବ୍ରତ ଅଛନ୍ତି ସଲମାନ। ଅତି ଘନିଷ୍ଠ ତଥା ପାରିବାରିକ ବନ୍ଧୁ ସିଦ୍ଦିକିଙ୍କୁ ହରାଇବାର ଦୁଃଖ ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡୁଛି। ପ୍ରଥମେ ଲୀଲାବତୀ ହସପିଟାଲ ପରେ ସିଦ୍ଦିକିଙ୍କ ବାସଭବନ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ସଲମାନ୍। ତାପରଠୁ ପୁଅ ଜିଶାନ ସିଦ୍ଦିକିଙ୍କ ସହ ସେ ଲଗାତର ସମ୍ପର୍କରେ ଅଛନ୍ତି।
ଘଟଣାରେ ପୋଲିସ ଏଯାଏଁ ୩ ଜଣଙ୍କୁ ଗିରଫ କରିସାରିଛି। ଦୁଇ ଅଭିଯୁକ୍ତଙ୍କୁ ଅକ୍ଟୋବର ୨୧ ଯାଏଁ ରିମାଣ୍ଡରେ ନେଇ ଚାଲିଛି ପଚରାଉଚରା । ତୃତୀୟ ଅଭିଯୁକ୍ତ ଧର୍ମରାଜ କଶ୍ୟପ ନିଜକୁ ନାବାଳକ ଦର୍ଶାଇଥିବା ବେଳେ ଓସିଫିକେସନ୍ ଟେଷ୍ଟରେ ସେ ସାବାଳକ ବୋଲି ପ୍ରମାଣିତ ହୋଇଛି। ସେପଟେ ଅନ୍ୟ ଅଭିଯୁକ୍ତ ଶିବ କୁମାର ଓ ମହମ୍ମଦ ଜିଶାନ ଅଖତାରଙ୍କୁ ଖୋଜୁଛି ପୋଲିସ।