କ୍ୱାଲିଟି ଟେଷ୍ଟ, ଫେଲ୍‌ ମାରିଲା ଭିଟାମିନ୍‌ D3 ମସେତ ୪୯ ଔଷଧ

ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ ମଧ୍ୟ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି।

କ୍ୱାଲିଟି ଟେଷ୍ଟ, ଫେଲ୍‌ ମାରିଲା ଭିଟାମିନ୍‌ D3 ମସେତ ୪୯ ଔଷଧ

ଭିଟାମିନ୍‌ D3 ଖାଉଥିଲେ ସାବଧାନ। କ୍ୱାଲିଟି ଟେଷ୍ଟରେ ଫେଲ୍‌ ମାରିଛି ଏହି ମେଡିସିନ୍‌। କେବଳ ଭିଟାମିନ୍‌ D3 ନୁହେଁ କ୍ୟାଲସିୟମ ୫୦୦, କଫ୍‌ସିରପ, ମଲ୍ଟିଭିଟାମିନ୍‌, ଆଣ୍ଟି ଆଲର୍ଜି ସମେତ ୪୯ଟି ଔଷଧ କ୍ୱାଲିଟି ଟେଷ୍ଟରେ ବିଫଳ ହୋଇଛି। କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ଜାରି କରିଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି।

ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ ମଧ୍ୟ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି। ଏଥିସହିତ ପାରାସିଟାମୋଲ କ୍ରମାଗତ ଦ୍ୱିତୀୟ ମାସର କ୍ୱାଲିଟି ଟେଷ୍ଟରେ ମଧ୍ୟ ପାସ୍‌ କରିପାରି ନାହିଁ।

CDSCO ଜାରି କରିଥିବା ସେପ୍ଟେମ୍ବରର ତାଲିକାରେ ଓମାରିନ୍ ଡି କ୍ୟାପସୁଲ୍, ନିମୁସୁଲାଇଡ୍ + ପାରାସିଟାମଲ୍, କ୍ୟାଲସିୟମ୍ ୫୦୦ ଭିଟାମିନ୍ D3, ପାଣ୍ଟୋପ୍ରାଜୋଲ୍, ପାରାସିଟାମୋଲ୍ ପେଡିଆଟ୍ରିକ୍ ଓରାଲ୍ ସସପେନ୍ସନ୍, ଏସିକ୍କ୍ଲୋଫେନାକ୍, ସେଟ୍ରିଜିନ୍‌ ସିରପ୍ ଇତ୍ୟାଦି ଔଷଧ ସାମିଲ ଅଛି। ଲୋକମାନେ ସାଧାରଣତ ଗ୍ୟାଷ୍ଟ୍ରିକ୍, ଜ୍ୱର, କାଶ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଓଷଧ ବ୍ୟବହାର କରନ୍ତି। ଏହି ତାଲିକାରେ ସମୁଦାୟ ୪୯ଟି ଔଷଧ ଅଛି ଯାହା ଗୁଣାତ୍ମକ ଯାଞ୍ଚରେ ବିଫଳ ହୋଇଛି।

ଗୁଣାତ୍ମକ ଅଭାବ' ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଔଷଧ ଭିତରେ ଆଲ୍କେମ୍ ହେଲଥ୍ ସାଇନ୍ସ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ, କାମିଲା ଫାର୍ମାସ୍ୟୁଟିକାଲ୍ସ, ଇନୋଭା କ୍ୟାପଟେନ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଏବଂ ଇପ୍‌କା ଲାବୋରେଟୋରୀ ପରି କମ୍ପାନୀର ଔଷଧ ରହିଛି।

ରିପୋର୍ଟ ଅନୁଯାୟୀ, ୪ଟି ନକଲି ମେଡିସିନ୍‌ ମଧ୍ୟ ଧରାପଡିଛି। ଏହି ମେଡିସିନ୍‌ଗୁଡିକୁ ଅନ୍ୟ ଏକ କମ୍ପାନୀ ଦ୍ୱାରା ଏକ ବଡ଼ କମ୍ପାନୀ ନାମରେ ପ୍ରସ୍ତୁତ କରାଯାଇ ବଜାରକୁ ପଠାଯାଇଥିଲା। ଏହି ଔଷଧଗୁଡ଼ିକରେ ଡୁଟାଷ୍ଟେରାଇଡ୍ / ଟାମସୁଲୋସିନ୍, କ୍ୟାଲସିୟମ୍ 500, ଭିଟାମିନ୍ D3, ପ୍ୟାଣ୍ଟୋପ୍ରାଜୋଲ୍ ଏବଂ ନଡ୍ରୋଲୋନ୍ ସାମିଲ ଅଛି।

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ରାଜୀବ ସିଂହ ରଘୁବଂଶୀ କହିଛନ୍ତି ଯେ, 'ସ୍ୱଳ୍ପ ପ୍ରଭାବଶାଳୀ ଔଷଧର ପ୍ରତିଶତ କମ୍‌ କରିବା ପାଇଁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯାଏ। ସିଡିଏସ୍‌ସିଓ ଦ୍ୱାରା ଔଷଧ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ମନିଟରିଂ ଦ୍ବାରା ଏହି ସବୁ ନକଲି ଔଷଧର ପ୍ରଭାବ ବଜାରରୁ ହ୍ରାସ ପାଇଥାଏ।

କହିରଖୁ ଯେ, କେନ୍ଦ୍ରୀୟ ଡ୍ରଗ୍ ମାନକ ରକ୍ଷଣାବେକ୍ଷଣ ସଂଗଠନ ପ୍ରତ୍ୟେକ ମାସ ବଜାରରୁ ଔଷଧର ନମୁନା ସଂଗ୍ରହ କରି ବିଭିନ୍ନ ପାରାମିଟରରେ ପରୀକ୍ଷା କରିଥାଏ। ଯାହା ପରେ ପ୍ରତି ମାସରେ ଗୁଣାତ୍ମକ ପରୀକ୍ଷା ରିପୋର୍ଟ ପ୍ରକାଶ ପାଏ। ଅଗଷ୍ଟ ମାସରେ ୫୩ଟି ମେଡିସିଲ୍ କ୍ବାଲିଟି ଟେଷ୍ଟରେ ଫେଲ୍ ମାରିଥିଲା ।