ଖରା ବେଳେ ମଦ ପିବାକୁ ଯାଇଥିଲେ! ସନ୍ଧ୍ୟାରେ ମିଳିଲା ମୃତଦେହ

ଟିକେଶ୍ୱର ମଦ୍ୟପାନ କରିବା ପାଇଁ ଦେଶୀ ମଦ ଦୋକାନକୁ ଯାଇଥିଲେ। ସନ୍ଧ୍ୟା ସମୟରେ ରକ୍ତାତ ଅବସ୍ଥାରେ ତାଙ୍କର ମୃଦେହ ପଡ଼ିଥିବା ପରିବାର ଲୋକ ଖବର ପାଇଥିଲେ।

ଖରା ବେଳେ ମଦ ପିବାକୁ ଯାଇଥିଲେ! ସନ୍ଧ୍ୟାରେ ମିଳିଲା ମୃତଦେହ

କ୍ଷତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ନଳବନ୍ଧ ଗ୍ରାମରେ। ମୃତକଙ୍କ ନାଁ ହେଉଛି ଟିକେଶ୍ୱର ନାୟକ (୩୨)। ତାଙ୍କ ଘର ହେଉଛି ବିଛାଖଣି ଗାଁରେ ବୋଲି ଜଣାପଡ଼ିଛି।

ଟିକେଶ୍ୱର ଗୁରୁବାର (ଗତକାଲି) ଦିନ ୨ଟା ବେଳେ ମଦ୍ୟପାନ କରିବା ପାଇଁ ଦେଶୀ ମଦ ଦୋକାନକୁ ଯାଇଥିଲେ। ସନ୍ଧ୍ୟା ସମୟରେ ରକ୍ତାତ ଅବସ୍ଥାରେ ତାଙ୍କର ମୃଦେହ ପଡ଼ିଥିବା ପରିବାର ଲୋକ ଖବର ପାଇଥିଲେ। ତେବେ ସଙ୍ଗେସଙ୍ଗେ ସେଠାକୁ ଧାଇଁ ଯାଇଥିଲେ ପରିବାର ଲୋକ। ଘଟଣା ସ୍ଥଳରେ ପହଞ୍ଚି ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ। ଟିକେଶ୍ୱର ପିନ୍ଧିଥିବା ବସ୍ତ୍ର ଓ ଚପଲ ଏଣେତେଣେ ପଡ଼ିଥିଲା। ହତ୍ୟାପରେ ମୃତଦେହକୁ ଘୋଷାଡ଼ି ନେଇ ଦୂର ସ୍ଥାନରେ ଫିଙ୍ଗି ଦିଆଯାଇଥିଲା। ଏସମସ୍ଥ ଦୃଶ୍ୟ ଦେଖିବା ପରେ ଟିକେଶ୍ୱରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ଏହାପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି। ମଦଭାଟିରେ ପହଞ୍ଚି ଶହଶହ ମଦ ପାଉଚରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ତେବେ ବାରକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଛି। ଅନ୍ୟପଟେ ମଦ ଦୋକାନର ଦୁଇଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚାରା କରୁଛି ପୁଲିସ।

ମୃତକଙ୍କ ସ୍ତ୍ରୀ ରୋଜିରାଣୀ ନାୟକ କହିଛନ୍ତି, ସେ ଗତକାଲି ଭାଟିକୁ ମଦ ପିବାକୁ ଯାଇଥିଲେ। ସେଠାରେ ମଦ ପିବା ବେଳେ ପାଣି ମାଗିଥିଲେ। ପାଣି ନଦେବାରୁ ଗଣ୍ଡଗୋଳ ହୋଇଥିଲା। ତାଙ୍କୁ ପିଟି ପିଟି ମାରିଦେଲେ। ତାଙ୍କର ଦେହ ସାରା ରକ୍ତର ଝରୁଥିଲା। ମୋ ସ୍ୱାମୀକୁ ମାରିଦେଲେ। ମୋର ଛୋଟ ଛୁଆ ମୁଁ କ’ଣ କରିବି। ମତେ ନ୍ୟାୟ ଦିଅ।