ଖଲ୍ଲିକୋଟ ହତ୍ୟା ଘଟଣାରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପୀତାମ୍ବରଙ୍କ ଟାର୍ଗେଟ୍
ଖଲ୍ଲିକୋଟ ହିଂସା ଓ ହତ୍ୟା ଘଟଣାରେ ପୋଲିସକୁ ଟାର୍ଗେଟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ପୀତାମ୍ବର ଆଚାର୍ଯ୍ୟ ।
ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଓ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି। ପ୍ରେସମିଟରେ ପୋଲିସ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ। ଅଭିଯୋଗ କରିଛନ୍ତି, ବରିଷ୍ଠ ପୋଲିସ ଅଧିକାରୀ ଏପରିକି ଡିଜି, ଆଇଜି ଓ ଏସପି ରାଙ୍କର ଅଧିକାରୀ ସରକାରଙ୍କ ଏଜେଣ୍ଟ ସାଜିଛନ୍ତି। ହାତବାରିସୀ ହୋଇଛନ୍ତି।
ପୀତାମ୍ବର ଆଚାର୍ଯ୍ୟ ପରୋକ୍ଷରେ ଚେତେଇ ଦେଇଛନ୍ତି, ଓଡ଼ିଶାରେ ବିଜେପି ସରକାର ଆସିବ। ଆନ୍ଧ୍ରପ୍ରଦେଶ ପୋଲିସ ଡିଜିଙ୍କ ଅବସ୍ଥା ଯାହା ହେଲା ଏଠି ଅବସ୍ଥା ତାହା ହେବ। ଶାସକ ଦଳର ଏଜେଣ୍ଟ ଯିଏ ସାଜିଥଲେ ତାଙ୍କୁ ଖଲ୍ଲିକୋଟ ହିଂସା ଓ ହତ୍ୟାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାରେ ରାଜ୍ୟ ସରକାର ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ବୋଲି ପୀତାମ୍ବର କହିଛନ୍ତି।
ସେପଟେ ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି, ଖଲ୍ଲିକୋଟ ହିଂସାକାଣ୍ଡ ମାମଲାରେ ଏଯାଏ ୧୧ ଜଣଙ୍କୁ ଗିରଫ କରାଯାଇଛି। ଏସଆଇଟି ସବୁ ଦିଗରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି।
ତେବେ ନିର୍ବାଚନୀ ହିଂସାର ହବ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ଏଥର ଖଲ୍ଲିକୋଟ କାଣ୍ଡକୁ ନେଇ ହଇଚଇ । ବିଜେପି କର୍ମୀଙ୍କୁ ହତ୍ୟାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ନା ପହଞ୍ଚି ପାରିଲା ପୋଲିସ, ନା ଶୋକସନ୍ତପ୍ତ ପରିବାରକୁ ଦେଇଛି ନ୍ୟାୟ । ଏସବୁ ଭିତରେ SIT ଖଲ୍ଲିକୋଟରେ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ତେବେ ଶାସକ ଦଳର ଛତ୍ରଛାୟାରେ ସଂଘଟିତ ଅପରାଧ ପଛର ଅଭିଯୁକ୍ତ ମାନଙ୍କୁ ବାନ୍ଧିପାରିବ ତ ପୋଲିସ ? ସେନେଇ ନାନା ପ୍ରଶ୍ନ ଉଠିବା ସହ ତେଜିଛି ରାଜନୈତିକ ବୟାନବାଜି ।