ଖସିଯାଉଛନ୍ତି ଯନ୍ତ୍ରୀ
ଶିକ୍ଷାର ଆଦ୍ୟପୀଠ ସ୍କୁଲ । ପିଲାଙ୍କ ଶିକ୍ଷା, ଆଚରଣ ଓ ସମୟାନୁବର୍ତ୍ତିତାର ମୂଳଦୁଆ ଏହିଠାରୁ ପଡ଼ିଥାଏ। ମାତାପିତା ସେମାନଙ୍କ ପିଲାମାନଙ୍କୁ ପଠାଉଥିବା ସ୍କୁଲ ସବୁ ଦିଗରୁ ସୁରକ୍ଷିତ ଥିବା ଆଶା ରଖିଥାଆନ୍ତି । ହେଲେ ଅନେକ ସମୟରେ ସ୍କୁଲରେ ପିଲାଙ୍କୁ ଦଣ୍ଡ ଦିଆଯିବା, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦୁର୍ବ୍ୟବହାର ଦେଖିବାକୁ ମିଳୁଛି, ଯାହା ବହୁ ସମୟରେ ଅପ୍ରୀତିକର ସ୍ଥିତି ସୃଷ୍ଟି କରୁଛି। ଏସବୁଠାରୁ ବଳି ଯାଉଛି ଯେତେବେଳେ ସ୍ଥାନୀୟ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପିଲାମାନଙ୍କ […] The post ଖସିଯାଉଛନ୍ତି ଯନ୍ତ୍ରୀ appeared first on Dharitri Odia News.
ଶିକ୍ଷାର ଆଦ୍ୟପୀଠ ସ୍କୁଲ । ପିଲାଙ୍କ ଶିକ୍ଷା, ଆଚରଣ ଓ ସମୟାନୁବର୍ତ୍ତିତାର ମୂଳଦୁଆ ଏହିଠାରୁ ପଡ଼ିଥାଏ। ମାତାପିତା ସେମାନଙ୍କ ପିଲାମାନଙ୍କୁ ପଠାଉଥିବା ସ୍କୁଲ ସବୁ ଦିଗରୁ ସୁରକ୍ଷିତ ଥିବା ଆଶା ରଖିଥାଆନ୍ତି । ହେଲେ ଅନେକ ସମୟରେ ସ୍କୁଲରେ ପିଲାଙ୍କୁ ଦଣ୍ଡ ଦିଆଯିବା, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦୁର୍ବ୍ୟବହାର ଦେଖିବାକୁ ମିଳୁଛି, ଯାହା ବହୁ ସମୟରେ ଅପ୍ରୀତିକର ସ୍ଥିତି ସୃଷ୍ଟି କରୁଛି। ଏସବୁଠାରୁ ବଳି ଯାଉଛି ଯେତେବେଳେ ସ୍ଥାନୀୟ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପିଲାମାନଙ୍କ ଜୀବନ ଯାଉଛି। ଉଦାହରଣ ଗୋଟାଇଲେ ଅନେକ ମିଳିବ। ଜୁଲାଇ ୨୫ ତାରିଖରେ ରାଜସ୍ଥାନ ଝାଲଓ୍ବାର ଜିଲା ପିପ୍ଲୋଦି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଭୁଶୁଡ଼ି ୭ ଜଣ ଛାତ୍ରଙ୍କ ମୃତ୍ୟୁ ହେବା ସହ ୨୮ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହାର ୩ଦିନ ପରେ ଅର୍ଥାତ୍ ଜୁଲାଇ ୨୮ରେ ସେହି ରାଜ୍ୟର ଜୈସଲମେର ଜିଲାରେ ଏକ ସ୍କୁଲ ଗେଟ୍ରୁ ସ୍ଲାବ ଖସି ଜଣେ ଛାତ୍ରଙ୍କର ଜୀବନ ଯାଇଛି। ଏହା ବ୍ୟତୀତ ଜୁଲାଇ ୨୬ରେ ଉତ୍ତରପ୍ରଦେଶ ହାପୁର ଜିଲାର ଏକ ସରକାରୀ ପ୍ରାଥମିକ ସ୍କୁଲ ଛାତର କିଛି ଅଂଶ ଖସିପଡ଼ିବାରୁ ୪ ଜଣ ଛାତ୍ର ଆହତ ହୋଇଛନ୍ତି। ଅନ୍ୟ ରାଜ୍ୟର ଏହି ୩ଟି ଘଟଣା ସହ ଓଡ଼ିଶାରେ ଜୁଲାଇ ୨୮ରେ କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ୍ର ନାଡ଼ାପାଟାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘରର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ସ୍କୁଲର ୭୭ ଜଣ ପିଲା ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛନ୍ତି। ତେବେ ଏହା ପୂର୍ବରୁ ଜୁନ୍ରେ କେନ୍ଦୁଝରର ଦେଓଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତରୁ ଏକ ଅଂଶ ଖସିପଡ଼ି ଜଣେ ଛାତ୍ର ଆହତ ହୋଇଥିଲେ ଏବଂ ମାର୍ଚ୍ଚରେ ଗଞ୍ଜାମ ବେଗୁନିଆପଡ଼ା ବ୍ଲକର ହରିହର ମର୍ଦ୍ଦରାଜ ହାଇସ୍କୁଲର ଏକ ଶିଡ଼ି ଓ ଛାତ ଭୁଶୁଡ଼ିବା ଖବର ସାମ୍ନାକୁ ଆସିଥିଲା, ଯେଉଁଥିରେ କେହି ମୃତାହତ ହୋଇ ନ ଥିଲେ। ଏସବୁ ଘଟଣା ସୂଚିତ କରୁଛି ଯେ, ପିଲାଙ୍କ ସୁରକ୍ଷା ପ୍ରତି କାହାର ଦୃଷ୍ଟି ନାହିଁ। ଯେଉଁ ଛାତ ତଳେ ପିଲା ପଢୁଛନ୍ତି ତାହା ସୁରକ୍ଷିତ କି ନୁହେଁ, ତାହାର ନିୟମିତ ଯାଞ୍ଚ ପ୍ରାୟ ହୁଏ ନାହିଁ। କେଉଁ ଠିକାଦାର କେବେ ଏହାକୁ କରିଥିଲେ, ମାନ କେମିତି ଥିଲା ଓ ତାହା କେତେଦିନ ସୁରକ୍ଷିତ ଭାବେ ରହିପାରିବ, ସେସବୁର କୌଣସି ବିବରଣୀ ସ୍କୁଲ କାନ୍ଥରେ କିମ୍ବା କାଗଜପତ୍ରରେ ଉଲ୍ଲେଖ ନ ଥାଏ। ବେଶି ଗୁରୁତ୍ୱ ରଖେ ସେହି ସ୍କୁଲକୁ ଶିଳାନ୍ୟାସ ଓ ଉଦ୍ଘାଟନ ବେଳେ ପଥର ଉପରେ ମନ୍ତ୍ରୀ, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ନାମ ଉଲ୍ଲେଖ କରିବା । କିନ୍ତୁ କୌଣସି ଜାଗାରେ କାର୍ଯ୍ୟ କରିଥିବା ଠିକାଦାରଙ୍କ ନାମ ଏବଂ ତାଙ୍କ ସମ୍ପର୍କରେ ତଥ୍ୟ ରଖାଯାଏ ନାହିଁ, ଯେଉଁଥିପାଇଁ ସେହି ବ୍ୟକ୍ତି ବିଶେଷ ନିରାପତ୍ତାରେ ଖସି ଯାଇଥାନ୍ତି। ଠିକାଦାରଙ୍କ ସହ ସମ୍ପୃକ୍ତ ସରକାରୀ ବିଭାଗ ଯଥା ବ୍ଲକ, ପୂର୍ତ୍ତ ବିଭାଗର କେଉଁ କନିଷ୍ଠ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସେହି ପ୍ରକଳ୍ପକୁ ନିର୍ମାଣ କଲେ ସେମାନଙ୍କର ନାମ ଏବଂ ତଥ୍ୟ ଉଲ୍ଲେଖ କରାଯାଉ ନ ଥିବାରୁ ମୁଖ୍ୟ ଦୋଷୀମାନେ ସଦାସର୍ବଦା ସୁରୁଖୁରୁରେ ଖସିଯିବାର ଉଦାହରଣ ବାରମ୍ବାର ଦେଖିବାକୁ ମିଳୁଛି। ଠିକାଦାର ଓ୍ବାର୍କଅର୍ଡର ପାଇବା ପରେ ‘ର, ଠ’ କାମ କରିଦେଇ ଚାଲିଯାଆନ୍ତି। ବ୍ଲକ ଏବଂ ପୂର୍ତ୍ତ ବିଭାଗ ତଦାରଖରେ ହେଉଥିବା ପ୍ରାୟତଃ ସବୁ କାମର ଗୁଣବତ୍ତା ଉପରେ ନଜର ରଖାଯାଏ ନାହିଁ। ଉଦାହରଣ ସ୍ବୂରୂପ, ୧୦ କିମ୍ବା ୧୫ ବର୍ଷ ତଳେ ନିର୍ମିତ ସ୍କୁଲ କୋଠା ଛାତରୁ ପାଣି ଗଳିବା ସହ କାନ୍ଥରୁ ପ୍ଲାଷ୍ଟର ଖସିପଡ଼ୁଥିବା ଖବର ବହୁ ସମୟରେ ସାମ୍ନାକୁ ଆସୁଛି । ଏହା ନିଶ୍ଚିତକରି କୁହାଯାଇପାରେ ଯେ, ସମାନ ସମୟରେ ଆରମ୍ଭ ହୋଇଥିବା ବ୍ୟକ୍ତିଗତ କୋଠାଗୁଡ଼ିକରୁ ରଙ୍ଗ ଛାଡ଼ି ନ ଥାଏ। ଏଥିରୁ ବୁଝିବା କଷ୍ଟକର ନୁହେଁ ଯେ, ସର୍ବସାଧାରଣ କାମଗୁଡ଼ିକୁ ସର୍ବଦା ଅଣଦେଖା କରାଯାଇଆସୁଛି।
ଏଭଳି ସ୍ଥଳେ ମନେ ପକାଯାଇପାରେ ଯେ, ଏବେ ମଧ୍ୟ ଆମ ରାଜ୍ୟରେ ବହୁ ସ୍କୁଲ ଓ କଲେଜ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିବା ସତ୍ତ୍ୱେ ବଡ଼ ଅଘଟଣ ଘଟିଥିବା ନଜରକୁ ଆସେ ନାହିଁ। କାରଣ ସେତେବେଳେ ତିଆରି କରାଯାଇଥିବା କୋଠା ବା ଭିତ୍ତିଭୂମିର ସମୟସୀମା ପ୍ରାୟତଃ ଉଲ୍ଲେଖ କରାଯାଉଥିଲା। ସେହି ଅନୁଯାୟୀ ଯାହାର ସ୍ଥାୟିତ୍ୱ ମିଆଦି ସରିଯିବାକୁ ବସୁଥିଲା ସେତେବେଳେ ସେଗୁଡ଼ିକୁ ଅସୁରକ୍ଷିତ ଭାବେ ଘୋଷଣା କରାଯାଉଥିଲା। ଗୋଟେ ଅନୁମାନ ଲଗାଇଲେ ପାଖାପାଖି ୧୦୦ ବର୍ଷ ଯାଏ କୋଠାଗୁଡ଼ାକ ସାମାନ୍ୟ ମରାମତି ଭିନ୍ନ ବଡ଼ କାମ ମାଗୁ ନ ଥିଲା। ହେଲେ ଏବେ ଗୋଟେ ଶତାବ୍ଦୀର ଚଉଠ ଯାଏ କୋଠା ତିଷ୍ଠିବ ବୋଲି ଜୋର ଦେଇ କହିହେଉ ନାହିଁ। ସ୍କୁଲ କଥାକୁ ଦେଖିଲେ ଯେତେବେଳେ ଛାତ ଭୁଶୁଡ଼ୁଛି କିମ୍ବା କାନ୍ଥ ଭାଙ୍ଗିପଡ଼ୁଛି ସେତେବେଳେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବେଶି ସମୟ ଲାଗୁ ନାହିଁ। କିନ୍ତୁ ଅସଲ କାର୍ପଟଦାର ଠିକାଦାର ହୁଅନ୍ତୁ କିମ୍ବା ବ୍ଲକର କନିଷ୍ଠ ଯନ୍ତ୍ରୀ ବା ସ୍ଥଳବିଶେଷରେ ଅନ୍ୟ ଅଧିକାରୀମାନେ ଆଢୁଆଳରେ ରହିଯାଉଛନ୍ତି।
The post ଖସିଯାଉଛନ୍ତି ଯନ୍ତ୍ରୀ appeared first on Dharitri Odia News.