ଖୁରାନିଆ ହେଲେ ରାଜ୍ୟ ପୋଲିସର ନୂଆ ମୁଖିଆ; ଓଡ଼ିଆ ଅସ୍ମିତାକୁ ନେଇ ପୁଣି ତେଜିଲା ରାଜନୀତି
ଯାହା ଚର୍ଚ୍ଚା ହେଉଥିଲା ସେୟା ହେଲା । ଓଡ଼ିଶା ପୋଲିସର ମଙ୍ଗ ସମ୍ଭାଳିଲେ ବରିଷ୍ଠ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ। ନୂଆ ସରକାରରେ ନୂଆ ପୋଲିସ ଡିଜି।
ରାଜ୍ୟକୁ ମିଳିଲା ନୂଆ ପୋଲିସ ମୁଖିଆ। ଯୋଗେଶ ବାହାଦୁର ଖୁରାନିଆ ହେଲେ ରାଜ୍ୟର ନୂଆ ପୂର୍ଣ୍ଣକାଳିନ ପୋଲିସ ଡିଜି । ଏନେଇ ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ଖୁରାନିଆ । ଆଉ ଏପଟେ ରାଜ୍ୟ ପୋଲିସ ମୁଖ୍ୟ ଭାବେ ଖୁରାନିଆ ଦାୟିତ୍ବ ନେଉ ନେଉ, ଓଡ଼ିଆ ଅସ୍ମିତା ଅସ୍ତ୍ରରେ ରାଜ୍ୟ ସରକାରଙ୍କୁ ହମଲା କରିଛନ୍ତି ବିରୋଧୀ। ଯାହାର ଦୃଢ଼ ଜବାବ ରଖିଛି ଶାସକ ବିଜେପି।
ଯାହା ଚର୍ଚ୍ଚା ହେଉଥିଲା ସେୟା ହେଲା । ଓଡ଼ିଶା ପୋଲିସର ମଙ୍ଗ ସମ୍ଭାଳିଲେ ବରିଷ୍ଠ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ। ନୂଆ ସରକାରରେ ନୂଆ ପୋଲିସ ଡିଜି। ଆଜି ବିଜ୍ଞପ୍ତି, ଆଜି ହିଁ ଦାୟିତ୍ବ ଗ୍ରହଣ । ଗତବର୍ଷ ଡିସେମ୍ବର ୩୧ ତାରିଖରୁ କାର୍ଯ୍ୟକାରୀ ଡିଜିପି ଥିବା ଅରୁଣ ଷଡ଼ଙ୍ଗୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର ୱାଇ.ବି. ଖୁରାନିଆ। ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ପ୍ରଥମେ ଖୁରାନିଆଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏହା ପରେ ହୋଇଥିଲା ନବ ନିଯୁକ୍ତ ଡିଜିଙ୍କ ଦାୟିତ୍ବ ହସ୍ତାନ୍ତର କାର୍ଯ୍ୟ।
ହରିୟାଣା ଜନ୍ମିତ ୱାଇ.ବି. ଖୁରାନିଆ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ। ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା ଭଳି ୫ଟି ପୋଲିସ ଜିଲ୍ଲାର ଏସପି ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ବ୍ରହ୍ମପୁର ଓ ସମ୍ବଲପୁରରେ ଡିଆଇଜି ପରେ ସେହି ସମ୍ବଲପୁରର ଏବଂ ଏସ୍ଏପିର ଆଇଜି ଭାବେ କାର୍ଯ୍ୟ ତୁଲାଇବା ସହ ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସର କମିଶନର ଭାବେ ବି କାର୍ଯ୍ୟ କରିଛନ୍ତି।
ଏଥିସହ ଆଇଜି ଅପରେସନ୍, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ସହ ଭିଜିଲାନ୍ସର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ୨୦୧୮ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇ ବିଏସ୍ଏଫ୍ ସ୍ପେଶାଲ ଡିଜି ଦାୟିତ୍ବ ବି ତୁଲାଇଛନ୍ତି ଖୁରାନିଆ। କହିବାକୁ ଗଲେ ତାଙ୍କ ପାଖରେ ରହିଛି ଓଡ଼ିଶା ପୋଲିସର ସବୁ ସ୍ତରରେ ସଫଳତାର ସହ ବିଭିନ୍ନ ଦାୟିତ୍ବ ତୁଲାଇବାର ରହିଛି ଲମ୍ବା ଅଭିଜ୍ଞତା।
ଏପଟେ ନୂଆ ସରକାର ଦ୍ବାରା ନିଯୁକ୍ତ ପ୍ରଥମ ପୂର୍ଣ୍ଣକାଳୀନ ଡିଜି ଭାବେ ଖୁରାନିଆଙ୍କ ସାମ୍ନାରେ ରହିବ ଅନେକ ଚ୍ୟାଲେଞ୍ଜ୍। ସେଭିତରୁ ପୂର୍ବ ସରକାର ସମୟରେ ରାଜନୈତିକ ହାତବାରିସୀ ସାଜିବା ନେଇ ଲାଗିଥିବା ଅପବାଦର କାଳିମା ହଟାଇ ଓଡ଼ିଶା ପୋଲିସର ଛବି ସୁଧାରିବା, ମହିଳା ଓ ଶିଶୁ ବିରୋଧୀ ହିଂସା, ସାଇବର ଓ ଅର୍ଥନୈତିକ ଅପରାଧ, ବାଂଲାଦେଶୀ ଅନୁପ୍ରବେଶ ଭଳି ସମସ୍ୟାର ମୁକାବିଲା। କେବଳ ସେତିକି ନୁହେଁ ତତ୍କାଳୀନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ହେଉ କି ମମିତା ମେହେର ଅବା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା। ଏସବୁ ଫାଇଲ୍ ରି ଓପନ୍ ହେବା ନେଇ ଆଇନମନ୍ତ୍ରୀଙ୍କ ବୟାନ ପରେ ଦକ୍ଷତାର ସହ ଏ ଦିଗରେ ଆଗକୁ ବଢ଼ିବା ବି ଖୁରାନିଆଙ୍କ ପାଇଁ ବଡ଼ ଆହ୍ବାନ।
ସେହିପରି ନୂଆ ସରକାରର ଭାବମୂର୍ତ୍ତିକୁ ବଜାୟ ରଖିବା ସହ ଓଡ଼ିଆ-ଅଣ ଓଡ଼ିଶା ଅଫିସର ଭାବନାକୁ କବର ଦେଇ ବୃତ୍ତିଗତ ଭାବେ ଓଡ଼ିଶା ପୋଲିସର ସ୍ତରକୁ ଉଚ୍ଚକୁ ନେବା ଦିଗରେ ନୂଆ ଡିଜିପି କି ପଦକ୍ଷେପ ନେବେ ତା ଉପରେ ବି ନଜର ରହିବ। ହେଲେ ଏପଟେ କିନ୍ତୁ ନୂଆ ଡିଜିପି ଭାବେ ଖୁରାନିଆ ଦାୟିତ୍ବ ନେଉ ନେଉ ଅଣ-ଓଡ଼ିଆ ଡିଜିପି ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ତେଜିଲାଣି ରାଜନୈତିକ ବୟାନ ବାଜି।ବିରୋଧୀ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିବା ବେଳେ ଜବାବରେ ବିଜେପି କହିଛି ପୋଲିସ ଓ ପ୍ରଶାସନିକ ସେବା କ୍ଷେତ୍ରରେ ଦକ୍ଷତା ଓ କ୍ୟାଡର ଅନୁଯାୟୀ ନିଯୁକ୍ତି ହୋଇଥାଏ। ୨୦୨୬ ମାର୍ଚ୍ଚ ମାସ ଯାଏଁ ରାଜ୍ୟ ଡିଜିପି ପଦରେ ରହିବେ ୱାଇ.ବି.ଖୁରାନିଆ।.
#ଖୁରାନିଆ_ହେଲେ_ରାଜ୍ୟ_ପୋଲିସର_ନୂଆ_ମୁଖିଆ
ରାଜ୍ୟକୁ ମିଳିଲା ନୂଆ ପୋଲିସ ମୁଖିଆ। ଯୋଗେଶ ବାହାଦୁର ଖୁରାନିଆ ହେଲେ ରାଜ୍ୟର ନୂଆ ପୂର୍ଣ୍ଣକାଳିନ ପୋଲିସ ଡିଜି। #DGP #OdishaPolice #YBKhurania #Odisha #OTV pic.twitter.com/LsHImyvwOi — ଓଟିଭି (@otvkhabar) August 16, 2024