ଖେଳୁଥିବା ବେଳେ ଫୁଟିଲା ବୋମା, ଜଣେ ମୃତ

ପଡିଆରେ କିଛି ପିଲା ପାଖରେ ପଡିଥିବା ବୋମାଟିକୁ ବଲ୍‌ ଭାବି ଖେଳୁଥିଲେ। ଏତିକି ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ଖେଳୁଥିବା ବେଳେ ଫୁଟିଲା ବୋମା, ଜଣେ ମୃତ

ପଡିଆରେ ପିଲାମାନେ ଖେଳୁଥିବା ବେଳେ ଫୁଟିଲା ବୋମା। ହଠାତ୍‌ ହେଲା ବିସ୍ଫୋରଣ। ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା।

ରିପୋର୍ଟ ମୁତାବକ, ସୋମବାର ହୁଗୁଳି ପଣ୍ଡୁଆ ନେତାଜୀ କଲୋନୀ ସ୍ଥିତ ପୋଖରୀ ପାଖରେ ଥିବା ଏକ ପଡିଆରେ କିଛି ପିଲା ପାଖରେ ପଡିଥିବା ବୋମାଟିକୁ ବଲ୍‌ ଭାବି ଖେଳୁଥିଲେ। ଏତିକି ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗରୁତର ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତକ ହେଲେ ୭ ବର୍ଷୀୟ ରାଜ୍‌ ବିଶ୍ୱାସ। ଅନ୍ୟ ଦୁଇ ଗୁରୁତର ରୂପମ୍‌ ବଲ୍ଲଭ ଓ ସୌରଭ ଚୌଧୁରୀ। ଏମାନଙ୍କ ବୟସ ୧୧ ଓ ୧୩ ବର୍ଷ ବୋଲି ଜଣାପଡିଛି। ଆହତଙ୍କ ମଧ୍ୟରୁ ଜଣଙ୍କ ହାତ ଛିଣ୍ଡି ଯାଇଥିବା କୁହାଯାଉଛି। ଉଭୟଙ୍କୁ ଞ୍ଚୁଚୁରା ଇମାମବାଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜଣେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସେ ପ୍ରତିଦିନ ଭଳି ଆଜି ମଧ୍ୟ ଉକ୍ତ ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲେ। ଏତିକି ବେଳେ ବିସ୍ଫୋରଣ ଶବ୍ଦ ଶୁଣିଥିଲେ। ତେବେ ଉକ୍ତ ସ୍ଥାନକୁ ବୋମା କିଭଳି ଆସିଲା? କିଏ ସେଠାରେ ରଖିଥିଲା ଏନେଇ କୌଣସି ସୂଚନା ମିଳିନାହିଁ। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।