ଖୋର୍ଦ୍ଧା ରୋଡ୍ ଠାରେ ୧୯୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ରେଳ ଫ୍ଲାଏଓଭର
ପୂର୍ବତଟ ରେଳପଥ ଦ୍ୱାରା ଖୋର୍ଦ୍ଧା ରୋଡ ଷ୍ଟେସନଠାରେ ଫ୍ଲାଏଓଭର ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି।
ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଟ୍ରେନ ଚଳାଚଳ ଓ ଯାତାୟତକୁ ଦୃଷ୍ଟିରେ ରଖି ୧୯୧.୮୭ କୋଟି ଟଙ୍କା ବ୍ୟୟରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ରେଳବାଇର ଏନର୍ଜି କରିଡର ଯୋଜନା ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି।
ସୂଚନା ଅନୁସାରେ, ପୂର୍ବତଟ ରେଳପଥ ଦ୍ୱାରା ଖୋର୍ଦ୍ଧା ରୋଡ ଷ୍ଟେସନଠାରେ ଫ୍ଲାଏଓଭର ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ପୁରୀରୁ ଭୁବନେଶ୍ୱର ଯାତାୟତ କରୁଥିବା ଟ୍ରେନଗୁଡ଼ିକକୁ ଡାଉନଲାଇନକୁ ସ୍ୱତନ୍ତ୍ର ଭାବେ ସଂଯୋଗ କରିବା ପାଇଁ ଏହି ଫ୍ଲାଏଓଭର କାର୍ଯ୍ୟ କରିବ ତଥା ଟ୍ରେନ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଜଣାପଡ଼ିଛି। ଉପଲବ୍ଧ ରେଳ ଜମି ମଧ୍ୟରେ କିମ୍ବା ଜମି ଅଧିଗ୍ରହଣର ଆବଶ୍ୟକତାକୁ କମ୍ କରାଇ ୭.୪୧ କିମି ଲମ୍ବ ଫ୍ଲାଏଓଭର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସୂଚନାଯୋଗ୍ୟ, ଏବେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯେକୌଣସି ଟ୍ରେନ ଖୋର୍ଦ୍ଧା ରୋଡ ଜଙ୍କସନ ଷ୍ଟେସନରେ କ୍ରସିଂ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଏହି ସୀମିତ ବ୍ୟବସ୍ଥା ଯୋଗୁ ଖୋର୍ଦ୍ଧା ରୋଡଠାରୁ ପଲାସା ଓ ପୁରୀରୁ ଭୁବନେଶ୍ୱର ଆଡ଼କୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥାଏ।