ଖୋଲା ବଜାରରେ ଚଢ଼ା ଦର, ନିଅଣ୍ଟ ପଡୁଛି ଅଣ୍ଡା
ସରକାରଙ୍କ ପୁଷ୍ଟିକର ଯୋଜନାର ଉଡୁଛି ଧଜିଆ। ପ୍ରସୂତୀଙ୍କଠୁ କୋମଳମତି ଶିଶୁଙ୍କ ଯାଏ, କେହି ବି ପାଉନାହାନ୍ତି ନିୟମ ମୁତାବକ ଅଣ୍ଡା। ଖୋଲା ବଜାରରେ ଅଣ୍ଡା ଦର ବୃଦ୍ଧି କାରଣରୁ ସରକାର ଦେଉଥିବା ଟଙ୍କାରେ ଅଣ୍ଡା ଯୋଗାଇ ଦେବା ସମ୍ଭବ ହେଉନି।
ଅଣ୍ଡା ଦରରେ ଲାଗିଛି ନିଆଁ। ପ୍ରଭାବିତ ଅଙ୍ଗନବାଡି କେନ୍ଦ୍ର। ମଧ୍ୟାହ୍ନ ଭୋଜନର ଥାଳିରେ ବି ଅଣ୍ଡା ଖେଳୁଛି ଲୁଚକାଳି। ସରକାର ଅଣ୍ଡା ପ୍ରତି ୫ ଟଙ୍କା ଦେଉଛନ୍ତି, କିନ୍ତୁ
ପ୍ରକୃତ ପକ୍ଷେ ଅଣ୍ଡା ଦର ଏବେ କିନ୍ତୁ ୭ ଟଙ୍କା। ରାଜ୍ୟର ଆଉ କିଛି ସ୍ଥାନରେ ତ ଅଣ୍ଡା ଦର ୮ ରୁ ୯ଟଙ୍କାରେ ପହଞ୍ଚିଲାଣି। ମାନେ ସରକାର ଦେଉଥିବା ଟଙ୍କା ଓ ବଜାର ଦର ଭିତରେ ପାଖାପାଖି ୩ଟଙ୍କା ଫରକ। ଏକଥା ସରକାର ବି ଜାଣିଛନ୍ତି। ହେଲେ ପୁଷ୍ଟିକର ଖାଦ୍ୟ ଯୋଜନା ପାଇଁ ଯେମିତି ଚାହିଁ ଜଳକା ଖେଳ ଖେଳୁଛନ୍ତି। ଏଭଳିସ୍ଥଳେ ଅଙ୍ଗନବାଡି କର୍ମୀ ବି ନାଚାର। କେତେବେଳେ ବାଁ ଡାହାଣ କରି ତ ଆଉ କେତେବେଳେ ପିଲାଙ୍କ ସଂଖ୍ୟାକୁ ବଢାଇ ଅଣ୍ଡା ଦେବାକୁ ବାଧ୍ୟ ହେଉଛନ୍ତି। ପ୍ରସୂତୀଙ୍କୁ ମାସକୁ ୧୨ ଟି ଅଣ୍ଡା ଦେବା ଲାଗି ନିୟମ ରହିଛି। କିନ୍ତୁ ଦିଆଯାଉଛି ମାତ୍ର ୧୦ଟି। ସେହିପରି ସପ୍ତାହକୁ ୫ ଦିନ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ
ବ୍ୟବସ୍ଥା ଥିଲେ ବି ଏହା ସବୁବେଳେ ସମ୍ଭବ ହେଉନି। ଅପରପକ୍ଷେ ସ୍ବଳ୍ପ ବେତନରେ ଅଙ୍ଗନବାଡି କର୍ମୀ ଓ ସ୍କୁଲ୍ କର୍ତ୍ତୃପକ୍ଷ ନିଜ ହାତରୁ ପଇସା ଦେଇ ପିଲାଙ୍କ ପାଇଁ ଅଣ୍ଡା କିଣୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସାରା ରାଜ୍ୟରେ ଏପରି ସ୍ଥିତି।