ଖୋଲା ବଜାରରେ ମିଳୁଛି ଆର୍ମି ୟୁନିଫର୍ମ କପଡ଼ା; ଦୋକାନୀ ଗିରଫ
ବ୍ରହ୍ମପୁରର ଏକ ଷ୍ଟୋରରେ ଆର୍ମିର ନୂଆ ୟୁନିଫର୍ମର କପଡା ଖୁଲମଖୁଲା ବିକ୍ରି ହେଉଛି। ଏହି ଦୋକାନ ଉପରେ ମିଳିତ ରେଡ କରାଯାଇ ୪୮୮ ମିଟର କପଡ଼ା ଜବତ ହୋଇଛି।
ଖୋଲା ବଜାରରେ ମିଳୁଛି ଭାରତୀୟ ସେନାର ୟୁନିଫର୍ମ କପଡା। ଯିଏ ଯେତେ ଇଚ୍ଛା କରିବ, ତାହାକୁ କିଣି ପାରିବ। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ହୋଇଥିବା ବେଳେ ଏହାକୁ ବିକ୍ରି କରୁଥିବା ଦୋକାନୀଙ୍କୁ ମାଡ଼ି ବସିଛି ପୁଲିସ୍।
ଏପରି ଏକ ଘଟଣା ବ୍ରହ୍ମପୁରରେ ଦେଖିବାକୁ ମିଳିଛି। ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରୀ ଗୁଇନ୍ଦା ସଂସ୍ଥା ଏହି ଦୋକାନ ଉପରେ ମିଳିତ ରେଡ କରି ୪୮୮ ମିଟର କପଡ଼ା ଜବତ କରିଛନ୍ତି।
ଜାନୁୟାରୀରୁ ଆର୍ମି ପକ୍ଷରୁ କେବଳ କିଛି ନିର୍ଦ୍ଦିଷ୍ଟ ଆର୍ମି କ୍ୟାଣ୍ଟିନରେ ୟୁନିଫର୍ମ କପଡା ଉପଲବ୍ଧ ହେଉଛି। ବାହାରେ ଏହାର ବିକ୍ରି ନିଷିଦ୍ଧ ରହିଛି। ଏହାସତ୍ତ୍ୱେ ବ୍ରହ୍ମପୁରର ଏକ ଷ୍ଟୋରରେ ଆର୍ମିର ନୂଆ ୟୁନିଫର୍ମ କପଡା ଖୁଲମଖୁଲା ବିକ୍ରି ହେଉଛି।
ଗୋଳାବନ୍ଧ ଆର୍ମି କଲେଜର ଜଣେ ବ୍ୟକ୍ତି ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହ ଏନେଇ ସେ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ବ୍ରହ୍ମପୁର ଟାଉନ ଥାନା ପୁଲିସ ଓ ମିଲିଟାରି ଗୁଇନ୍ଦା ସଂସ୍ଥା ପକ୍ଷରୁ ଉକ୍ତ ଦୋକାନରେ ମିଳିତ ଚଢ଼ାଉ କରାଯାଇ ୪୮୮ ମିଟର କପଡ଼ା ଜବତ କରାଯାଇଛି।
ଏନେଇ ଦୋକାନୀଙ୍କୁ ପଚରାଯିବାରୁ ଏହି କପଡ଼ା ବାହାରେ ବିକ୍ରି ନିଷେଧ ବୋଲି ସେ ଜାଣି ନ ଥିବା କହିଛନ୍ତି। ସେ ଏହାକୁ କଲିକତାରୁ ଆଣିଥିବା ବେଳେ ଲୁଧିଆନାରେ ତାହା ତିଆରି ହେଉଥିବା କହିଛନ୍ତି।
ବ୍ରହ୍ମପୁର ଏସପି ଶ୍ରବଣା ବିବେକ କହିଛନ୍ତି, ତଦନ୍ତରୁ ଜଣାପଡ଼ିଛି ଏହି ଦୋକାନୀଜଣକ କୋଲକତାରୁ ଏହି କପଡ଼ା ଆଣିଛନ୍ତି। ଲୁଧିଆନାରେ ତାହା ତିଆରି ହୋଇ କୋଲକତାରେ ପହଞ୍ଚୁଥିବା ଜଣାଯାଇଛି। ମାତ୍ର ସେଠାରେ କିଏ ଏହାକୁ ଡିଜାଇନ କରୁଛନ୍ତି, ଏଥିପାଇଁ କିଏ ଲାଇସେନ୍ସ ଦେଲା ତାହାର ତଦନ୍ତ ହେଉଛି। ଆଉ କେଉଁ କେଉଁ ଜାଗାରେ ଏହି କପଡା ବିକ୍ରି ହେଉଛି ତାହାର ବି ତଦନ୍ତ ଆରମ୍ଭ ହୋଇଛି।
ଏହି କପଡ଼ା ବାହାରେ ବିକ୍ରି ହେବା ସେନା ପାଇଁ ତଥା ଦେଶର ସୁରକ୍ଷା ପ୍ରତି ବିପଦ। କାରଣ ଏହି କପଡ଼ା ନିର୍ମିତ ଡ୍ରେସ ପିନ୍ଧି ଜଣେ ନିର୍ବିଘ୍ନରେ ଆର୍ମି କ୍ୟାମ୍ପରେ ପ୍ରବେଶ କରି ଅପରାଧିକ କାର୍ଯ୍ୟକଳାପ ଘଟାଇ ପାରିବ ।