ଗଛକୁ ପିଟି ଦେଲା କାର୍‌; ୩ ମୃତ

ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା ବିଶାଖାପାଟଣା ସ୍ଥାନାନ୍ତର ବେଳେ।

ଗଛକୁ ପିଟି ଦେଲା କାର୍‌; ୩ ମୃତ

ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଡାଇନିଗୁଡ଼ା ନିକଟରେ ଏକ କାର ଗଛରେ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଦୁଇ ସଂପର୍କୀୟ ଭାଇ ଅଛନ୍ତି। 

ମୃତକମାନେ ହେଉଛନ୍ତି- ଝରିଗାଁ ସିରାଗୁଡ଼ା ସାହିର ଚମ୍ପକ ଲାଲ ଜୈନଙ୍କ ପୁଅ ସାଗର ଜୈନ (୨୧), ସ୍ୱର୍ଗତ ମହାବୀର ଜୈନଙ୍କ ପୁଅ ଅଙ୍କୁର ଜୈନ (୩୦) ଓ ମନମୋହନ ଜୈନଙ୍କ ପୁଅ କ୍ରିସ ଜୈନ(୧୮)। ସାଗର ଓ ଅଙ୍କୁର ସଂପର୍କୀୟ ଭାଇ ଥିଲେ।

ଗତକାଲି ରାତିରେ ଏହି ତିନି ଜଣ OD02 AE 8073 ନମ୍ବର ବିଶିଷ୍ଟ ଏକ କାରରେ ଫୁପୁଗାଁ ରାସ୍ତାରେ ଯାଉଥିଲେ। ତେବେ ଡାଇନିଗୁଡ଼ା ଗ୍ରାମ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୁଇଟି ଗଛରେ ପିଟି ହୋଇଥିଲା।

କାରଟି ଏତେ ଜୋରରେ ଗଛ ଦୁଇଟିରେ ପିଟି ହୋଇଥିଲା ଯେ ଘଟଣାସ୍ଥଳରେ ସାଗର ଜୈନ ଓ ଅଙ୍କୁର ଜୈନଙ୍କ ମୃତ୍ୟୁ ଘଟିଥିଲା। କ୍ରିସ ଜୈନଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ମେଡିକାଲ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରୁ ତାଙ୍କୁ ବିଶାଖାପାଟଣା ନିଆଯାଉଥିବା ବେଳେ ସାଲୁର ଘାଟି ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ସାଗର ଓ ଅଙ୍କୁରଙ୍କୁ ମୃତ ଘୋଷଣା କରାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହଗୁଡ଼ିକୁ ହସ୍ତାନ୍ତର କରାଯାଇଛି।