ଗପସପ ହେଉଥିଲେ, ଭୁଶୁଡ଼ି ପଡ଼ିଲା ପାଚେରୀ; ୪ ମୃତ, ଜଣେ ଗୁରୁତର

୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଗପସପ ହେଉଥିଲେ, ଭୁଶୁଡ଼ି ପଡ଼ିଲା ପାଚେରୀ; ୪ ମୃତ, ଜଣେ ଗୁରୁତର

ହରିୟାଣାର ଗୁରୁଗ୍ରାମର ଅର୍ଜୁନ ନଗରରେ ଏକ ଶ୍ମଶାନର ପାଚେରୀର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି।

ମୃତକମାନେ ହେଉଛନ୍ତି- ଦେବୀ ଦୟାଲ (୭୦), ମନୋଜ ଗାବା (୫୨), କୃଷ୍ଣ କୁମାର (୫୨) ଓ ତାନ୍ୟା (୧୧)। ଆହତଙ୍କ ନାଁ ଦୀପା ପ୍ରଧାନ। ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ଜନବସତି ପାଖରେ ଥିବା ଏହି ଶଶ୍ମାନର ପାଚେରୀ ପାଖରେ ଚୌକିରେ ବସି କିଛି ଲୋକ ଗପସପ ହେଉଛନ୍ତି। ଜଣେ ବ୍ୟକ୍ତି ଛିଡ଼ା ହୋଇ ସେମାନଙ୍କ ସହିତ ଗପସପ କରୁଛନ୍ତି। ସେତିକି ବେଳେ ହଠାତ୍ ପାଚେରୀଟି ଭୁଶୁଡ଼ି ପଡ଼ିଛି। ତିନି ଜଣ ବ୍ୟକ୍ତି ପାଚେରୀ ତଳେ ପୂରା ଚାପି ହୋଇଯାଇଥିବା ସିସିଟିଭିରୁ ସ୍ପଷ୍ଟ ଜଣାପଡ଼ୁଛି। 

ପାଚେରୀ ଭୁଶୁଡ଼ି ପଡ଼ିବା ପରେ ତା’ ତଳେ ୪ ଜଣ ଲୋକ ଓ ୨ ଜଣ ଶିଶୁ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ହିଁ ତିନି ଜଣ ବ୍ୟକ୍ତି ଓ ଜଣେ ନାବାଳିକା ପ୍ରାଣ ହରାଇଥିଲେ। ଉଦ୍ଧାର ହେବା ପୂର୍ବରୁ ସେମାନଙ୍କ ମୃତ୍ୟୁ ଘଟି ସାରିଥିଲା। ଅନ୍ୟ ଜଣେ ଶିଶୁ ଓ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ଶିଶୁ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। 

ପାଚେରୀଟି କାହିଁକି ଭୁଶୁଡ଼ିଲା ସେ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।