ଢେଙ୍କାନାଳ,୧୨ା୧ (ରତନ ନାୟାର):ଆମେ ଗର୍ବ ନ ଆଣି ମନରେ କୃତଜ୍ଞତା ଆଣିବା ଉଚିତ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ଢେଙ୍କାନାଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବଜରଙ୍ଗ କ୍ଲବର ବାର୍ଷିକ ଉତ୍ସବ ‘ଆଗ୍ନେୟ-୨୦୨୫’ର ଦ୍ୱିତୀୟ ସନ୍ଧ୍ୟା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତଥାଗତ କହିଛନ୍ତି, ଆମେ କାହିଁକି ଗର୍ବିତ ହେଉ। ପ୍ରକୃତରେ କିଏ ଗର୍ବିତ ହୋଇପାରେ। ସିଆଚେନ୍ରେ ସୁରକ୍ଷା ଦେଉଥିବା ସୈନିକଟିଏ ଯୁଦ୍ଧ ହେଉ ନ ଥିବା ସମୟରେ ଶୀତ କାକରରେ ରହୁଥିବାବେଳେ ଚାଷ କରୁଥିବା ଚାଷୀ ସାମାଜିକ ସ୍ତରରେ ସବୁଠୁ ତଳେ ରହିଛି ା ଚାଖଣ୍ଡେ ପେଟ ଯଦି କିଏ ପୂରାଇଥାଏ, ସେ ହେଉଛି ଚାଷୀ। ତେଣୁ ଆମେ ଗୌରବାନ୍ବିତ ନ ହୋଇ ଏ ମାଟି ପାଇଁ କୃତଜ୍ଞ ହେବା ଦରକାର ବୋଲି ସେ କହିଛନ୍ତି।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବଜରଙ୍ଗ କ୍ଲବ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଥାଏ। ଏହା ଏକ ରାଜନୈତିକ ଦଳର ଅନୁଷ୍ଠାନ ନୁହେଁ। ଏହା ସାମାଜିକ ଅନୁଷ୍ଠାନ, ଯିଏକି ସମସ୍ତଙ୍କର ସୁଖଦୁଃଖର ସାଥୀ ବୋଲି ସାମଲ କହିଛନ୍ତି। ଅନ୍ୟତମ ସମ୍ମାନିତ ଅତିଥି ଜିଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ କହିଛନ୍ତି, ସୁସ୍ଥ ସମାଜରେ ଯୁବକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଜରଙ୍ଗ କ୍ଲବର ଆଗ୍ନେୟ ଉତ୍ସବ ଢେଙ୍କାନାଳର ଯୁବପିଢ଼ିଙ୍କୁ ଉତ୍ସାହିତ କରିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଆମେରିକାରେ ବସବାସ କରୁଥିବା କଳିଙ୍ଗ ହସ୍ପିଟାଲ ଲିମିଟେଡ୍ର ଅଧ୍ୟକ୍ଷ ଡା. ସୀତାକାନ୍ତ ଦାଶଙ୍କୁ ବଜରଙ୍ଗ ସେବା ସମ୍ମାନରେ ସମ୍ମାନିତ କରାଯାଇଛି। ସୀତାକାନ୍ତଙ୍କ ସହିତ ତାଙ୍କ ସ୍ତ୍ରୀ କଳ୍ପନା ଦାଶ ମଧ୍ୟ ଉପସ୍ଥିତ ଥିଲେ। ସୀତାକାନ୍ତ କହିଛନ୍ତି, ସେ ପ୍ରବାସୀ ହେଲେ ମଧ୍ୟ ଜଣେ ଓଡ଼ିଆ ଭାବେ ନିଜକୁ ଗର୍ବ କରନ୍ତି। ଆମର ଶିକ୍ଷା, ସଂସ୍କୃତି, ଐତିହ୍ୟ ମହାନ୍ ବୋଲି ସେ ମତ ଦେଇଛନ୍ତି। ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ସନ୍ଦୀପ ଷଡ଼ଙ୍ଗୀ ସ୍ବାଗତ ଭାଷଣ ଏବଂ ସଭାପତି ମାନସ ରାଉତ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି।
The post ଗର୍ବ ନ ଆଣି ମନରେ କୃତଜ୍ଞତା ଆଣନ୍ତୁ : ତଥାଗତ appeared first on Dharitri Odia News.