ଗର୍ଭବତୀ, ସ୍କୁଲ ପିଲାଙ୍କ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ

ଭୁବନେଶ୍ୱର,୧୨ା୧୧(ଅନିଲ ଦାସ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ ୨ ଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ନେଇ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରୁ ଯୋଗଦେଇଥିବା ଅଂଶଗ୍ରହଣକାରୀ ମତ ଦେଇଛନ୍ତି। ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ […] The post ଗର୍ଭବତୀ, ସ୍କୁଲ ପିଲାଙ୍କ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ appeared first on Dharitri Odia News.

ଗର୍ଭବତୀ, ସ୍କୁଲ ପିଲାଙ୍କ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ

ଭୁବନେଶ୍ୱର,୧୨ା୧୧(ଅନିଲ ଦାସ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ ୨ ଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ନେଇ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରୁ ଯୋଗଦେଇଥିବା ଅଂଶଗ୍ରହଣକାରୀ ମତ ଦେଇଛନ୍ତି।

ଉଦ୍‌ଯାପନୀ ସମାରୋହରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, ଜଳବାୟୁ ସହନଶୀଳ ଓ ପାରମ୍ପରିକ ଖାଦ୍ୟକୁ ପୁନରୁଦ୍ଧାର କରିବା ଦିଗରେ ପ୍ରୟାସ ଜାରି ରହିବ। ଶ୍ରୀଅନ୍ନକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓଡ଼ିଶାରେ ଏହି ଖାଦ୍ୟର ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି, ଶ୍ରୀ ଅନ୍ନ ଆମ ପାଇଁ ଖାଦ୍ୟର ଉତ୍ସ ହେବା ସହ ଏହା ଆମର ଐତିହ୍ୟ ଓ ଭବିଷ୍ୟତ ଅଟେ। ଏହାକୁ ପୁନରୁଦ୍ଧାର କରିବା ନିମନ୍ତେ ସମସ୍ତଙ୍କ ଖାଦ୍ୟ ଥାଳିରେ ସାମିଲ କରିବାକୁ ହେବ। ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ଏବଂ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଖାଦ୍ୟରେ ମାଣ୍ଡିଆ ଦିଆଯିବା ପାଇଁ ସରକାର ଯୋଜନା କରୁଛନ୍ତି। ଯେତେବେଳେ ମା’ମାନେ ଶ୍ରୀ ଅନ୍ନକୁ ଆପଣାଇବେ, ସେତେବେଳେ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆହୁରି ଉନ୍ନତି ହେବ। ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀ ୩୦ ଜିଲାର ୧୭୭ଟି ବ୍ଲକ୍‌ରେ ମିଲେଟ୍‌ର ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି ଏବଂ ମିଶନ ଶକ୍ତି ଦ୍ୱାରା ପରିଚାଳିତ ୨୬୩ଟି ମିଲେଟ୍‌ ଟିଫିନ୍‌ ସେଣ୍ଟର ରାଜ୍ୟରେ ରହିଥିବା ବେଳେ ୩୩ଟି ମିଲେଟ୍‌ କାଫେ ଖୋଲାଯାଇଛି ବୋଲି ସେ କହିଛନ୍ତି।

ସମ୍ମିଳନୀରେ ଅନ୍ୟତମ ଅତିଥିଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଷ୍ଟ୍ର ନିର୍ଦ୍ଦେଶିକା ଏଲିଜାବେଥ ଫୌର, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଭାତ କୁମାର ରାଉଳ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ପ୍ରମୁଖ ଯୋଗଦେଇଥିଲେ। ୨ୟ ଦିବସରେ ବିସ୍ମୃତ ଖାଦ୍ୟଶସ୍ୟର ଜୈବିକ ଚାଷ ପଦ୍ଧତି ସମ୍ପର୍କରେ ଜନଜାତି ସମ୍ପ୍ରଦାୟଙ୍କ ଅଭିଜ୍ଞତା, ଅବହେଳିତ ଫସଲକୁ ବ୍ୟାପକ କରିବା ଏବଂ ବିସ୍ମୃତ ଖାଦ୍ୟଶସ୍ୟର ବିହନ ଉତ୍ପାଦନକୁ ପ୍ରୋତ୍ସାହନ ଦେବା, ସହାୟକ ଗୋଷ୍ଠୀ/ ଉଦ୍ୟୋଗୀଙ୍କ ଦ୍ୱାରା ଅବହେଳିତ ଖାଦ୍ୟଶସ୍ୟ ଓ ବିସ୍ମୃତ ଖାଦ୍ୟର ବ୍ୟବସାୟୀକରଣ ଏବଂ ଉଦ୍ୟୋଗୀକରଣ, ପୁଷ୍ଟିଶସ୍ୟ ସେବା କେନ୍ଦ୍ରର ସ୍ଥାୟିତ୍ୱ ପାଇଁ ଦୀର୍ଘମିଆଦୀ ଆଭିମୁଖ୍ୟ, ଖାଦ୍ୟ ସଂସ୍କୃତିର ବିସ୍ମୃତ ଖାଦ୍ୟଶସ୍ୟ ଓ ସମ୍ପ୍ରଦାୟର ଯୋଗଦାନ ଭଳି ୫ଟି ବିଷୟବସ୍ତୁକୁ ଅଧିବେଶନରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ‘ବିସ୍ମୃତ ଖାଦ୍ୟର ମହକ – ଓଡ଼ିଶାର ଖାଦ୍ୟ ସମ୍ଭାର’ ଶୀର୍ଷକ ରନ୍ଧନ ପୁସ୍ତକ, ପୁଷ୍ଟିଶସ୍ୟଭିତ୍ତିକ ଆମ ଅନ୍ନ ପୁସ୍ତକ ଓ ଅମଳ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନାର ସଂକଳନ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ପୁଷ୍ଟିଶସ୍ୟ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଭିନ୍ନ ସଙ୍ଗଠନ ଓ ସ୍ବୟଂ ସହାୟକ ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା।

The post ଗର୍ଭବତୀ, ସ୍କୁଲ ପିଲାଙ୍କ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ appeared first on Dharitri Odia News.