ଗହଣା ଦୋକାନରେ କଳାକନା ବୁଲାଇଲେ, ଯିବା ବେଳେ ମାଲିକଙ୍କୁ ଗୁଳିକରି ମାରିଦେଲେ

ଆକ୍ରମଣ ଓ ଲୁଟ୍ ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି।

ଗହଣା ଦୋକାନରେ କଳାକନା ବୁଲାଇଲେ, ଯିବା ବେଳେ ମାଲିକଙ୍କୁ ଗୁଳିକରି ମାରିଦେଲେ

ରାଜସ୍ଥାନର ଏକ ଗହଣା ଦୋକାନରେ ପଶି ଉନ୍ମକ୍ତ କାଣ୍ଡ ଭିଆଇଛନ୍ତି କିଛି ଦୁର୍ବୃତ୍ତ। ଦୋକାନର ମାଲିକଙ୍କୁ ଗୁଳିକରି ହତ୍ୟା କରିବା ସହ ସମସ୍ତ ଅଳଙ୍କାର ଲୁଟି ନେଇଛନ୍ତି। ଆକ୍ରମଣ ଓ ଲୁଟ୍ ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ରାଜସ୍ଥାନ ଭିୱାଦିରେ ଥିବା କମଳେଶ ଗହଣା ଦୋକାନରେ ଘଟିଛି ଏହି ଘଟଣା।

ପୁଲିସର ସୂଚନାନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ କିଛି ଦୁର୍ବୃତ୍ତ ଦୋକାନକୁ ଧସେଇ ପଶିଥିଲେ। ପ୍ରଥମେ ଦୋକାନ ଆଗରେ ଥିବା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପରେ ଦୋକାନରେ ଥିବା କର୍ମଚାରୀଙ୍କୁ ମାଡ ମାରିଥିଲେ। ଏହି ସମୟରେ ଦୋକାନରେ ମାଲିକ ଜୟ ସିଂହ ସୋନି ମଧ୍ୟ ଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ବାଡିରେ ଆକ୍ରମଣ କରିଥିଲେ।

ଏହାପରେ ଦୋକାନରେ ଥିବା ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ଏତିକିରେ ମନ ବୁଝିନଥିଲା ଯେ ଯିବା ସମୟରେ ମାଲିକ ଜୟ ସିଂହ, ତାଙ୍କ ଭାଇ ସାଗର ସୋନି ଏବଂ ସୁରକ୍ଷାକର୍ମୀଙ୍କୁ ଗୁଳି କରିଥିଲେ।

ଏଥିରେ ଜୟ ସିଂହଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୋକାନ ବାହାରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପୂରା ଘଟଣାର ଭିଡିଓ ଶୁଟ୍ କରିଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। 

ପୁଲିସ ହାତରେ ଭିଡିଓ ଲାଗିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେହି ଗିରଫ ହୋଇନାହାନ୍ତି। ରାଜସ୍ଥାନ ପୁଲିସ ସିସିଟିଭି ଫୁଟେଜ୍ ଏବଂ ହରିୟାଣା ପୁଲିସ ସହାୟତାରେ ତଦନ୍ତ କରୁଛି।