ଗାଁର ୯୦ ପ୍ରତିଶତ ଲୋକ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ କ’ଣ ରହିଛି….

ଉଦଳା,୨ା୯(ସନ୍ତୋଷ କୁମାର ବାଚ୍ଛିନୀ): ଜଣା ପଡ଼ୁନାହିଁ କାରଣ, ହେଲେ କାୟା ବିସ୍ତାର କରିଚାଲିିଛି କିଡ୍‌ନୀଜନିତ ରୋଗ। ଏହି ରୋଗର ଭୟାବହତା ଭିତରେ ପୂରା ଗ୍ରାମ ଶଙ୍କାଗ୍ରସ୍ତ। କିଏ ଖଟିଆ ଉପରେ ଶୋଇ ରହିଛି ତ ଆଉ କିଏ ହାତରେ ଆଶାବାଡ଼ି ଧରି ଚାଲୁଛି। କାହାର ଶରୀର କ୍ଷୀଣ ଅବସ୍ଥାରେ ଅଛି ତ ପୁଣି କିଏ ଯୁବାବସ୍ଥାରେ ବି ଶଯ୍ୟାଶାୟୀ। ଗାଁକୁ ପଶିଲେ ପ୍ରତି ଘରେ ପ୍ରାୟ ଏପରି ଚିତ୍ର ଦେଖିବାକୁ ମିଳିବ। ମୟୂରଭଞ୍ଜ ଜିଲା ଉଦଳା ବ୍ଲକ […] The post ଗାଁର ୯୦ ପ୍ରତିଶତ ଲୋକ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ କ’ଣ ରହିଛି…. appeared first on Dharitri Odia News.

ଗାଁର ୯୦ ପ୍ରତିଶତ ଲୋକ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ କ’ଣ ରହିଛି….

ଉଦଳା,୨ା୯(ସନ୍ତୋଷ କୁମାର ବାଚ୍ଛିନୀ): ଜଣା ପଡ଼ୁନାହିଁ କାରଣ, ହେଲେ କାୟା ବିସ୍ତାର କରିଚାଲିିଛି କିଡ୍‌ନୀଜନିତ ରୋଗ। ଏହି ରୋଗର ଭୟାବହତା ଭିତରେ ପୂରା ଗ୍ରାମ ଶଙ୍କାଗ୍ରସ୍ତ। କିଏ ଖଟିଆ ଉପରେ ଶୋଇ ରହିଛି ତ ଆଉ କିଏ ହାତରେ ଆଶାବାଡ଼ି ଧରି ଚାଲୁଛି। କାହାର ଶରୀର କ୍ଷୀଣ ଅବସ୍ଥାରେ ଅଛି ତ ପୁଣି କିଏ ଯୁବାବସ୍ଥାରେ ବି ଶଯ୍ୟାଶାୟୀ। ଗାଁକୁ ପଶିଲେ ପ୍ରତି ଘରେ ପ୍ରାୟ ଏପରି ଚିତ୍ର ଦେଖିବାକୁ ମିଳିବ। ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଗାଁରେ ୪୦ରୁ ଅଧିକ ପରିବାର ବସବାସ କରନ୍ତି। ସେଥିମଧ୍ୟରୁ ୯୦ ପ୍ରତିଶତ ପରିବାରର ସଦସ୍ୟମାନେ ଏବେ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ। କିଏ ୪ ମାସ ହେଲା ତ ପୁଣି କିଏ ବର୍ଷେ ହେଲା, ଆଉ କେତେଜଣ ବର୍ଷ ବର୍ଷ ଧରି ଏହି ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ ହୋଇଯାଇଛନ୍ତି। ସବୁକିଛି ଠିକ୍‌ଠାକ୍‌ ଥିବାବେଳେ ହଠାତ୍‌ ଶରୀର ଅସୁସ୍ଥ ହୋଇପଡୁଛି। ତା’ ପରେ ପରୀକ୍ଷା କରିବାରୁ ରୋଗ ସମ୍ପର୍କରେ ଜଣାପଡ଼ୁଛି। ଏହି ରୋଗରେ ଆକ୍ରାନ୍ତ ଗ୍ରାମର କେତେଜଣ ଯୁବକଙ୍କ ଅଳ୍ପ ବୟସରେ ମୃତ୍ୟୁ ମଧ୍ୟ ହୋଇଛି। ଆକ୍ରାନ୍ତମାନେ ଡାକ୍ତରଖାନାକୁ ଯାଇ ଔଷଧ ଆଣୁଥିବା ବେଳେ ଅନେକ ଔଷଧ ବାହାରୁ କିଣିବାକୁ ପଡୁଛି। ଅଧିକ ଅର୍ଥ ଦେଇ ଔଷଧ କିଣିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରୁ ନ ଥିବାରୁ ଅନେକେ ଔଷଧ ଖାଇବା ବନ୍ଦ ମଧ୍ୟ କରିଦେଇଛନ୍ତି।
ଏହି ଗ୍ରାମକୁ କୌଣସି ସରକାରୀ ଅଧିକାରୀ କିମ୍ବା ମେଡିକାଲ ଟିମ୍‌ ଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାଁ ଭାଁ କେତେବେଳେ କେମିତି ଆଶାକର୍ମୀ ସେମାନଙ୍କ ପାଖକୁ ଆସି ବୁଲି ଯାଉଥିବା କଥା କହିଛନ୍ତି ଗ୍ରାମବାସୀ। ତେବେ କିଡ୍‌ନୀଜନିତ ରୋଗର କାରଣ ଅଦ୍ୟାବଧି ଜଣାପଡ଼ି ନ ଥିବାବେଳେ ଆଇରନ ଯୁକ୍ତ ପାଣି ଯୋଗୁ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି। ପରିତାପର ବିଷୟ ଦୀର୍ଘବର୍ଷ ହେବ ଗ୍ରାମବାସୀ କିଡ୍‌ନୀଜନିତ ରୋଗ କବଳରେ କଲବଲ ହେଉଥିଲେ ସୁଦ୍ଧା ଏଥିପ୍ରତି କାହାର ନଜର ନାହିଁ।
ଏ ସମ୍ପର୍କରେ କପ୍ତିପଦା ଉପଖଣ୍ଡ ଚିକିତ୍ସା ଅଧିକାରୀ ଲକ୍ଷ୍ମୀକାନ୍ତ ପତିଙ୍କୁ ପଚାରିବାରୁ ସେ ଘଟଣାକୁ ଗୁରୁତର ସହିତ ଗ୍ରହଣ କରିଛନ୍ତି। ଖୁବ୍‌ଶୀଘ୍ର ତଦନ୍ତ ହେବ, ରୋଗର କାରଣ ଖୋଜାଯିବ ଓ ଆକ୍ରାନ୍ତମାନଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ତେବେ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

The post ଗାଁର ୯୦ ପ୍ରତିଶତ ଲୋକ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ କ’ଣ ରହିଛି…. appeared first on Dharitri Odia News.