ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା ବୌଦ୍ଧ ଜିଲା ଆଡେନିଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲାବୋରେଟୋରି ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ, ଆଉ ମା’ ଥିଲେ ଜଣେ ଗୃହିଣୀ। ଯୌଥ ପରିବାରର ବଡ ପୁଅ ହିସାବରେ ବାପା ସବୁବେଳେ ତାଙ୍କ ୫ଭାଇ ଓ ୬ଭଉଣୀଙ୍କୁ ମଣିଷ କରିବା ଭିତରେ ନିଜକୁ କେବେ ବି ପ୍ରାଥମିକତା ଦେଉ ନ ଥିଲେ। […] The post ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି appeared first on Dharitri Odia News.

ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା ବୌଦ୍ଧ ଜିଲା ଆଡେନିଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲାବୋରେଟୋରି ଟେକ୍ନିସିଆନ ଭାବେ କାର୍ଯ୍ୟରତ ଥିଲେ, ଆଉ ମା’ ଥିଲେ ଜଣେ ଗୃହିଣୀ। ଯୌଥ ପରିବାରର ବଡ ପୁଅ ହିସାବରେ ବାପା ସବୁବେଳେ ତାଙ୍କ ୫ଭାଇ ଓ ୬ଭଉଣୀଙ୍କୁ ମଣିଷ କରିବା ଭିତରେ ନିଜକୁ କେବେ ବି ପ୍ରାଥମିକତା ଦେଉ ନ ଥିଲେ। କିନ୍ତୁ ବୋଉ, ବାପାଙ୍କର ସେହି ସ୍ବଳ୍ପ ଦରମା ଆଉ ଜଞ୍ଜାଳ ପରିବାର ଭିତରେ ବି ଆମ ଦୁଇ ଭାଇଙ୍କୁ ବଡ ମଣିଷ କରିବାର ସ୍ବପ୍ନ ଦେଖୁଥିଲେ। ବୋଉ ବାପା ମୋତେ ଭଲ ଡାକ୍ତରଟିଏ ହେବାପାଇଁ ଛୋଟବେଳୁ ପ୍ରୋତ୍ସାହିତ କରି ଆସୁଥିଲେ। ବାପାଙ୍କ ଚାକିରି ସ୍ଥାନ ଆଡେନିଗଡଠାରେ ଥିଲା। ତେଣୁ ସେଠାରୁ ପ୍ରାଥମିକ ଶିକ୍ଷା ଓ ପରେ ଦଶପଲ୍ଲା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ଭୁବନେଶ୍ୱରରେ ଯୁକ୍ତ୨ ବିଜ୍ଞାନ ପଢିଥିଲି। ହେଲେ ସେତେବେଳେ ଡାକ୍ତରୀ ପାଠ ଅପେକ୍ଷା ଇଞ୍ଜିନିୟରିଂ ପଢିବାକୁ ମୋ ମନରେ ଅଧିକ ଆଗ୍ରହ ଆସିବାରୁ ଏଆଇଇଇଇ ପ୍ରବେଶିକା ପରୀକ୍ଷା ଦେଇ ସେଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ଏନ୍‌ଆଇଟି ରାଉରକେଲାରେ କମ୍ପ୍ୟୁଟର ସାଇନ୍ସ ପଢିବା ପାଇଁ ମନୋନୀତ ହୋଇଥିଲି। କିନ୍ତୁ ହଠାତ୍‌ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୦୦୯ରେ ବାପାଙ୍କର ଅକାଳ ବିୟୋଗ ହୋଇଯିବାରୁ ତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ ଡାକ୍ତର ହେବା ପାଇଁ ପୁଣି ପଢାପଢି ଆରମ୍ଭ କଲି। ୨୦୧୦ରେ ମେଡିକାଲ ଏଣ୍ଟ୍ରାନ୍ସ ପାସ୍‌ କରି ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ, ବୁର୍ଲାରେ ପଢିଲି। ସେଠାରୁ ଏମ୍‌ବିବିଏସ୍‌ ପାଠ ଶେଷ କରି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ୨୦୧୬ରୁ ଫୁଲବାଣୀର ଗୁମାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଅଛି। ମୋ ବଡ଼ ଭାଇ ମଧ୍ୟ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱରରେ ଏଏସ୍‌ଓ ଭାବେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅଛନ୍ତି। ତେବେ ଯେଉଁଦିନ ମୁଁ ମୋ ପ୍ରଥମ ଦରମା ପାଇଥିଲି, ଗାଁରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି; ଯେଉଁଥିରେ ଆଖପାଖ ଅନେକ ଗାଁର ଲୋକେ ଆସି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣା ଔଷଧ ନେଇଥିଲେ। ମାନବ ସେବାକୁ ହିଁ ମାଧବ ସେବା ଭାବି ସେବେଠାରୁ ପ୍ରତିବର୍ଷ ବାପାଙ୍କ ଶ୍ରାଦ୍ଧ ଦିବସରେ ଏହି ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଆସୁଛି। ଡାକ୍ତରୀ ମୋ ପେସା ହୋଇଥିଲେ ହେଁ ଗୀତ ଗାଇବା, ଅଭିନୟ କରିବା ଓ କ୍ରିକେଟ ଖେଳିବା ହେଉଛି ମୋ ନିଶା, ଆଉ ରୋଗୀ ସେବା ମୋର ବୃତ୍ତି ଆଉ ପ୍ରବୃତ୍ତି। ଆଗକୁ ଜଣେ ହୃଦ୍‌ରୋଗ ବିଶେଷଜ୍ଞ ହୋଇ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ଅଭିଳାଷ ରଖିଛି। ଆଉ ସେହି ଲକ୍ଷ୍ୟ ପଥରେ ପହଞ୍ଚତ୍ବାକୁ ଭଗବାନ ମୋର ପଥ ଉନ୍ମୁକ୍ତ କରନ୍ତୁ ବୋଲି କାମନା କରୁଛି।

The post ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି appeared first on Dharitri Odia News.