ଗାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇ ପଛରେ କାହାର ହାତ? ସରକାର ଓ ପୁଲିସ ଏତେ ଅସହାୟ କାହିଁକି………
ନୂୂଆଦିଲ୍ଳୀ : ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା, ଏନ୍ସିପି ନେତା ବାବା ସିଦ୍ଦିକ୍ ହତ୍ୟା ପରେ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ । ପୁଣି କାନାଡାରେ ବିଚ୍ଛିନ୍ନତାବାଦୀ ଖାଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ସନ୍ଦିଗ୍ଧ ଭୂମିକା। ଏହି ସବୁ ମାମଲାରେ ଜଣେ ଗ୍ୟାଙ୍ଗଷ୍ଟରର ଭୂମିକା। ଏହି ଗ୍ୟାଙ୍ଗଷ୍ଟର ଜଣକ ହେଉଛି ଲରେନ୍ସ ବିଷ୍ଣୋଇ। ଦୁର୍ଦାନ୍ତ ଲରେନ୍ସ ଯୋଗୁଁ ଦେଶ ଭିତରେ ଯେତେ ଅଶାନ୍ତି ସୃଷ୍ଟି ହେଲାଣି, ତାଠାରୁ ଅଧିକ କ୍ଷତି ପହଞ୍ଚାଇଲାଣି […]

ନୂୂଆଦିଲ୍ଳୀ : ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା, ଏନ୍ସିପି ନେତା ବାବା ସିଦ୍ଦିକ୍ ହତ୍ୟା ପରେ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ । ପୁଣି କାନାଡାରେ ବିଚ୍ଛିନ୍ନତାବାଦୀ ଖାଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ସନ୍ଦିଗ୍ଧ ଭୂମିକା। ଏହି ସବୁ ମାମଲାରେ ଜଣେ ଗ୍ୟାଙ୍ଗଷ୍ଟରର ଭୂମିକା। ଏହି ଗ୍ୟାଙ୍ଗଷ୍ଟର ଜଣକ ହେଉଛି ଲରେନ୍ସ ବିଷ୍ଣୋଇ। ଦୁର୍ଦାନ୍ତ ଲରେନ୍ସ ଯୋଗୁଁ ଦେଶ ଭିତରେ ଯେତେ ଅଶାନ୍ତି ସୃଷ୍ଟି ହେଲାଣି, ତାଠାରୁ ଅଧିକ କ୍ଷତି ପହଞ୍ଚାଇଲାଣି ଭାରତ-କାନାଡ଼ା ସଂପର୍କକୁ ୨୦୧୫ରୁ ଜେଲ ଭିତରେ ରହିଥିବା ୩୧ ବର୍ଷୀୟ ଲରେନ୍ସ ବିରୋଧରେ ହତ୍ୟା, ବଟି ଆଦାୟ, ନିଶା ବେପାର ସମେତ ୩୦ରୁ ଅଧିକ ଆପରାଧିକ ମାମଲା ରହିଛି। ୧୦ ବର୍ଷ ଧରି ଜେଲ ଭିତରେ ରହିବା ସତ୍ତ୍ବେ ସେ ଯେଉଁ ଢଙ୍ଗରେ ତାର ଅପରାଧ ସାମ୍ରାଜ୍ୟ ଚଳାଇଛି, ତାହା ଭାରତୀୟ ପୁଲିସର ହୋସ୍ ଉଡ଼ାଇଦେଲାଣି।
ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇ ଚର୍ଚ୍ଚାରେ ଆସିଥିବା ଲରେନ୍ସ ହେଉଛି ବିଶିଷ୍ଟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ। ଏବେ ମୁମ୍ବାଇରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନ୍ସିପି ନେତା ବାବା ସିଦ୍ଦିକ୍ ହତ୍ୟାକାଣ୍ଡ ପଛରେ ଲରେନ୍ସ ଗାଙ୍ଗର ହାତ ଥିବାର ସନ୍ଦେହ କରାଯାଉଛି। ଏହି ଗ୍ୟାଙ୍ଗ୍ ବାବା ହତ୍ୟାକାଣ୍ଡ ପାଇଁ ନିଜକୁ ମଧ୍ୟ ଦାୟୀ କରିଛି। ୨୦୨୨ରେ ମୋସେୱାଲା ହତ୍ୟା ପରେ ୨୦୨୩ରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନିଜ୍ଜର ଏବଂ କରନି ସେନା ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଢି ହତ୍ୟା ଘଟଣାରେ ମଧ୍ୟ ଏହି ଗ୍ୟାଙ୍ଗ୍ର ହାତ ରହିଛି। ମୁମ୍ବାଇରେ ବାବା ସିଦ୍ଦିକ୍ ହତ୍ୟାକୁ ନେଇ ଛାନଭିନ୍ ଚାଲିଥିବା ବେଳେ କାନାଡ଼ା ସରକାର ଭାରତ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। କାନାଡା ଅଭିଯୋଗ କରିଛି ଯେ କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ମୂଳପୋଛ କରିବା ଲାଗି ଭାରତ ସରକାର ଲରେନ୍ସ ବିଷ୍ଣାଇ ଗ୍ୟାଙ୍ଗକୁ ନିୟୋଜିତ କରିଛନ୍ତି। ଭାରତ ସରକାର ଏହି ଅଭିେଯାଗକୁ ଖଣ୍ଡନ କରିଛନ୍ତି। ଭାରତ ଓ କାନାଡା ମଧ୍ୟରେ ଏହାକୁ ନେଇ ସଂପର୍କ ତିକ୍ତ ହୋଇଛି ଏବଂ ଉଭୟ ପରସ୍ପର ଦେଶର କୁଟନୀତିଜ୍ଞଙ୍କୁ ବହିଷ୍କାର କରିବା ପର୍ଯ୍ୟନ୍ତ କଥା ଗଲାଣି।
ଲରେନ୍ସ ଏବେ ଭାରତ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେଲାଣି। ଦେଶର ଉତ୍ତର ଏବଂ ପଶ୍ଚିମାଞ୍ଚଳରେ ଆତଙ୍କ ଖେଳାଇଥିବା ଏହି ଗ୍ୟାଙ୍ଗ୍ ପୁଲିସ ପ୍ରଶାସନକୁ ଚାଲେଞ୍ଜ କରି ନେତା/ଅଭିନେତାଙ୍କୁ ହତ୍ୟା କରିବା ଲାଗି ଖୋଲାଖୋଲି ଧମକ ଦେବାରେ ଲାଗିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଷ୍ଣୋଇ ଗ୍ୟାଙ୍ଗ୍ରେ ୭୦୦ ସୁଟର ଅଛନ୍ତି। ସେମାନେ ପଞ୍ଜାବ, ହରିଆଣା, ରାଜସ୍ଥାନ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସକ୍ରିୟ ଅଛନ୍ତି। ଲରେନ୍ସ ଠାରୁ ନିର୍ଦ୍ଦେଶ ପାଇବା ମାତ୍ରେ ସେମାନେ ହତ୍ୟା କରିବାକୁ ପଛାନ୍ତି ନାହିଁ। ହତ୍ୟା ପାଇଁ ସୁପାରି ନେବା ସହିତ, ସେଲିବ୍ରିଟିଙ୍କ ଠାରୁ ବଟି ଆଦାୟ, ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର କାରବାରରେ ସଂପୃକ୍ତ ରହିଛି ଏହି ଗ୍ୟାଙ୍ଗ। କାନାଡାରେ ରହି ଏଥିେରେ ସହାୟତା କରୁଛି ଅନ୍ୟତମ ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଏହି ଗ୍ୟାଙ୍ଗ୍ର ଲୋକମାନଙ୍କ ଠାରୁ ଯେଉଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଉଛି, ତାହା ପୁଲିସର ହୋସ ଉଡ଼ାଇଦେଉଛି। ଏଭଳି ଅସ୍ତ୍ରଶସ୍ତ୍ର ତାକୁ ଯୋଗାଉଛି କିଏ? ଏଥିପାଇଁ ଅର୍ଥ ଆସୁଛି କେଉଁଠୁ ? ଏହି ଗ୍ୟାଙ୍ଗର ନେଟୱର୍କ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଠାରୁ ବି ବଡ଼ ବୋଲି କୁହାଯାଉଛି।
ଛାତ୍ର ଜୀବନରୁ ହିଁ ଲରେନ୍ସର ଆଚରଣ ହିଂସ୍ର ଥିଲା। ସେ ଛାତ୍ର ରାଜନୀତିରେ ପ୍ରବେଶ କରିବା ସହିତ ଅନେକ ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟାରଙ୍କ ସହ ସଂପର୍କରେ ଆସିଥିଲା। ୨୦୧୦ରୁ ୨୦୧୨ ମଧ୍ୟରେ ତା ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଆକ୍ରମଣ ଓ ଡକାୟତି ଭଳି ଅନେକ ଅପରାଧକୁ ନେଇ ଏଫଆଇଆର ରୁଜୁ ହୋଇଥିଲା। ୨୦୧୩ରେ ସରକାରୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ସେ ଗୁଳି କରି ହତ୍ୟା କରିଥିଲା। ପୌର ନିର୍ବାଚନରେ ଜଣେ ବିରୋଧୀ ପ୍ରାର୍ଥୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। ଏହାପରେ ସେ କିଛି ଅପରାଧୀଙ୍କୁ ନେଇ ନିଜସ୍ବ ଗ୍ୟାଙ୍ଗ ଗଠନ କରିଥିଲା। ୨୦୧୪ରେ ରାଜସ୍ଥାନ ପୋଲିସ ସହିତ ଗୁଳିବିନିମୟ ପରେ ସେ ଗିରଫ ହୋଇଥିଲା। ଜେଲରେ ରହି ସେ ହତ୍ୟା ଷଡ଼ଯନ୍ତ୍ର ଆରମ୍ଭ କରିଥିଲା। ଭରତପୁର ଜେଲରେ ରହି ସେ ତାର ଅପରାଧ ସାମ୍ରାଜ୍ୟ ସଂପ୍ରସାରିତ କରିବାରେ ଲାଗିଥିଲା। ୨୦୨୧ର ତାକୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ତାର କାରବାର ଜାରି ରଖିବାରୁ ୨୦୨୩ରେ ତାକୁ ଗୁଜରାଟର ସାବରମତୀ ଜେଲକୁ ନିଆଯାଇଛି।
ତେବେ ତାକୁ ନେଇ ଯେଉଁ ସବୁଠୁ ବଡ଼ ପ୍ରଶ୍ନ ଉଠିଛି, ତାହାହେଲା ଏହି ଗାଙ୍ଗ୍ଷ୍ଟର ପଛରେ କାହାର ହାତ ରହିଛି? ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଜେଲ ଭିତରେ ଥିଲେ ମଧ୍ୟ ତାକୁ ସହାୟତା କରୁଛି କିଏ? ଜେଲ୍ ଭିତରେ ଥାଇ ନିଜର ଅପରାଧ ସାମ୍ରାଜ୍ୟ ପରିଚାଳନା କରୁଛି। ପୁଲିସ ଆଗରେ ହତ୍ୟା ପାଇଁ ଖୋଲାଖୋଲି ଧମକ ଦେଉଛି। ଗତବର୍ଷ ଗୋଟିଏ ନ୍ୟୁଜ୍ ଚାନେଲ ତାର ଦୁଇଟା ସାକ୍ଷାତକାର ପ୍ରକାଶ କରିଥିଲା। ଜେଲ ଭିତରେ ଥାଇ ସେ କିପରି ସାକ୍ଷାତକାର ଦେଲା, ତାହା ଏବେ ବି ରହସ୍ୟ ହୋଇ ରହିଛି। କାହା ଛତ୍ରଛାୟାରେ ସାମ୍ରାଜ୍ୟ ବିସ୍ତାର କରୁଛି? ସରକାର/ପୁଲିସ ପ୍ରଶାସନ ଏତେ ଅସହାୟ କାହିଁକ? ଲରେନ୍ସ ବିଷ୍ଣୋଇକୁ ନେଇ ଏବେ ଏଭଳି ମାଳମାଳ ପ୍ରଶ୍ନ।
ଜେଲ୍ ଭିତରେ ଗଣମାଧ୍ୟମକୁ ବିଷ୍ଣୋଇର ସାକ୍ଷାତକାର, ୭ ପଞ୍ଜାବ ପୁଲିସ କର୍ମୀ ନିଲମ୍ବିତ
ଚଣ୍ଡିଗଡ଼ : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଜେଲରେ ଥିବାବେଳେ ଗଣମାଧ୍ୟମକୁ ସାକ୍ଷାତକାର ଦେବା ମାମଲାରେ ପଞ୍ଜାବ ସରକାର ୭ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। କର୍ତ୍ତବ୍ୟରେ ଚରମ ଅବହେଳା ଏବଂ ଦାୟିତ୍ବହୀନତାକୁ ନେଇ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଉପ ଅଧୀକ୍ଷକ ପଦବୀର ଅଧିକାରୀ ରହିଛନ୍ତି। ଜେଲ ଭିତରେ ଥିବା ବେଳେ ବିଷ୍ଣୋଇକୁ ସାକ୍ଷାତକାର ଦେବାକୁ କିଭଳି ସୁଯୋଗ ମିଳିଲା ବୋଲି ପ୍ରଶ୍ନ ଉଠିଥିଲା ବେଳେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଘଟଣାର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଥିଲା।
ତେବେ ଏସଆଇଟି ସୁପାରିସ ଅନୁସାରେ ଏହି ୭ ଅଧିକାରୀଙ୍କୁ ନିମ୍ବିତ କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୨ରେ ଲରେନ୍ସ ବିଷ୍ଣୋଇ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ଘଟଣାରେ ପଞ୍ଜାବର ଖରାର ସିଆଇ ଥାନା ହେପାଜତରେ ଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟକୁ ସାକ୍ଷାତକାର ଦେଇଥିଲା। ବିଷ୍ଣୋଇକୁ ତିହାର ଜେଲରୁ ଖରାର ସିଆଇଏକୁ ସ୍ଥାନାନ୍ତର କରାଯିବା ପରେ ଏହି ସାକ୍ଷାତକାର ନିଆଯାଇଥିଲା। ସାକ୍ଷାତକାର ପ୍ରକ୍ରିୟା ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା। ଏହି ସମୟରେ ଉପଅଧୀକ୍ଷକ ପଦବୀର ଦୁଇ ବରିଷ୍ଠ ଅଧିକାରୀ ଗୁରଶେର ସିଂହ ଏବଂ ସମୀର ବନୀତ ଥିଲା ବେଳେ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସବ-ଇନ୍ସପେକ୍ଟର ଏବଂ ହେଡ୍ କନଷ୍ଟେବଳ ଅଛନ୍ତି।