ଗାନ୍ଧି ଜୟନ୍ତୀରେ ଲୁଟ୍‌ କରି ୪ ସାମ୍ୱାଦିକ ଗିରଫ

ଅକ୍ଟୋବର ୨ ତାରିଖରେ କଣ୍ଟାବାଞ୍ଜିର ବ୍ୟବସାୟୀ ଆକବର ଖାଁ ନିଜ କାର୍‌ରେ ହାଇଦ୍ରାବାଦରୁ ଘରକୁ ଫେରୁଥିଲେ। ତେବେ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରି ନିକଟରେ ଦୁର୍ବୃତ୍ତମାନେ ତାଙ୍କ କାର୍‌କୁ ଅଟକାଇ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟ୍‌ କରି ନେଇଥିଲେ।

ଗାନ୍ଧି ଜୟନ୍ତୀରେ ଲୁଟ୍‌ କରି ୪ ସାମ୍ୱାଦିକ ଗିରଫ

ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରେ ଲୁଟ୍‌ କରି ବନ୍ଧା ହେଲେ ୪ ସାମ୍ୱାଦିକ ଓ ଜଣେ ବ୍ୟବସାୟୀ। ଆହୁରି ୫ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୋଜୁଛି ଭବାନୀପାଟଣା ପୁଲିସ୍‌।

ଅକ୍ଟୋବର ୨ ତାରିଖରେ କଣ୍ଟାବାଞ୍ଜିର ବ୍ୟବସାୟୀ ଆକବର ଖାଁ ନିଜ କାର୍‌ରେ ହାଇଦ୍ରାବାଦରୁ ଘରକୁ ଫେରୁଥିଲେ। ତେବେ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରି ନିକଟରେ ଦୁର୍ବୃତ୍ତମାନେ ତାଙ୍କ କାର୍‌କୁ ଅଟକାଇ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟ୍‌ କରି ନେଇଥିଲେ। ଏନେଇ ସେ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ଲୁଟ୍‌ ହେବାର ୧୧ ଦିନ ପରେ ପୁଲିସକୁ ସଫଳତା ମିଳିଥିଲା। ପୁଲିସ ୪ ୱେବ୍‌ସାମ୍ୱାଦିକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀରଞ୍ଜନ ବାଗ, ଅଜିତ କୁମାର ପୂଜାରୀ, ମଧୁସୂଦନ ମହାପାତ୍ର, ସଂଗ୍ରାମ ପାତ୍ର ଓ ଆଉ ଜଣେ ବ୍ୟବସାୟୀ। ପୁଲିସ୍‌ ସେମାନଙ୍କଠାରୁ ନଗଦ ୬୮ ହଜାର ଟଙ୍କା, ଗୋଟିଏ କାର, ଗୋଟିଏ ପଲ୍‌ସର ବାଇକ, ୮ଟି ମୋବାଇଲ ଓ ବିଭିନ୍ନ ଚ୍ୟାନେଲର ବୁମ ଜବତ କରିଛି।

ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ଲୁଟ୍‌ରେ ୧୦ରୁ ଅଧିକ ସମ୍ପୃକ୍ତ ଥିବା ପୁଲିସ୍‌ ସନ୍ଦେହ କରୁଛି।

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂହଦେଓ