ଗାନ୍ଧୀ ଦର୍ଶନରେ ସିଦ୍ଧୁ ବିବାଦର ସମାଧାନ

ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କର କର୍କଟ ଚିକିତ୍ସା ପରାମର୍ଶ କଥା ଏବେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିବାଦ ମଧ୍ୟ ସୃଷ୍ଟି କରିଛି। କଠୋର ଖାଦ୍ୟ ଅଭ୍ୟାସ ଏବଂ ଅସ୍ଥାୟୀ ଉପବାସ ଯୋଗୁଁଁ ଚତୁର୍ଥ ପର୍ଯ୍ୟାୟ ସ୍ତନକର୍କଟ ରୋଗରେ ଆକ୍ରାନ୍ତ ଥିବା ତାଙ୍କ ପତ୍ନୀ ସୁସ୍ଥ ହୋଇପାରିଛନ୍ତି ବୋଲି ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ପରେ କେତେକ ସଂଗଠନ ଓ ଡାକ୍ତର ମହଲରୁ ଆପତ୍ତି ଉଠିଥିଲା। ଏହାପରେ ସିଦ୍ଧୁ ସ୍ପଷ୍ଟ କରିଛନ୍ତି […]

ଗାନ୍ଧୀ ଦର୍ଶନରେ ସିଦ୍ଧୁ ବିବାଦର ସମାଧାନ
sakala article

ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କର କର୍କଟ ଚିକିତ୍ସା ପରାମର୍ଶ କଥା ଏବେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିବାଦ ମଧ୍ୟ ସୃଷ୍ଟି କରିଛି। କଠୋର ଖାଦ୍ୟ ଅଭ୍ୟାସ ଏବଂ ଅସ୍ଥାୟୀ ଉପବାସ ଯୋଗୁଁଁ ଚତୁର୍ଥ ପର୍ଯ୍ୟାୟ ସ୍ତନକର୍କଟ ରୋଗରେ ଆକ୍ରାନ୍ତ ଥିବା ତାଙ୍କ ପତ୍ନୀ ସୁସ୍ଥ ହୋଇପାରିଛନ୍ତି ବୋଲି ସିଦ୍ଧୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ପରେ କେତେକ ସଂଗଠନ ଓ ଡାକ୍ତର ମହଲରୁ ଆପତ୍ତି ଉଠିଥିଲା। ଏହାପରେ ସିଦ୍ଧୁ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପତ୍ନୀ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟାଭ୍ୟାସ ଗ୍ରହଣ କରିଥିଲେ। ସିଦ୍ଧୁ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଦୁଇପୃଷ୍ଠାର ଏକ ଖାଦ୍ୟ ତାଲିକା ଜନହିତରେ ଜାରି କରିଛନ୍ତି, ଯାହା ତିନୋଟି ଉତ୍ସରୁ ପ୍ରେରିତ। ତାହା ହେଲା ଭାରତୀୟ ପ୍ରାଚୀନ ଆୟୁର୍ବେଦ, ବିଶ୍ୱର ଅନେକ ପ୍ରତିଷ୍ଠିତ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣ ଓ ନୋବେଲ ପୁରସ୍କାର ପ୍ରାପ୍ତ ୟୋସ୍ନୋରି ଓହସୁମିରଙ୍କ ଗବେଷଣା ‘ଅଟୋଫଜି‘(ଉପବାସ ରହିବାର ଦୀର୍ଘ ପ୍ରକ୍ରିୟା, ଯେଉଁଠି ଶରୀର ଅନେକ କୋଷକୁ ଭାଙ୍ଗିବା ସହ ପୁରୁଣା ରୋଗାକ୍ରାନ୍ତ ଓ କ୍ଷତିଗ୍ରସ୍ତ କୋଷକୁ ମଧ୍ୟ ନଷ୍ଟ କରିଦିଏ)।

ନିକଟରେ ସିଦ୍ଧୁ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ତାଙ୍କ ଡାକ୍ତର ପତ୍ନୀ ବହୁଳ ପରିମାଣରେ ପ୍ୟାକେଟ୍‌‌ ଖାଦ୍ୟ, ଜଙ୍କ୍‌‌ ଫୁଡ୍‌‌, ଆଇସକ୍ରିମ ଓ ଚିନି ଯୁକ୍ତ ଖାଦ୍ୟ ଖାଉଥିଲେ। ସିଦ୍ଧୁଙ୍କ ପତ୍ନୀଙ୍କ ଭଳି ଅନେକ ଭାରତୀୟ ନିଜ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁଁ ବେମାର ହେଉଛନ୍ତି। ଚଳିତ ବର୍ଷ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଏକ ରିପୋର୍ଟ ଅନୁଯାୟୀ ଭାରତରେ ସମୁଦାୟ ରୋଗର ୫୬.୪ ପ୍ରତିଶତ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁଁ ହୋଇଛି। ଏହାବ୍ୟତୀତ ଏଭଳି ଖାଦ୍ୟ ଯୋଗୁଁଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅଭାବ, ମୋଟାପଣ, ଉଚ୍ଚ ରକ୍ତଚାପ, ଉଚ୍ଚ ଚର୍ବି ଓ ମଧୁମେହ ଭଳି ଅଣସଂକ୍ରାମକ ରୋଗ(ଏନସିଡି)ମଧ୍ୟ ବ୍ୟାପୁଛି। ଏହି ସମସ୍ତ ରୋଗର ପ୍ରତିଷେଧକ ହେଉଛି ସଚେତନତା, ଜୀବନଶୈଳୀରେ ପରିବର୍ତ୍ତନ, ସୁସ୍ଥ ଖାଦ୍ୟ ଓ ନିୟମିତ ବ୍ୟାୟାମ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି।

୧୯୦୪ ମସିହାରେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଥିବା ବେଳେ ଅଲ୍‌‌ସର ଯୋଗୁଁଁ କସ୍ତୁରବା ଅନେକ ଦିନ ଧରି ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ। ଚିକିତ୍ସା ପଦ୍ଧତିରେ ଔଷଧ ସହିତ ପାଶ୍ଚାତ୍ୟ ଖାଦ୍ୟ ପ୍ରଣାଳୀ(ବିଫ୍‌‌ ସୁପ) ଅନ୍ତର୍ଭୁକ୍ତ ଥିଲା। ଦିନେ ସନ୍ଧ୍ୟାରେ କସ୍ତୁରବାଙ୍କ ଶଯ୍ୟା ନିକଟକୁ ଆସି ଗାନ୍ଧିଜୀ କହିଲେ – ‘କସ୍ତୁରବା! ମୁଁ ପ୍ରାକୃତିକ ଚିକିତ୍ସା ବିଷୟରେ ପଢ଼ୁଛି। ଭାବୁଛି ତୁମ ଉପରେ ପ୍ରୟୋଗ କରିବି। ମୋ ଉପରେ ବିଶ୍ୱାସ କରିବ କି?’ କସ୍ତୁରବାଙ୍କ ସମ୍ମତି ପରେ ଚିକିତ୍ସା ଆରମ୍ଭ କଲେ ମୋହନଦାସ ଗାନ୍ଧୀ। ସେଥିରେ ଥିଲା ପଙ୍କ ଲେପ ଓ ଓଦା କପଡ଼ା ଚିକିତ୍ସା। ଖାଦ୍ୟ ଥିଲା ସକାଳୁ ନିମ୍ୱପତ୍ର ପାଣି ଓ ଟମାଟୋ ରସ। ଦିନରେ ସିଝା ପରିବା ଓ ଡାଲି ପାଣି। ସୂର୍ଯ୍ୟାସ୍ତ ପରେ ଖାଦ୍ୟ ବନ୍ଦ। ଏହି ଖାଦ୍ୟାଭ୍ୟାସରେ କସ୍ତୁରବା କିଛିଦିନ ପରେ ସୁସ୍ଥ ହୋଇଗଲେ।

ସୁଷମ ଖାଦ୍ୟ, ଶାକାହାରୀ ଭୋଜନ, ଉତ୍ତମ ଜୀବନଶୈଳୀ ଓ ପ୍ରାକୃତିକ ଉପଶମକୁ ଆଧାର କରି ଗାନ୍ଧୀଙ୍କ ଅନେକ ଆଲେଖ୍ୟ ଅଛି। ସେଥିମଧ୍ୟରୁ ୧୯୦୬ ମସିହାରେ ରଚିତ ‘ଏ ଗାଇଡ୍‌‌ ଟୁ ହେଲଥ’ ପୁସ୍ତକ ଓ ୧୯୪୪ ମସିହାରେ ରଚିତ ‘ଏ କି ଟୁ ହେଲଥ’ ଗାନ୍ଧିଜୀଙ୍କ ଅନନ୍ୟ କୃତି। ଉଭୟ ପୁସ୍ତକରେ ଶାରୀରିକ ଓ ଆଧ୍ୟାତ୍ମିକ ଭାବରେ ସୁସ୍ଥ ହେବାର ରହସ୍ୟର ଅବତାରଣା କରାଯାଇଛି। ୨୦ ବର୍ଷର ଖାଦ୍ୟାଭ୍ୟାସ ଉପରେ ଗାନ୍ଧିଜୀ କରିଥିବା ପରୀକ୍ଷଣ, ପ୍ରୟୋଗ, ଅଭିଜ୍ଞତା ଓ ଗବେଷଣା ହେଉଛି ଏହି ‘ଗାନ୍ଧୀ ସ୍ୱାସ୍ଥ୍ୟ ସାହିତ୍ୟ’ର ପୃଷ୍ଠଭୂମି। ଗାନ୍ଧୀ ସେଥିରେ ଉଲ୍ଲେଖ କରିଛନ୍ତି, ‘ଆମେ ସବୁ ଅନ୍ଧବିଶ୍ୱାସରେ ଅଛୁ ଯେ ଔଷଧ ନ ଖାଇଲେ ରୋଗ ଭଲ ହେବନି। ସେଇଥିପାଇଁ ରୋଗ ହେବା ମାତ୍ରେ ଆମେ ଡାକ୍ତର କିମ୍ୱା ବୈଦ୍ୟ ପାଖକୁ ଯାଉଛୁ। ଏପରିକି ଆମେ ପଡ଼ୋଶୀଙ୍କଠାରୁ ମଧ୍ୟ ଔଷଧ ମାଗି ଖାଇଦେଉ। ଆମେ ଭୁଲି ଯାଉଛୁ ଯେ ଆୟୁର୍ବେଦ ହେଉଛି ପ୍ରାଚୀନ ଭାରତୀୟଙ୍କ ଚିକିତ୍ସାର ପ୍ରାଣକେନ୍ଦ୍ର ଏବଂ ଚିକିତ୍ସା ଅପେକ୍ଷା ପ୍ରତିଷେଧକ ହେଉଛି ଏହାର ମନ୍ତ୍ର।’

ରୋଗରୁ ଦୂରେଇ ରହିବା ପାଇଁ ଗାନ୍ଧିଜୀଙ୍କ ପ୍ରଥମ ଗୁରୁତ୍ୱ ଥିଲା, ମସଲା ଓ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା। ୧୯୧୩ ମସିହା ମାର୍ଚ୍ଚ ୨୯ ତାରିଖରେ ଗାନ୍ଧୀ ‘ଇଣ୍ଡିଆନ ଓପିନିୟନ’ ପତ୍ରିକାରେ ଭାରତୀୟଙ୍କ ମସଲାଯୁକ୍ତ ଖାଦ୍ୟାଭ୍ୟାସ ଉପରେ ଏକ ସ୍ତମ୍ଭ ଲେଖିଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ ମସଲା ଉପରେ ଭାରତୀୟମାନଙ୍କର ବହୁତ ନିର୍ଭରତା ରହିଛି। କିନ୍ତୁ ଏହା ସତ୍ୟ ଯେ ମସଲା ଆମ ପେଟକୁ ସମସ୍ୟା ଦେଇଥାଏ ଏବଂ ସ୍ୱାଦ ପାଇଁ ନୁହେଁ, ବରଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଖାଦ୍ୟ ଖାଇବା ଉଚିତ। ଗାନ୍ଧିଜୀଙ୍କ ଦ୍ୱିତୀୟ ଉପଦେଶ ଥିଲା ଯେ ଯଥାସମ୍ଭବ ଲୁଣ ଓ ଚିନି ସେବନ ବନ୍ଦ କରିବା। ଲଣ୍ଡନର ‘ସଲ୍ଟଲେସ ଡାୟଟ’ ସଂଗଠନର ଆଭିମୁଖ୍ୟକୁ ପ୍ରଂଶସା କରି ଗାନ୍ଧିଜୀ କୁହନ୍ତି ‘ମୁଁ ଓ କସ୍ତୁରବା ଅନେକ ବର୍ଷ ହେଲାଣି ଅଲଣା ଖାଦ୍ୟ ଖାଉଛୁ। ଏଭଳି ଖାଦ୍ୟର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ। ଆମେ କମ୍‌‌ ଦୁର୍ବଳ ଅନୁଭବ କରୁଛୁ। ଆମକୁ କମ୍‌‌ ଶୋଷ ଲାଗୁଛି। ପାଇଲସ୍‌‌ ଓ ଆଜମାରୁ ଆରୋଗ୍ୟ ମିଳିଛି। କିନ୍ତୁ ମନେ ରଖିବାକୁ ହେବ ଯେ ଲୁଣ ନଥିବା ଖାଦ୍ୟ ଔଷଧ ନୁହେଁ, ବରଂ ରୋଗର ପ୍ରତିକାର ସହିତ ଲୁଣଶୂନ୍ୟ ଖାଦ୍ୟ ଖାଇବାକୁ ହୁଏ।’ ଗାନ୍ଧୀଙ୍କ ମତରେ ଚିନି ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଏକ ଅଦରକାରୀ ପଦାର୍ଥ। ଅବଶ୍ୟ ଆରମ୍ଭରୁ ଶରୀର ଟିକେ ଦୁର୍ବଳ ଲାଗିବ, ଯେମିତି ନିଶା ପ୍ରତ୍ୟାହାର ସମୟରେ ଶରୀର ପ୍ରତିକ୍ରିୟା ଦିଏ। ଏଠି ଜାଣି ରଖିବାକୁ ହେବ ଯେ ବିନା ଔଷଧରେ ଗାନ୍ଧିଜୀଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ଲୁଣଶୂନ୍ୟ ଖାଦ୍ୟ ଦ୍ୱାରା ନିୟନ୍ତ୍ରଣରେ ଥିଲା।

ଗାନ୍ଧିଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ସମସ୍ତ ଆଶ୍ରମରେ ପ୍ରସ୍ତୁତ ଖାଦ୍ୟ ସର୍ବଦା ଅଲଣା ହେଉଥିଲା। ଆଶ୍ରମ ପାଇଁ ସ୍ୱାଦହୀନ ଖାଦ୍ୟ ଏକ ବ୍ରତ ଥିଲା। କିନ୍ତୁ ଗାନ୍ଧିଜୀ କହିଥିଲେ ‘ଯିଏ ଚାହିଁବ ସେ ଖାଦ୍ୟ ଖାଇବା ସମୟରେ ଲୁଣ ଖାଇପାରିବ। ଖାଦ୍ୟ ଶରୀର ପାଇଁ ଦରକାର, ଜିହ୍ୱାର ଆନନ୍ଦ କିମ୍ୱା ଲାଳସା ପାଇଁ ନୁହେଁ।’ ୧୯୪୨ ମସିହା ମେ’ ମାସରେ ଗାନ୍ଧିଜୀଙ୍କ ସେବାଗ୍ରାମରେ ଆମେରିକୀୟ ସାମ୍ୱାଦିକ ଲୁଇ ଫିସର ଖାଇବା ସମୟରେ ଗାନ୍ଧୀଙ୍କୁ ପଚାରିଲେ ‘ଆପଣ ଅହିଂସାର ପୂଜାରୀ। ମାରିବା ଓ ଦମନ କରିବା କଥା କେବେ କହନ୍ତି ନାହିଁ କି କରନ୍ତି ନାହିଁ। କିନ୍ତୁ ଆପଣ ଆଶ୍ରମରେ ଲୋକଙ୍କ ଖାଇବା ରୁଚିକୁ ମାରିଦେଉଛନ୍ତି। ଆପଣଙ୍କ ଲୋକଙ୍କ ପ୍ରତି ଥିବା ଅସ୍ୱାଦ ବ୍ରତ କ’ଣ ଏକ ହିଂସା ନୁହେଁ?’ ଏହାର ଉତ୍ତରରେ ଗାନ୍ଧିଜୀ କହିଥିଲେ, ‘ଅନିୟନ୍ତ୍ରିତ ଜିହ୍ୱା ଲାଳସା ହିଁ ଆମ ଶରୀରର ଶତ୍ରୁ। ମଣିଷର ପାକସ୍ଥଳୀ ଡଷ୍ଟବିନ୍‌‌ ନୁହେଁ। ଯେକୌଣସି ଖାଦ୍ୟ ଯେକୌଣସି ସମୟରେ ଏଥିରେ ଫିଙ୍ଗି ହେବ ନାହିଁ।’ ଗାନ୍ଧିଜୀଙ୍କ ଏହି ଖାଦ୍ୟାଭ୍ୟାସ ଦର୍ଶନ ଏବେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଉଦାହରଣ ସ୍ୱରୂପ ଚଳିତ ବର୍ଷ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ନ୍ୟୁଟ୍ରିସନ୍‌‌’ ଭାରତୀୟମାନଙ୍କ ପାଇଁ ବ୍ୟାପକ ଖାଦ୍ୟ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ଚିନି ଓ ଲୁଣ ସେବନ ପାଇଁ ନୂତନ ସୀମା ନିର୍ଦ୍ଧାରଣ କରାଯାଇଛି। ପ୍ରକ୍ରିୟାକୃତ ଖାଦ୍ୟ ଓ ଚିନିଯୁକ୍ତ ପାନୀୟକୁ ଦୃଢ଼ ଭାବରେ ନିରୁତ୍ସାହିତ କରାଯାଇଛି।

ପରିଶେଷରେ ସୁସ୍ଥ ଜୀବନ ପାଇଁ ଗାନ୍ଧିଜୀଙ୍କ ସବୁଠାରୁ ବଳିଷ୍ଠ ପରାମର୍ଶ ଥିଲା ‘ଶାକାହାରୀ ଭୋଜନ’। ଏହାକୁ ନେଇ ଗାନ୍ଧୀଙ୍କ ତତ୍ତ୍ୱ ହେଉଛି ‘ଭେଜିଟେରିଆନିଜିମ୍‌‌।’ ଗାନ୍ଧିଜୀଙ୍କ ମତରେ ଶାକାହାରୀ ଭୋଜନ କେବଳ ଧର୍ମ, ପରମ୍ପରା, ପ୍ରଥା ଓ ରୀତିନୀତିର ଉପାଦାନ ନ ହୋଇ ନୈତିକତା, ସ୍ୱାସ୍ଥ୍ୟ, କଲ୍ୟାଣ ଓ ଅର୍ଥନୀତିର ଏକ ମାର୍ଗ ହେବା ଉଚିତ। ହେନେରି ସଲ୍ଟଙ୍କ ରଚିତ ‘ଏ ପ୍ଳି ଫର ଭେଜିଟେରିଆନଜିମ୍‌‌’ ଦ୍ୱାରା ଗଭୀର ଭାବେ ପ୍ରଭାବିତ ଗାନ୍ଧିଜୀ ଖାଦ୍ୟ ପାଇଁ ପଶୁହତ୍ୟାର ବିରୋଧୀ ଥିଲେ। ମଣିଷ ମାଂସାଶୀ ହୋଇ ଜନ୍ମ ହୋଇନାହିଁ ଏବଂ ଶାକାହାରୀ ହେବାକୁ ହେଲେ ମାନସିକ ଦୃଢ଼ତା ଦରକାର ବୋଲି ଗାନ୍ଧିଜୀ ପରାମର୍ଶ ଦେଉଥିଲେ। ସିଝା ପରିବା ଓ ନିମ୍ୱ ଚଟଣି ଗାନ୍ଧୀଙ୍କ ନିତିଦିନିଆ ଖାଦ୍ୟ ଥିଲା। ଆମେରିକାନ ଲେଖକ ଓ ପର୍ଯ୍ୟବେକ୍ଷକ ଡାନ ବ୍ୟୁଟନରଙ୍କ ଲିଖିତ ପୁସ୍ତକ ‘ଦ ବ୍ଲୁ ଜୋନସ୍‌‌’ରେ ଉଲ୍ଲେଖ ଅଛି ଯେ ସାରା ବିଶ୍ୱରେ ପାଞ୍ଚଟି ବ୍ଲୁ ଜୋନସ୍‌‌ ଅଛି, ଯେଉଁଠି ପ୍ରାୟ ସମସ୍ତ ବ୍ୟକ୍ତି ସୁସ୍ଥତା ସହିତ ଶହେବର୍ଷରୁ ଅଧିକ ବଞ୍ଚନ୍ତି। ସେମାନେ ୯ଟି ନିୟମକୁ ଅନୁସରଣ କରନ୍ତି। ସେଥିମଧ୍ୟରେ ଶାକାହାରୀ ଭୋଜନ ମହତ୍ତ୍ୱପୂର୍ଣ୍ଣ’। ସୁତରାଂ ଭାରତ ସରକାର ସୁସ୍ଥ ଖାଦ୍ୟକୁ ପ୍ରୋତ୍ସାହନ ଦେଇ ଜଙ୍କ ଫୁଡ, ତେଲଛଣା, ପ୍ୟାକେଟ ଖାଦ୍ୟ ଉପରେ ଅଧିକ ଟିକସ ବସାଇ ଏହି ଖାଦ୍ୟଭ୍ୟାସକୁ ନିରୁତ୍ସାହିତ କରିବା ଉଚିତ। ସିଙ୍ଗାପୁର ସରକାର ଏହାକୁ ଏବେ ଆପଣେଇଛନ୍ତି। ରାଜସ୍ୱ ଅପେକ୍ଷା ନାଗରିକ ଓ ସେମାନଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ।

ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨