ଗାନ୍ଧୀଙ୍କ ଦୃଷ୍ଟିରେ ରାମନାମ ଓ ରାମରାଜ୍ୟ
ପିଲାଦିନେ ଅତି ଡରକୁଳା ଥିବା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ଡର ଛଡ଼ାଇବା ପାଇଁ ତାଙ୍କ ଧାଈ ମା’ ରମ୍ଭା ଗୋଟିଏ ମନ୍ତ୍ର ଦେଇଥିଲେ- ତାହା ହେଉଛି ‘ରାମନାମ’। ଧାଈ ମା’ ରମ୍ଭାଙ୍କ ଉପରେ ୫-୬ ବର୍ଷର ଶିଶୁ ମୋହନଙ୍କର ଏତେ ଆସ୍ଥା ଥିଲା ଯେ ରାମ କିଏ ଓ ରାମନାମ କ’ଣ ସେ ସମ୍ପର୍କରେ କିଛି ପ୍ରଶ୍ନ ନ ପଚାରି ସେ ରାମନାମ ଜପି ଚାଲିଲେ। ପରବର୍ତ୍ତୀ ସମୟରେ ‘ମୋହନ’ରୁ ‘ମହାତ୍ମା’ରେ ରୂପାନ୍ତରିତ ହୋଇଥିବା ଗାନ୍ଧିଜୀ […]

ପିଲାଦିନେ ଅତି ଡରକୁଳା ଥିବା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କୁ ଡର ଛଡ଼ାଇବା ପାଇଁ ତାଙ୍କ ଧାଈ ମା’ ରମ୍ଭା ଗୋଟିଏ ମନ୍ତ୍ର ଦେଇଥିଲେ- ତାହା ହେଉଛି ‘ରାମନାମ’। ଧାଈ ମା’ ରମ୍ଭାଙ୍କ ଉପରେ ୫-୬ ବର୍ଷର ଶିଶୁ ମୋହନଙ୍କର ଏତେ ଆସ୍ଥା ଥିଲା ଯେ ରାମ କିଏ ଓ ରାମନାମ କ’ଣ ସେ ସମ୍ପର୍କରେ କିଛି ପ୍ରଶ୍ନ ନ ପଚାରି ସେ ରାମନାମ ଜପି ଚାଲିଲେ। ପରବର୍ତ୍ତୀ ସମୟରେ ‘ମୋହନ’ରୁ ‘ମହାତ୍ମା’ରେ ରୂପାନ୍ତରିତ ହୋଇଥିବା ଗାନ୍ଧିଜୀ ଦେଶବାସୀଙ୍କ ଭୟ ଛଡ଼ାଇ ନିର୍ଭୟର ସହିତ ‘ସତ୍ୟାଗ୍ରହ’ ସଂଗ୍ରାମରେ ଦେଶ ପାଇଁ ଲଢ଼ିବାକୁ ଯେଉଁ ଆହ୍ୱାନ ଦେଲେ ସେଥିରେ ହଜାର ହଜାର ସଂଗ୍ରାମୀ ସହିଦ ହେଲେ ଓ ଲକ୍ଷ ଲକ୍ଷ କାରା ଓ ନିର୍ଯାତନା ବରଣ କଲେ। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀ ଆମ ଦେଶକୁ ‘ରାମରାଜ୍ୟ’ରେ ପରିଣତ କରିବା ପାଇଁ ରାବଣ ରୂପୀ ବିଦେଶୀ ଶାସନର ଅବସାନ ଘଟାଇବା ଲାଗି ନିରନ୍ତର ଉଦ୍ୟମ କରୁଥିଲେ।
ରାମନାମକୁ ଜୀବନର ଜପାମାଳ କରିନେଇ ବହୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ସହ ‘ସତ୍ୟ’ ଓ ‘ଅହିଂସା’ର ମାର୍ଗରେ ଦେଶକୁ ବ୍ରିଟିଶ କବଳରୁ ସ୍ୱାଧୀନ କରିଥିବା ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ବି ବେଶ୍ ଆଲୋଚନା ହେଉଛି। ଏଠାରେ ଉଲ୍ଲେଖନୀୟ ଯେ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ମାସ ୧୬ ଦିନରେ ୭୮ବର୍ଷ ୩ମାସ ୨୯ଦିନ ବୟସ୍କ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀଙ୍କୁ ବିକୃତ ବିଚାରରେ ଶଢୁଥିବା ଏକ ଗୋଷ୍ଠୀ ହତ୍ୟା କରି କୃତଘ୍ନତାର ପରିଚୟ ଛାଡ଼ିଯାଇଛନ୍ତି। ପୂର୍ବରୁ ଗାନ୍ଧିଜୀ ବାରମ୍ବାର କହୁଥିଲେ ଯେ ଆତତାୟୀ ଦ୍ୱାରା ତାଙ୍କର ନିଧନ ହେବ ଓ ଶେଷ ବେଳକୁ ହତ୍ୟାକାରୀ ପ୍ରତି ହିଂସା, ଦ୍ୱେଷ ପରିବର୍ତ୍ତେ ତାଙ୍କ ମୁହଁରୁ ରାମନାମ ବାହାରୁଥିବ। ତାଙ୍କ ଆପ୍ତବାଣୀ ସତ୍ୟ ହେଲା। ଆତତାୟୀର ତିନୋଟି ଗୁଳି ଚୋଟରେ ପ୍ରାର୍ଥନା ସଭାକୁ ଯିବା ବାଟରେ ଗାନ୍ଧିଜୀ ଟଳି ପଡ଼ିବା ପୂର୍ବରୁ ତାଙ୍କ ପାଟିରୁ ବାହାରିଥିଲା ତିନୋଟି ଅକ୍ଷର ‘ହେ ରାମ’। ସେତେବେଳକୁ ତାଙ୍କ ହାତ ଦୁଇଟି ବି ଥିଲା ପ୍ରାର୍ଥନା ମୁଦ୍ରାରେ। ମୁହଁରେ ନଥିଲା ଯନ୍ତ୍ରଣାର ଚିହ୍ନ। ସନ୍ଥ ବିନୋବା ଭାବେ କହିଥିଲେ ଯେ, ଗାନ୍ଧିଜୀ ତାଙ୍କ ଜୀବନକାଳ ଭିତରେ ଯେତେ ବକ୍ତବ୍ୟ ରଖି ଯାଇଛନ୍ତି ସେସବୁ ମଧ୍ୟରେ ଶ୍ରେଷ୍ଠ ହେଉଛି ତାଙ୍କର ଶେଷ ବକ୍ତବ୍ୟ ‘ହେ ରାମ’। ‘ରାମନାମ୍ ସତ୍ୟ ହେ’ତ ମହାଯାତ୍ରାର ମହାମନ୍ତ୍ର।
ରାମ ନାମ ତାଙ୍କର ତ୍ରାଣକର୍ତ୍ତା ଓ ସବୁବେଳେ ସେ ଏହା ଉପରେ ନିର୍ଭର କରିଆସିଛନ୍ତି ବୋଲି ଗାନ୍ଧିଜୀ ବାରମ୍ବାର ଲେଖି ଯାଇଛନ୍ତି। ୧୯୪୬ ସେପ୍ଟେମ୍ବର ୨୨ ସଂସ୍କରଣର ‘ହରିଜନ’ ପତ୍ରିକାରେ ଗାନ୍ଧିଜୀ ଲେଖିଛନ୍ତି ଯେ ସେ ଯେଉଁ ରାମଙ୍କ ନାମ ଜପନ୍ତି ସେ ହେଉଛନ୍ତି ଅମର ଓ ସର୍ବବ୍ୟାପୀ। ଯେଉଁମାନେ ରାମଙ୍କୁ ଈଶ୍ୱର ବୋଲି ବିଶ୍ୱାସ କରନ୍ତି ସେମାନେ ଏହା ମାନିନେବେ। ତେବେ କିଛିଲୋକ କୁହନ୍ତି ଯେ, ଏସବୁ କଳ୍ପନାର କଥା। ମାତ୍ର ଗାନ୍ଧୀ କୁହନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ନିଜ ବିଶ୍ୱାସ ଅନୁଯାୟୀ ଭଗବାନଙ୍କୁ ଡାକନ୍ତୁ। ସବୁ ଧର୍ମର ମୂଳ ଗୋଟିଏ ହୋଇଥିବାରୁ ଧର୍ମଗୁଡ଼ିକ ମଧ୍ୟରେ ସମନ୍ୱୟ ନ ରଖି ପୃଥକ ପୃଥକ ଭାବେ ଦେଖାଗଲେ ହିଂସା ବଢ଼େ ବୋଲି ସେ ସୂଚାଇ ଥିଲେ। ସେହିବର୍ଷ ଏପ୍ରିଲ ୨୮ରେ ଗାନ୍ଧିଜୀ ପୁଣି ଲେଖିଥିଲେ, ‘ପ୍ରକୃତରେ କ’ଣ ମୁସଲ୍ମାନଙ୍କ ପାଇଁ ଗୋଟିଏ ଈଶ୍ୱର ଏବଂ ହିନ୍ଦୁ, ପାର୍ସି, ଖ୍ରୀଷ୍ଟିଆନ ଆଦିଙ୍କ ପାଇଁ ଅନ୍ୟ ଈଶ୍ୱର? ଏହା ହୋଇ ନ ପାରେ। ସର୍ବଶକ୍ତିମାନ ସର୍ବଦା ବିଦ୍ୟମାନ, କେବଳ ଗୋଟିଏ ଈଶ୍ୱର। ସେ କିନ୍ତୁ ବହୁ ନାମରେ ନାମିତ। ଯେଉଁ ନାମଟି ଆମକୁ ଭଲ ଲାଗେ ସେହି ନାମରେ ଆମେ ତାଙ୍କୁ ସ୍ମରଣ କରୁ। ସେ ହେଉଛନ୍ତି ଶାଶ୍ୱତ, ଅଯୋନିଶମ୍ଭୁତ ଓ ଅଦ୍ୱିତୀୟ…। ମୁଁ କାହାକୁ ରାମନାମ ସାହାଯ୍ୟରେ ଈଶ୍ୱରଙ୍କୁ ଚିହ୍ନିବା ଲାଗି ବାଧ୍ୟ କରୁନାହିଁ। ପ୍ରାର୍ଥନା ସଭାର ମାଧୁର୍ଯ୍ୟ ନଷ୍ଟ ନକରି ମନେ ମନେ ଜଣେ ବି ଆଲ୍ଲା, ଖୁଦା ବା ଅନ୍ୟ କୌଣସି ନାମ ନେଇପାରନ୍ତି। ରାମନାମ ହେଉଛି ଈଶ୍ୱର ବା ଖୁଦାଙ୍କର ଭିନ୍ନ ଏକ ନାମ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ପାର୍ସି ବା ପୃଥିବୀର ଅନ୍ୟ ଯେକୌଣସି ସମ୍ପ୍ରଦାୟର ଈଶ୍ୱର ଗୋଟିଏ, ସବୁଧର୍ମ ସମାନ।’ ୧୯୪୬ ନଭେମ୍ବର ୨୪ରେ ସେ ପୁଣି ଲେଖିଛନ୍ତି, ‘ତୁମର ତାଙ୍କ ଉପରେ ବିଶ୍ୱାସ ନାହିଁ ବୋଲି କହିପାର। ତେବେ ତାଙ୍କ ଇଚ୍ଛା ବିନା ଥରେ ହେଲେ ପ୍ରଶ୍ୱାସ ଗ୍ରହଣ କରି ଯେ ପାରିବା ନାହିଁ, ଏକଥା ତୁମେ ଜାଣନା। ଈଶ୍ୱର, ଆଲ୍ଲା, ଗଡ଼୍ – ଯାହା ବୋଲି ତାଙ୍କୁ ଡାକ ଅଗଣିତ ମଣିଷ ସମାଜ ଭଳି ତାଙ୍କ ନାମ ମଧ୍ୟ ଅସଂଖ୍ୟ। ସେ ଏକ ଓ ଅଦ୍ୱିତୀୟ। ସେ ହିଁ କେବଳ ମହାନ। ତାଙ୍କଠାରୁ ବଡ଼ ଆଉ କେହି ନାହିଁ। ସେ କାଳହୀନ, ନିରାକାର ଓ ନିଷ୍ପାପ। ମୋ ରାମ ହେଉଛନ୍ତି ଏହିଭଳି।’ ଜଣେ ହିନ୍ଦୁ ରାମନାମ ଜପକରି ଯେମିତି ଶାନ୍ତି ଓ ଆଶ୍ୱାସନା ପାଇପାରନ୍ତି, ଜଣେ ଖ୍ରୀଷ୍ଟିଆନ୍ ଯୀଶୁଙ୍କ ନାମ ଜପି ଓ ଜଣେ ମୁସଲ୍ମାନ ଆଲ୍ଲାଙ୍କ ନାମ ଉଚ୍ଚାରଣ କରି ମଧ୍ୟ ସେମିତି ଶାନ୍ତି ପାଆନ୍ତି। ସବୁ ନାମର ଭାବ ଓ ତାତ୍ପର୍ଯ୍ୟ ଏକ ପ୍ରକାରର ଏବଂ ସମାନ ପରିସ୍ଥିତିରେ ସେମାନେ ସମାନ ଫଳ ଦେଇଥା’ନ୍ତି। ତେଣୁ କେବଳ ତୁଣ୍ଡରେ ନୁହେଁ ନାମ ଉଚ୍ଚାରଣ ଆମ ଅସ୍ତିତ୍ୱର ଏକ ଅଂଶ ହେବା ଉଚିତ୍। ନୈତିକତାକୁ ଛାଡ଼ି କୌଣସି ଧର୍ମ ନାହିଁ। ମଣିଷ ମିଥ୍ୟାବାଦୀ, ନିଷ୍ଠୁର କିମ୍ବା ଦୁଶ୍ଚରିତ୍ର ହୋଇ ଭଗବାନଙ୍କଠାରୁ କରୁଣା ଆଶା କରିନପାରେ। ଦରିଦ୍ର ଲୋକଙ୍କ ନିଃସ୍ୱାର୍ଥ ସେବାଠାରୁ ନିର୍ମଳତର ଓ ଭଗବାନଙ୍କ ସନ୍ତୋଷଜନକ ଉପାସନା ଆଉ କିଛିନାହିଁ। ଭଗବାନଙ୍କ ଶକ୍ତିର ପ୍ରଭାବ କେବଳ ଅନୁଭବ କରିହୁଏ ଓ ଏହା ପ୍ରମାଣର ଜାଲରେ ଧରାଯାଇପାରେନାହିଁ ବୋଲି ଉଲ୍ଲେଖ କରି ଗାନ୍ଧିଜୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସବୁ ଧର୍ମର ମୂଳତତ୍ତ୍ୱ ଗୋଟିଏ ଓ ଗନ୍ତବ୍ୟସ୍ଥଳୀ ବି ଏକା। ଏ ପରିପ୍ରେକ୍ଷୀରେ ଈଶ୍ୱରୀୟ ଶକ୍ତିକୁ ଅନୁଭବ କରିବା ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କେବଳ ସତ୍ୟ ଓ ଅହିଂସାର ସରଳ ସାଧନା କରାଯାଇପାରେ। ଆମ ସମସ୍ତେ ଈଶ୍ୱରଙ୍କର ଅମୃତ ସନ୍ତାନ ହୋଇଥିବାରୁ ଧାର୍ମିକ ବିଭେଦ ଛାଡ଼ି ପରସ୍ପରକୁ ସ୍ନେହ, ପ୍ରେମ, କରୁଣା ଓ ସମ୍ମାନର ଡୋରିରେ ବାନ୍ଧିଲେ ଆମର ଆଧ୍ୟାତ୍ମିକ ଚେତନା ବଳିଷ୍ଠ ହେବ ବୋଲି ଗାନ୍ଧିଜୀ ବାରମ୍ବାର ଚେତାଇ ଦେଇଛନ୍ତି।
ମନରେ ସୃଷ୍ଟି ହେଉଥିବା ଦୂଷିତ ଭାବନାକୁ ଦୂରେଇବାର ଅମୋଘ ମହୌଷଧୀ ହେଉଛି ରାମନାମ। ଖାଲି ତୁଣ୍ଡରେ ନୁହେଁ ଅନ୍ତର ଭିତରୁ ଏହା ଉଚ୍ଚାରିତ ହେବା ଆବଶ୍ୟକ। ମୋହ, ଲୋଭ, ହିଂସା, ଦ୍ୱେଷ, କ୍ରୋଧ, ଈର୍ଷା, ମିଥ୍ୟାଚାର ଆଦି ଯେ କୌଣସି ଶାରୀରିକ ରୋଗଠାରୁ ଏହା ଭୟଙ୍କର। ଦୂଷିତ ଶରୀରଠାରୁ ଦୂଷିତ ମନ ଅଧିକ ମାରାତ୍ମକ। ଏଥିରୁ ନିସ୍ତାର ପାଇଁ ରାମନାମ ହିଁ ପ୍ରତିଷେଧକ ବୋଲି ଗାନ୍ଧିଜୀ ଚେତାଇ ଯାଇଛନ୍ତି। ରାମନାମର ରସାମୃତ ପାନ କରିବାକୁ ହେଲେ ପ୍ରଥମେ କାମ, କ୍ରୋଧ ପ୍ରଭୃତି ରିପୁମାନଙ୍କ ଠାରୁ ମୁକ୍ତ କରି ସତ୍ୟ, ଅହିଂସା, ସ୍ନେହ, ପ୍ରେମ, କରୁଣା, ସେବା ଆଦି କ୍ଷେତ୍ରରେ ନିଜକୁ ଆଗେଇବାକୁ ପଡ଼ିବ।
ଗାନ୍ଧୀଙ୍କ ମତରେ ହିନ୍ଦୁ ଧର୍ମ ଏକ ଜୀବିତ ଧର୍ମ ଓ ଏଥିରେ ଉତ୍ଥାନ ପତନ ଲାଗି ରହିଥାଏ। ହିନ୍ଦୁମାନଙ୍କର ତପଶ୍ଚର୍ଯ୍ୟା ଉପରେ ହିନ୍ଦୁ ଧର୍ମର ଶୁଦ୍ଧତା ନିର୍ଭର କରେ। ହିନ୍ଦୁ ଧର୍ମ ଓ ଅନ୍ୟଧର୍ମଗୁଡ଼ିକ କଠୋର ପରୀକ୍ଷାର ସମୟ ଦେଇ ଗତି କରୁଛନ୍ତି। ସନାତନ ସତ୍ୟ ଗୋଟିଏ ଓ ଈଶ୍ୱର ବି ଗୋଟିଏ। ମତ ମତାନ୍ତରର ମୋହ ଜାଲରେ ନପଡ଼ି ସତ୍ୟର ସରଳ ମାର୍ଗ ଅନୁସରଣ କଲେ ଯାଇ ଆମେ ସନାତନୀ ହିନ୍ଦୁ ହୋଇ ରହିପାରିବା। ସନାତନୀ ବୋଲି ଖ୍ୟାତ ବହୁତ ଲୋକ ତୁଚ୍ଛାରେ ଭୂଅାଁ ବୁଲାଉଛନ୍ତି। ସେମାନଙ୍କ ଭିତରୁ କିଏ ଜାଣେ କାହାର ସ୍ୱୀକୃତି ହେବ। ରାମନାମ ଜପୁଥିବା ବହୁତ ଲୋକ ରହିଯିବେ ଏବଂ ନିରବରେ ରାମଙ୍କ କର୍ମ କରୁଥିବା କିଛି ଅଳ୍ପ ଲୋକ ବିଜୟ ମାଲ୍ୟ ପିନ୍ଧିବେ।
ଅଜର, ଅମର ଓ ଅଯୋନିଶମ୍ଭୂତ ରାମ ବିଜ୍ଞାପନ ଫଳକରେ ନଥା’ନ୍ତି। ସେ ଥା’ନ୍ତି ହନୁମାନଙ୍କ ଭଳି ସମର୍ପିତ ସେବକମାନଙ୍କ ହୃଦୟରେ। ରାମନାମ ଦସ୍ୟୁ ରତ୍ନାକରକୁ ମହର୍ଷି ବାଲ୍ମିକୀରେ ପରିଣତ କରିପାରିଛି। ଶବରୀର ଅଇଁଠା କୋଳିକୁ ରାମ ହିଁ କେବଳ ଶ୍ରଦ୍ଧାର ସହ ସେବନ କରିପାରନ୍ତି। ତାଙ୍କ ଆବାହନ ପାଇଁ ଧୀବରର ଭକ୍ତି ଓ ସରଳତା ଯଥେଷ୍ଟ ଥିଲା। ରାବଣ ପରି ଦୁଷ୍ଟ ଅପଶକ୍ତିର ସଂହାର ସେ ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତିଷ୍ଠା କରିଥିଲେ। ସତ୍ୟରକ୍ଷା ପାଇଁ ରାମଚନ୍ଦ୍ର ହିଁ ରାଜସିଂହାସନ ଛାଡ଼ି ବନବାସକୁ ବରଣ କରିନେଇଥିଲେ। ରାମାୟଣରେ ବର୍ଣ୍ଣିତ ସୀତା, ଲକ୍ଷ୍ମଣ, ଭରତ, ଉର୍ମିଳା, ହନୁମାନ ଆଦି ଚରିତ୍ର କାଳଜୟୀ। ଏକଥା ବି ଗାନ୍ଧୀ ଲେଖିଛନ୍ତି ପୁରାଣ ଓ ଇତିହାସର କଥାବସ୍ତୁ ସହିତ କବିଙ୍କ ଭାବନା ଓ କଳ୍ପନା ଆଦିକୁ ଫେଣ୍ଟାଫେଣ୍ଟି କରି ରାମାୟଣ ସୃଷ୍ଟି ହୋଇଥିଲେ ମଧ୍ୟ ଏହା ଅନ୍ଧକାରରୁ ଆଲୁଅକୁ ନେବାକୁ ବାଟ ଦେଖାଇଥାଏ। ରାମନାମ ଘୃଣା ନୁହେଁ, ପ୍ରେମ, ତ୍ୟାଗ, ସେବା ଓ ନିର୍ଭୀକତାର ମାର୍ଗ ଦେଖାଇଥାଏ। ମଣିଷକୁ ଏହା ନୈତିକତା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ସମୃଦ୍ଧ କରେ। ଏ ପରିପ୍ରେକ୍ଷୀରେ ସ୍ୱାଧୀନ ଭାରତରେ ରାମରାଜ୍ୟ ପ୍ରତିଷ୍ଠା ପାଇଁ ଗାନ୍ଧିଜୀ ଯେଉଁ ପରିକଳ୍ପନା କରିଥିଲେ ସେଥିରେ ଶାସନ କ୍ଷମତାକୁ ସେବାର ମାଧ୍ୟମ ଭାବେ ଉପଯୋଗ କରି ଜନଗଣଙ୍କୁ ନିରପେକ୍ଷ ନ୍ୟାୟ ସହିତ ସତ୍ୟ, ଅହିଂସା ଓ କର୍ମ ପଥରେ ରାଷ୍ଟ୍ରର ସାମୂହିକ ବିକାଶ ପାଇଁ ସେ ନକ୍ସା ଆଙ୍କିଥିଲେ। ଏଥିପାଇଁ ଶୃଙ୍ଖଳା, ତିତିକ୍ଷା, ସହିଷ୍ଣୁତା ସହିତ ସେବା, ତ୍ୟାଗ, ସଂଯମ ଆଦି ଉପରେ ଗାନ୍ଧିଜୀ ବାରମ୍ବାର ଗୁରୁତ୍ୱ ଦେଇ କହୁଥିଲେ ଶାସକ ପବିତ୍ର ହେଲେ ଲୋକେ ତା’କୁ ସାହାଯ୍ୟ କରିବେ; କିନ୍ତୁ ଯେଉଁଠି ଅତ୍ୟାଚାରୀ ହୁଏ ସେଠାରେ ଲୋକେ ତା’କୁ ଠିକଣା ବାଟକୁ ଆଣିବା କଥା। ଲୋକେ ନିଦ୍ରିତ ହେଲେ ଶାସକ ରକ୍ଷକ ପରିବର୍ତ୍ତେ ଭକ୍ଷକ ହୋଇଯିବ ଏବଂ ରାଷ୍ଟ୍ରର ସତ୍ତା ବିପନ୍ନ ହୋଇପଡ଼ିବ। ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟର ଭିତ୍ତିଭୂମି ଥିଲା ଗ୍ରାମସ୍ୱରାଜ, ସର୍ବୋଦୟ, ଟ୍ରଷ୍ଟିସିପ୍, ମିନ୍ସ ଆଣ୍ଡ ଏଣ୍ଡ ଥିଓରି, ରଚନାତ୍ମକ କାର୍ଯ୍ୟକ୍ରମ ଓ ଏକାଦଶ ବ୍ରତ। ଏହା ହାସଲ କରିବା ଲାଗି ସାତଟି ପାପଠାରୁ ଦୂରେଇ ରହିବାକୁ ପଡ଼ିବ। ଏ ପରିପ୍ରେକ୍ଷୀରେ ଆମ ଦେଶର ସାମୂହିକ ବିକାଶ ପାଇଁ ଆଜିର ଦିନରେ ବି ଗାନ୍ଧିଜୀଙ୍କ କଳ୍ପିତ ରାମରାଜ୍ୟର ସ୍ୱପ୍ନକୁ ସାକାର କରିବାକୁ ଲୋଡ଼ା ପଡୁଛନ୍ତି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଂକଳ୍ପବଦ୍ଧ ସାଧକମାନଙ୍କର, ଯେଉଁମାନେ ସାମ୍ପ୍ରଦାୟିକତା ଓ ଅସ୍ପୃଶ୍ୟତାର ସଂକୀର୍ଣ୍ଣ ଗଣ୍ଡି ଭିତରୁ ନିଜକୁ ଉପରକୁ ନେଇ ନୈତିକ ଓ ଆଧ୍ୟାତ୍ମିକ ବଳରେ ବଳିଆନ୍ ହୋଇ ଆମ ରାଷ୍ଟ୍ରୀୟ ଜୀବନରୁ ଅମା ଅନ୍ଧକାର ହଟାଇବା ଲାଗି ଆଲୁଅ ଦେଖାଇବାକୁ ସଳିତା ପରି ଜଳିବାକୁ ପ୍ରସ୍ତୁତ ଥିବେ।
ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫