ଗିରଫ ହେଲେ କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ

ଭୁବନେଶ୍ୱର/‌କେନ୍ଦୁଝର/ଭଦ୍ରକ/ଅସୁରାଳି: କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।  ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ କରିଥିଲା ଭିଜିଲାନ୍ସ।  ୧୫ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ଠାବ ହୋଇଥିଲା। ଝାରପଡ଼ା ଜେଲର ଅଧୀକ୍ଷକ ମଧ୍ୟ ଥିଲେ ସତ୍ୟପ୍ରକାଶ।  କଏଦୀଙ୍କ ଟଙ୍କାରେ କଳାଧନର ପାହାଡ଼ ଠିଆ କରିଥିଲେ। ଯେତିକି ଟଙ୍କା […]

ଗିରଫ ହେଲେ କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ
jail

ଭୁବନେଶ୍ୱର/‌କେନ୍ଦୁଝର/ଭଦ୍ରକ/ଅସୁରାଳି: କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।  ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ କରିଥିଲା ଭିଜିଲାନ୍ସ।  ୧୫ ଲକ୍ଷରୁ ଅଧିକ ଟଙ୍କାର ଆସବାବପତ୍ର ଠାବ ହୋଇଥିଲା।
ଝାରପଡ଼ା ଜେଲର ଅଧୀକ୍ଷକ ମଧ୍ୟ ଥିଲେ ସତ୍ୟପ୍ରକାଶ।  କଏଦୀଙ୍କ ଟଙ୍କାରେ କଳାଧନର ପାହାଡ଼ ଠିଆ କରିଥିଲେ। ଯେତିକି ଟଙ୍କା କୋଠାବାଡ଼ି, ଜମିଜମା, ସୁନାଗହଣା କିଣିବାରେ ଖର୍ଚ୍ଚ କରୁଥିଲେ, ତା’ଠାରୁ ଅଧିକ ସଉକରେ ଉଡ଼ାଇ ଦେଉଥିଲେ। ମାଲେସିଆ, ସିଙ୍ଗାପୁର ଭଳି ବିଦେଶ ଭ୍ରମଣଠାରୁ ଆରମ୍ଭ କରି ଦାମୀ ଘଣ୍ଟା ପିନ୍ଧିବା, ୩୦ ହଜାର ଟଙ୍କିଆ ସ୍କଚ୍‌ (ମଦ) ପିଇବା ତାଙ୍କ ପାଇଁ ସାଧାରଣ କଥା ଥିଲା।

ଗତକାଲି ଭିଜିଲାନ୍ସ ସତ୍ୟପ୍ରକାଶଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ରାଜ୍ୟର ୭ଟି ସ୍ଥାନରେ ଚଢ଼ଉ କରି ତାଙ୍କର ବିପୁଳ ସଂପତ୍ତି ଠାବ କରିଛି। ଠାବ ସଂପତ୍ତି ମଧ୍ୟରେ ୧.୫ କୋଟିର ଗୋଟିଏ ୪ତାଲା କୋଠା, ୪ଟି ଦାମୀ ପ୍ଲଟ୍, ୧୪ ଲକ୍ଷ ଟଙ୍କାର ଆସବାବପତ୍ର, ୨୦ ଲକ୍ଷ ଟଙ୍କା ମୂଲ୍ୟର ୮ଟି ଘଣ୍ଟା, ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି।

ସତ୍ୟପ୍ରକାଶଙ୍କ କେନ୍ଦୁଝର କାରାଗାର ଅଫିସ୍‌‌, ଲକ୍ଷ୍ମୀସାଗର ଗୋବିନ୍ଦ ପ୍ରସାଦ ଘର, ଖଣ୍ଡଗିରି ସିଦ୍ଧବିହାରସ୍ଥିତ ପୈତୃକ ବାସଭବନ, ଭଦ୍ରକ, ନରସିଂଙ୍ଗପୁର ଗାଁ, ଝାରପଡ଼ା ସ୍ପେଶାଲ ଜେଲ୍‌‌ କଲୋନୀ ସରକାରୀ କ୍ୱାଟର୍ସ(ବଦଳି ପରେ ବି ଜବରଦସ୍ତି ଅଛନ୍ତି), କେଉଁଝର ସରକାରୀ କ୍ୱାଟର୍ସ, ଝାରପଡ଼ାରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ସାମିଲ ଭିଜିଲାନ୍ସର ୭ଜଣିଆ ଟିମ୍‌‌ରେ ୧୨ଜଣ ଡିଏସ୍‌‌ପି, ୧୧ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ।

ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ସତ୍ୟପ୍ରକାଶଙ୍କ ସମ୍ପତ୍ତି ଦେଖି ଜଳକା ହୋଇଛନ୍ତି। ତାଙ୍କ ନାମରେ ଝାରପଡ଼ାରେ ୧.୫କୋଟିର ଗୋଟିଏ ୪ତାଲା ବିଲ୍ଡିଂ ରହିଛି। ସେହିପରି ଭୁବନେଶ୍ୱର, ବଲାଙ୍ଗୀର ଏବଂ ଢେଙ୍କାନାଳ ଟାଉନ୍‌ର ମୁଖ୍ୟ ସ୍ଥାନରେ ୪ଟି ଦାମୀ ପ୍ଲଟ୍‌‌ ରହିଛି। ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ବ୍ୟାଙ୍କ୍‌‌ ଏବଂ ପୋଷ୍ଟାଲରେ ୬.୨୪ ଲକ୍ଷର ଜମା ରହିଛି। ଗୋଟିଏ ୪ ଚକିଆ ଗାଡ଼ି ଥିବା ବେଳେ ଗୋଟିଏ ବାଇକ୍‌‌ ରହିଛି। ସେହିପରି ତାଙ୍କ ଘରୁ ୧୪.୪୬ଲକ୍ଷ ମୂଲ୍ୟର ଆସବାବପତ୍ର ଠାବ କରିଛି ଭିଜିଲାନ୍ସ। ବଡ଼ କଥା ହେଲା, ବାବୁଙ୍କ ଘରୁ ୮ଟି ଦାମୀ ଘଣ୍ଟା ଜବତ କରାଯାଇଛି। ଯାହାର ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ। ଭିଜିଲାନ୍ସ ଯାଞ୍ଚ ବେଳେ ତାଙ୍କ ଘରୁ ଦାମୀ ମଦ ମିଳିଛି। ସେହିପରି ୩୦ ହଜାର ଟଙ୍କାର ଦାମୀ ମଦ ବୋତଲ ମଧ୍ୟ ମିଳିଛି। କଏଦୀଙ୍କ ଟଙ୍କାରେ ସେ ଏପରି ପରିବାର ସହ ବିଦେଶ ଭ୍ରମଣ କରୁଥିଲେ। ଝାରପଡ଼ା ଜେଲ୍‌‌ର ସୁପରିଟେ‌ଣ୍ଡେଣ୍ଟ ଥିବା ବେଳେ ସେ କଏଦୀଙ୍କ ଟଙ୍କାରେ ଏସବୁ କଳାଧନ କରିଥିଲେ।

ସତ୍ୟପ୍ରକାଶ ସରକାରଙ୍କୁ ଦେଉଥିବା ସମ୍ପତ୍ତି ତାଲିକା ଲୁଚାଇଥିଲେ। ୨୦୦୧ ମସିହାରେ ଆସିଷ୍ଟାଣ୍ଟ ଜେଲର ଭାବେ କାମ ଆରମ୍ଭ କରିଥିବା ସତ୍ୟପ୍ରକାଶ ୨୦୦୮ ମସିହାରେ ଜେଲର ଭାବେ ପଦୋନ୍ନତି ପାଇ କଣ୍ଟାବାଞ୍ଜି ଜେଲରେ କାମ କରୁଥିଲେ। ୨୦୨୦ରେ ସେ ସୁପରିଟେଣ୍ଡେଣ୍ଟ ଭାବେ ପଦୋନ୍ନତି ପାଇଥିଲେ। କିନ୍ତୁ ଝାରପଡ଼ା ଜେଲରେ ଥିବା ସମୟରେ ତାଙ୍କ ବିରୋଧରେ ଚିଟଫଣ୍ଡ ଠକଙ୍କୁ ଅନୁକମ୍ପା ଦେଖାଇବା, ଜେଲରେ ଥିବା ଅପରାଧୀଙ୍କ ପାଖୁ ନିଶା ପଠାଇବା ଆଦି କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ ହେବା ସହ ବାବୁଙ୍କ ବିରୋଧରେ ପଡ଼ିଥିଲା ପୁଳାପୁଳା ପିଟିସନ ହୋଇଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜେଲ୍‌‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ନାମରେ ୨୦୨୩ରେ ଭିଜିଲାନ୍ସରେ ଜଣେ କଏଦୀ ଅଭିଯୋଗ କରିଥିଲେ। ସତ୍ୟପ୍ରକାଶ ଝାରପଡ଼ାରେ ଜେଲ୍‌‌ରେ ଥିବା ବେଳେ କଏଦୀଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିବା ନେଇ ୨୦୨୩ରେ କଏଦୀ ଲକ୍ଷ୍ମଣ ଶ୍ରୀନିବାସନ୍‌‌ ଅଭିଯୋଗ କରିଥିଲେ। ସେ ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱାଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ସେ ସତ୍ୟପ୍ରକାଶ ସ୍ୱାଇଁ ଏବଂ ଝାରପଡ଼ା ଜେଲ୍‌‌ର ତତ୍କାଳୀନ ଫାର୍ମାସିଷ୍ଟ ଶିବସ୍ନାତ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏକ ମାମଲାରେ ସେ ବର୍ଷେ ଧରି ଝାରପଡ଼ା ଜେଲ୍‌‌ରେ ରହିଥିଲେ। ସେ ମଧୁମେହ ଓ ବ୍ଲଡ୍‌‌ପ୍ରେସର ରୋଗରେ ଆକ୍ରାନ୍ତ ଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେଲ୍‌‌ ହସ୍ପିଟାଲରେ ଅଧିକ ଚିକିତ୍ସା ଆବଶ୍ୟକତା ଥିଲା। ହେଲେ ଏହି ସୁବିଧା ପାଇଁ ଜେଲ୍‌‌ ଫାର୍ମାସିଷ୍ଟ ତାଙ୍କଠାରୁ ମାସିକିଆ ଚାନ୍ଦା ଦାବି କରିଥିଲେ। ଟଙ୍କା ନଦେଲେ ତାଙ୍କୁ ସେଲ୍‌ରେ ରଖି ନିର୍ଯାତନା ଦେଉଥିଲେ। ଏହିଭଳି ସେ ସମସ୍ତ କଏଦୀଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ କରିଥିଲେ।