ଗୀତା ପ୍ରବଚକ ଗାନ୍ଧୀ
ବିଶ୍ୱମାନବ ମହାତ୍ମା ଗାନ୍ଧୀ ହେଉଛନ୍ତି ‘ଆଗ୍ରହର ଏକ ବିଶ୍ୱକୋଷ’। ଏହା କହିବାର ତାତ୍ପର୍ଯ୍ୟ ହେଉଛି ଯେ ପ୍ରକୃତିଠାରୁ ଆରମ୍ଭ କରି ପ୍ରଯୁକ୍ତି, ଶାସନଠାରୁ ସ୍ୱଚ୍ଛତା ଏବଂ ସାମାଜିକ ତତ୍ତ୍ୱଠାରୁ ଆରମ୍ଭ କରି ଭବିଷ୍ୟତ ଯାଏଁ ହୋଇଥିବା ଗାନ୍ଧୀଙ୍କ ନିଜସ୍ୱ ବିଶ୍ଳେଷଣ ସର୍ବକାଳୀନ ପ୍ରାସଙ୍ଗିକ। ଗାନ୍ଧିଜୀଙ୍କ ଅନେକ ଉତ୍ତମ ରଚନା ମଧ୍ୟରୁ ଭଗବତ ଗୀତା ଉପରେ ତାଙ୍କର ମନ୍ତବ୍ୟ ଏକ ସର୍ବୋତ୍ତମ ସାହିତ୍ୟ। ଯାହା ଭଗବତ ଗୀତାର ଦର୍ଶନ, ନୈତିକତା, ପ୍ରଯୁଜ୍ୟତା ଓ ବ୍ୟକ୍ତିର କର୍ତ୍ତବ୍ୟ ଏବଂ କାର୍ଯ୍ୟ […]

ବିଶ୍ୱମାନବ ମହାତ୍ମା ଗାନ୍ଧୀ ହେଉଛନ୍ତି ‘ଆଗ୍ରହର ଏକ ବିଶ୍ୱକୋଷ’। ଏହା କହିବାର ତାତ୍ପର୍ଯ୍ୟ ହେଉଛି ଯେ ପ୍ରକୃତିଠାରୁ ଆରମ୍ଭ କରି ପ୍ରଯୁକ୍ତି, ଶାସନଠାରୁ ସ୍ୱଚ୍ଛତା ଏବଂ ସାମାଜିକ ତତ୍ତ୍ୱଠାରୁ ଆରମ୍ଭ କରି ଭବିଷ୍ୟତ ଯାଏଁ ହୋଇଥିବା ଗାନ୍ଧୀଙ୍କ ନିଜସ୍ୱ ବିଶ୍ଳେଷଣ ସର୍ବକାଳୀନ ପ୍ରାସଙ୍ଗିକ। ଗାନ୍ଧିଜୀଙ୍କ ଅନେକ ଉତ୍ତମ ରଚନା ମଧ୍ୟରୁ ଭଗବତ ଗୀତା ଉପରେ ତାଙ୍କର ମନ୍ତବ୍ୟ ଏକ ସର୍ବୋତ୍ତମ ସାହିତ୍ୟ। ଯାହା ଭଗବତ ଗୀତାର ଦର୍ଶନ, ନୈତିକତା, ପ୍ରଯୁଜ୍ୟତା ଓ ବ୍ୟକ୍ତିର କର୍ତ୍ତବ୍ୟ ଏବଂ କାର୍ଯ୍ୟ ଉପରେ ପର୍ଯ୍ୟବସିତ।
୧୯୨୬ ମସିହା ଫେବ୍ରୁଆରି ୨୪ ତାରିଖଠାରୁ ନଭେମ୍ୱର ୨୭ ତାରିଖ ଯାଏଁ ଗାନ୍ଧିଜୀ ସାବରମତୀ ଆଶ୍ରମରେ ଭଗବତ ଗୀତା ଉପରେ ସ୍ୱତଃସ୍ଫୂର୍ତ୍ତ ବ୍ୟାଖ୍ୟା କରୁଥିଲେ। ୯ ମାସର ସେହି ପ୍ରବଚନଗୁଡ଼ିକ ଗାନ୍ଧୀଙ୍କ ଅନ୍ତର୍ଦୃଷ୍ଟି ଉପରେ ଆଧାରିତ ଥିଲା। ଏଥିପାଇଁ ସେ ପୂର୍ବପ୍ରସ୍ତୁତି କରୁ ନ ଥିଲେ। ଏହିସବୁ ବ୍ୟାଖ୍ୟାକୁ ଲିପିବଦ୍ଧ କରୁଥିଲେ ଗାନ୍ଧିଜୀଙ୍କ ଘନିଷ୍ଠ ସହଯୋଗୀ ମହାଦେବ ଦେଶାଇ ଏବଂ ସାବରମତୀ ଆଶ୍ରମର ପୁଞ୍ଜାଭାଇ ଶାହା। ଏହାବ୍ୟତୀତ ଭଗବତ ଗୀତାକୁ ସଂସ୍କୃତରୁ ଗୁଜୁରାଟୀ ଭାଷାକୁ ଅନୁବାଦ କରିଥିଲେ ଗାନ୍ଧିଜୀ। କାହାଣୀ, ପରିସ୍ଥିତିର ପ୍ରାସଙ୍ଗିକତା ଏବଂ ବାର୍ତ୍ତାଳାପ ମାଧ୍ୟମରେ ଆଶ୍ରମର ଅନ୍ତେବାସୀଙ୍କୁ ଗୀତାର ସାରମର୍ମ ବୁଝାଉଥିଲେ ମହାତ୍ମା।
୧୯୨୯ ମସିହା ଜୁନ ୨୪ ତାରିଖ, ଆଲମୋଡ଼ାରେ ଗୀତାର ପ୍ରସ୍ତାବନା ଅଂଶକୁ ଅନୁବାଦ ଶେଷ କରିଥିଲେ ଗାନ୍ଧିଜୀ। ହିନ୍ଦୀ, ବଙ୍ଗଳା ଓ ମରାଠୀ ଭାଷାରେ ମଧ୍ୟ ଏହାର ଅନୁବାଦ ହୋଇଥିଲା। ଏହା ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୩୧ ମସିହା ‘ୟଙ୍ଗ ଇଣ୍ଡିଆ’ର ଜୁନ ସଂକଳନରେ। ଏହାର ଶୀର୍ଷକ ଥିଲା ‘ଅନାସକ୍ତି ଯୋଗ’। ଏହାବ୍ୟତୀତ ଗାନ୍ଧୀଙ୍କ ପ୍ରଦତ୍ତ ଗୀତାର ପ୍ରବଚନ କିଛି ପୁସ୍ତକ ମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଛି। ବରିଷ୍ଠ ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ାଙ୍କ ମତରେ ବାଲ ଗଙ୍ଗାଧର ତିଳକ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ଶ୍ରୀ ଅରବିନ୍ଦଙ୍କ ଭଗବତ ଗୀତା ବ୍ୟାଖ୍ୟା ସହ ଗାନ୍ଧିଜୀଙ୍କ କୃତି ତୁଳନୀୟ। ଜନନେତାଙ୍କ ଦ୍ୱାରା ଆତ୍ମଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଗୀତା ପ୍ରବଚନର ପ୍ରୟୋଗ ସମଗ୍ର ବିଶ୍ୱ ପାଇଁ ଅନନ୍ୟ ଘଟଣା।
ଗାନ୍ଧୀଙ୍କ ମତରେ ମହାଭାରତ- ମହାକାବ୍ୟରେ ମନୁଷ୍ୟ ଭିତରେ ଥିବା ଉଭୟ କୌରବ ଓ ପାଣ୍ଡବମାନଙ୍କ ଯୁଦ୍ଧକୁ ବର୍ଣ୍ଣନା କରାଯାଇଛି। ଏହା ଭଲ-ମନ୍ଦ, ପାପ-ପୁଣ୍ୟର ଅଗଣିତ ଶକ୍ତି ମଧ୍ୟରେ ହେଉଥିବା ନିରନ୍ତର ସଂଘର୍ଷ, ଯାହା ପରିଶେଷରେ ବ୍ୟକ୍ତିର ଗୁଣ ଏବଂ ଦୁର୍ବଳତା ଭାବରେ ପରିଚିତ ହୋଇଯାଏ। ସାଧାରଣ ବ୍ୟକ୍ତି ନିମନ୍ତେ ଗୀତାର ଅର୍ଥ ହେଉଛି ଯେ ନିଜ ହାତକୁ ନେଇଥିବା କାର୍ଯ୍ୟ ବା ସ୍ଥିର କରିଥିବା କୌଣସି ଲକ୍ଷ୍ୟକୁ ମଝିରେ ଛାଡ଼ିବା ଉଚିତ୍ ନୁହେଁ। ଗାନ୍ଧିଜୀଙ୍କ ଏହି ଗୀତାମନ୍ତ୍ର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଏବଂ ସମାଜକୁ ପରିବର୍ତ୍ତନ ପାଇଁ ପ୍ରଚେଷ୍ଟା କରୁଥିବା ଯୁବବର୍ଗ ପାଇଁ ଏକ ସଞ୍ଜୀବନୀ ସଦୃଶ ଥିଲା। ଏହାର ପ୍ରାସଙ୍ଗିକତା ଏବେ ମଧ୍ୟ ଅଛି ଏଥିରେ ଦ୍ୱିମତ ନାହିଁ।
ଭଗବତ ଗୀତାର ବାର୍ତ୍ତା ବିଷୟରେ ଗାନ୍ଧିଜୀ ଆଲୋଚନା ଆଳରେ କହିଛନ୍ତି ଯେ ଗୀତା ଶାରୀରିକ ଯୁଦ୍ଧ ବା ରକ୍ତପାତ ବିଷୟରେ ନୁହେଁ, ବରଂ ଏକ ଆଭ୍ୟନ୍ତରୀଣ ଆଧ୍ୟାତ୍ମିକ ସଂଘର୍ଷର ସମାଧାନ। ମହାଭାରତ କେବେ ବି ଯୁଦ୍ଧର ମହିମା ଗାନ କରେନାହିଁ ବରଂ ଏହାର ନିରର୍ଥକତାକୁ ଦର୍ଶାଇଛି। ଭଗବତ ଗୀତାରେ ଶ୍ରୀକୃଷ୍ଣ ହେଉଛନ୍ତି ପୂର୍ଣ୍ଣତା ଏବଂ ଜ୍ଞାନର ପ୍ରତିମୂର୍ତ୍ତି। ହିନ୍ଦୁ ଧର୍ମରେ ଯେଉଁମାନେ ମାନବିକତାର ଅସାଧାରଣ ସେବା କରନ୍ତି ସେମାନଙ୍କୁ ଅବତାର କୁହାଯାଏ। ଅବତାରରେ ବିଶ୍ୱାସ ହେଉଛି ଭାରତୀୟଙ୍କ ଆଧ୍ୟାତ୍ମିକ ଅଭିଳାଷର ପ୍ରତିଫଳନ। ଗୀତା ହେଉଛି ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ସମ୍ୱଳିତ ଏକ ପ୍ରୟୋଗ ଶାସ୍ତ୍ର। ଗାନ୍ଧିଜୀଙ୍କ ମତରେ ଭଗବତ ଗୀତାର ଦୁଇଟି ପ୍ରମୁଖ ଧାରଣା ହେଉଛି ତ୍ୟାଗ ଓ ବଳିଦାନ। ପ୍ରାଚୀନ ଯୁଗରେ ବଳିଦାନର ଅର୍ଥ ସୀମିତ ଥିଲା। କିନ୍ତୁ ଗୀତାରେ ଏହାକୁ ଏକ ବିକଶିତ ଅର୍ଥ ବା ତ୍ୟାଗ ଭାବେ ବର୍ଣ୍ଣନା କରାଯାଇଛି, ଯାହା ସେବା ଓ ଭକ୍ତିର ଢାଞ୍ଚା ଉପରେ ଦଣ୍ଡାୟମାନ। ଗାନ୍ଧୀଙ୍କ ମତ ଅନୁଯାୟୀ ଅହିଂସାର ସମ୍ପୂର୍ଣ୍ଣ ଅନୁସରଣ ଦ୍ୱାରା ହିଁ ପ୍ରକୃତ ତ୍ୟାଗ ସମ୍ଭବ। ସେହିପରି ସନ୍ନ୍ୟାସର ଅର୍ଥ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ନୁହେଁ, ବରଂ କାର୍ଯ୍ୟ ଓ ବିରାଗର ଏକ ସନ୍ତୁଳନ।
ଗାନ୍ଧୀ ଦୃଢ଼ ଯୁକ୍ତି ବାଢ଼ନ୍ତି ଯେ ଭଗବତ ଗୀତା ଆମର ଦୈନନ୍ଦିନ ଜୀବନରେ ଧାର୍ମିକ ନୀତିଗୁଡ଼ିକୁ ସମନ୍ୱିତ କରିଥାଏ। ଲୋଭ, ଆସକ୍ତି ଓ ଆକର୍ଷଣ ସହିତ କରାଯାଇଥିବା କାର୍ଯ୍ୟଗୁଡ଼ିକ ହେଉଛି ସମସ୍ୟାଜନକ। ଅପରପକ୍ଷେ ନିଃସ୍ୱାର୍ଥପର କାର୍ଯ୍ୟ ଆଧ୍ୟାତ୍ମିକ ଶ୍ରେଣୀଭୁକ୍ତ। ଗୀତାରେ ବର୍ଣ୍ଣିତ ସତ୍ୟ ଓ ଅହିଂସାକୁ ମୂଳପିଣ୍ଡ ଭାବେ ଗ୍ରହଣ କରି ଗାନ୍ଧୀ କହିଛନ୍ତି ଯେ ପୁରସ୍କାର ବା ପ୍ରତିଫଳ ପାଇଁ ଇଚ୍ଛା ଅନେକ ସମୟରେ ଆମକୁ ଅସତ୍ୟ ଓ ହିଂସା ବାଟରେ ନେଇଯାଏ। ପ୍ରୟାସର ପରିତ୍ୟାଗ ବାର୍ତ୍ତା ନୁହେଁ, ବରଂ ଆକାଂକ୍ଷାର ତ୍ୟାଗ କଥା କୁହେ ଭଗବତ ଗୀତା।
ଅହିଂସା ଉପରେ ଧ୍ୟାନ ଦେଇ ଗାନ୍ଧିଜୀ ଗୀତା ପଠନକୁ ଉଭୟ ବ୍ୟକ୍ତିଗତ ଆଚରଣ ଏବଂ ସାମାଜିକ କାର୍ଯ୍ୟ ପାଇଁ ଏକ ମୌଳିକ ନୀତି ଭାବେ ବିବେଚନା କରୁଥିଲେ। ବିଶେଷକରି ଉପନିବେଶବାଦୀ ଶାସନ ବିରୋଧରେ ସଂଘର୍ଷ ଓ ନୈତିକ ଦ୍ୱନ୍ଦ୍ୱକୁ ଅହିଂସାତ୍ମକ ଢଙ୍ଗରେ ସମାଧାନ କରିବା ପାଇଁ ଗୀତା ଏକ ଢାଞ୍ଚା ପ୍ରଦାନ କରିଥିଲା ବୋଲି ସେ ଦୃଢ଼ ବିଶ୍ୱାସ କରୁଥିଲେ। ଭଗବତ ଗୀତାରେ ଉଲ୍ଲେଖ ଥିବା ଭକ୍ତିର ଧାରଣା ବିଷୟରେ ଗାନ୍ଧୀ ଅତି ସରଳରେ ବ୍ୟାଖ୍ୟା କରିଛନ୍ତି। ଭକ୍ତି ଭାବନାର ଅର୍ଥ ଅନ୍ଧବିଶ୍ୱାସ କିମ୍ୱା ବାହ୍ୟ ରୀତିନୀତି ନୁହେଁ, ବରଂ ଏହା ନିଃସ୍ୱାର୍ଥପରତା ଓ ସମାନତାର ଏକ ଆଧ୍ୟାତ୍ମିକ ଅବସ୍ଥା। ଭକ୍ତି ଓ ନିଷ୍ଠା ପାଇଁ କେବଳ ବୌଦ୍ଧିକ ବିକାଶ ପର୍ଯ୍ୟାପ୍ତ ନୁହେଁ। ଗାନ୍ଧୀଙ୍କ ଦୃଢ଼ୋକ୍ତି ଥିଲା ଯେ ତାତ୍ତ୍ୱିକ ଶିକ୍ଷା ପରିବର୍ତ୍ତେ ଶୃଙ୍ଖଳିତ ବ୍ୟବହାର ଓ ନିଃସ୍ୱାର୍ଥପରତା ଦ୍ୱାରା ହିଁ ପ୍ରାପ୍ତ କାର୍ଯ୍ୟରେ ସମ୍ପୂର୍ଣ୍ଣ ଶାନ୍ତି ମିଳିଥାଏ। ସାବରମତୀ ଆଶ୍ରମର ଅନ୍ତେବାସୀଙ୍କୁ ‘ଅଧର୍ମ’ର ଅର୍ଥ ବୁଝେଇବାକୁ ଯାଇ ଗାନ୍ଧୀ ବର୍ଣ୍ଣନା କରିଥିଲେ ଯେ ଗୀତା ବ୍ୟାବହାରିକ ଜୀବନ ସହିତ ଜଡ଼ିତ। ଯେଉଁ ଧର୍ମ ବ୍ୟାବହାରିକ ଆବଶ୍ୟକତା ପୂରଣ କରେ ନାହିଁ ତାହା ହିଁ ଅଧର୍ମ। ଉଦାହରଣ ମାଧ୍ୟମରେ ଗାନ୍ଧୀ କହିଲେ ‘ବର୍ଷା ପାଇଁ ପ୍ରକୃତିର ସୁରକ୍ଷା ଆବଶ୍ୟକ। ପଶୁବଳି ଦେଲେ ବର୍ଷା ହୁଏ ନାହିଁ। ଏହା ଅଧର୍ମ ଏବଂ ଏହି ବ୍ୟବହାର ପରିବର୍ତ୍ତନ ପାଇଁ ଜ୍ଞାନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ।’
ଗାନ୍ଧିଜୀ ସାବରମତୀରେ ପ୍ରବଚନ ବା ଗୁଜୁରାଟୀ ଭାଷାର ଅନୁବାଦ ବ୍ୟତୀତ ନିଜ ଚିଠି ମାଧ୍ୟମରେ ମଧ୍ୟ ଗୀତା ବାଣୀର ପ୍ରଚାର ଓ ପ୍ରସାର କରୁଥିଲେ। ୧୯୩୩ ହରିଜନ ପଦଯାତ୍ରା ସମୟରେ କସ୍ତୁରବାଙ୍କ ଅନୁରୋଧ ରକ୍ଷା କରି ପ୍ରତି ସୋମବାର ଚିଠି ଲେଖୁଥିଲେ ମୋହନଦାସ। କସ୍ତୁରବାଙ୍କୁ ଦେଉଥିବା ଚିଠିରେ ଭକ୍ତି, ସେବା, ସମର୍ପଣ, ସାହସ ଓ ତ୍ୟାଗ ଭଳି ଗୀତାବାଣୀର ସାରାଂଶ ଥିଲା। ଗୀତା ବିଷୟରେ ଗାନ୍ଧିଜୀଙ୍କ ବ୍ୟାଖ୍ୟା କେବଳ ବ୍ୟକ୍ତିଗତ ନୈତିକତା ନଥିଲା। ଏହା ଭାରତର ସ୍ୱାଧୀନତା ସଂଗ୍ରାମ ସମୟର ରାଜନୈତିକ ରଣନୀତି ବିଷୟରେ ମଧ୍ୟ ସୂଚନା ଦେଉଥିଲା। ଗାନ୍ଧୀ ବିଶ୍ୱାସ କରୁଥିଲେ ଯେ ଉପନିବେଶବାଦୀ ଶାସନ ବିରୁଦ୍ଧରେ ଏକାଠି ହେବାକୁ ହେଲେ ଲୋକଙ୍କୁ ସାମାଜିକ-ରାଜନୈତିକ ପରିପ୍ରେକ୍ଷୀରେ ନିଜର କର୍ତ୍ତବ୍ୟ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାବରମତୀ ଆଶ୍ରମରେ ଗୀତା ଉପରେ ମହାତ୍ମାଙ୍କ ବକ୍ତବ୍ୟ ହିଂସା ଓ ଅହିଂସା ମଧ୍ୟରେ ପରସ୍ପର ସମ୍ପର୍କ ଉପରେ ଆଲୋକପାତ କରିବା ସହ ସ୍ୱାଧୀନତା ସଂଗ୍ରାମରେ ନୈତିକ ଦିଗକୁ ଚିହ୍ନିବାକୁ ଅନୁଗାମୀମାନଙ୍କୁ ଆହ୍ୱାନ ଦେଉଥିଲା। ପ୍ରତିକୂଳ ପରିସ୍ଥିତିରେ ଭଗବତ ଗୀତାକୁ ସାନ୍ତ୍ୱନା ଓ ମାର୍ଗଦର୍ଶନର ଉତ୍ସ ବୋଲି ଗାନ୍ଧିଜୀ ବାରମ୍ୱାର କହୁଥିଲେ ଏବଂ ମନ୍ତବ୍ୟ ଦେଇଥିଲେ ଯେ ଯେତେବେଳେ ବି ସେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ଗୀତା ଉଭୟ ଉତ୍ତର ଓ ସମାଧାନର ବାଟ ଦେଖାଇଥାଏ।
ଗୀତାର ଶିକ୍ଷା କେବଳ ଏକ ପୁସ୍ତକରେ ସଂରକ୍ଷିତ ରହିବା ପାଇଁ ଉଦ୍ଦିଷ୍ଟ ନୁହେଁ। ସେହି ଶିକ୍ଷାକୁ କାର୍ଯ୍ୟରେ ପ୍ରତିଫଳନ କରିବା ସହ ଅଭ୍ୟାସରେ ଲାଗୁ କରିବା ମଧ୍ୟ ଜରୁରୀ। ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଓ କାର୍ଯ୍ୟକୁ ଗଢ଼ି ତୋଳିବାରେ ଭଗବତ ଗୀତା ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଗୀତାକୁ ପାଥେୟ କରି ଗାନ୍ଧିଜୀ ନୈତିକ ନୀତିରେ ଆଧାରିତ ଏକ ସାମାଜିକ ନ୍ୟାୟସମ୍ପନ୍ନ ଦୃଷ୍ଟିକୋଣକୁ ପ୍ରୟୋଗ କରିଥିଲେ। ଗାନ୍ଧୀଙ୍କ ମତରେ ‘ଯେତେବେଳେ ଆମର ପେଟ ଯନ୍ତ୍ରଣା ହୁଏ, ଆମେ ଘରୋଇ ଉପଚାର ପୁସ୍ତକର ପରାମର୍ଶ ନେଇ ଔଷଧ ବ୍ୟବହାର କରିଥାଉ। ଠିକ ସେହିପରି ଭଗବତ ଗୀତା ହେଉଛି ଆମର ଆଧ୍ୟାତ୍ମିକକ ରୋଗ ପାଇଁ ଉଦ୍ଦିଷ୍ଟ ଏକ ଘରୋଇ ଉପଚାର ପୁସ୍ତକ। ଆସନ୍ତୁ ଗାନ୍ଧୀଙ୍କ ଭଳି ଆମ ଜୀବନରେ ମଧ୍ୟ ଗୀତାର ପ୍ରୟୋଗ କରିବା।
ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨