ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ, ୩ ଜଣଙ୍କୁ ବାନ୍ଧିଲା ପୁଲିସ୍
ଏହି ଆକ୍ରମଣରେ ବୃଦ୍ଧଜଣକ ଗୁରୁତର ହୋଇଥିବା ବେଳେ ପୁଲିସ୍ ଦୁଇ ନାବାଳକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି।
ଗୁଣିଗାରେଡି ସନ୍ଦେହରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ବୃଦ୍ଧ। ଏହି ଆକ୍ରମଣରେ ବୃଦ୍ଧଜଣକ ଗୁରୁତର ହୋଇଥିବା ବେଳେ ପୁଲିସ୍ ଦୁଇ ନାବାଳକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଚଳକୀ ଗ୍ରାମରେ ଘଟିଛି।
ଆକ୍ରମଣର ଶିକାର ହୋଇଥିବା ବୃଦ୍ଧଜଣକ ହେଲେ ଅର୍ଛୁ ବାଗ । ଗିରଫ ଅଭିଯୁକ୍ତମାନେ ହେଲେ ଚଳକୀ ଗ୍ରାମର ପଦ୍ମନ ଭୋଇ ଓ ଅନ୍ୟ ଦୁଇ ନାବାଳକ ।
ଅର୍ଛୁ ବାଗଙ୍କ ବଡ଼ ଭାଇ ଡମ୍ବରୁ ବାଗ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଗ୍ରାମର ପଦ୍ମନ ଭୋଇଙ୍କ ସହ ଅନ୍ୟମାନେ ରାତିରେ ସଂଘବଦ୍ଧ ଭାବେ ପଥର ଓ ବାଡ଼ିରେ ମୋ’ ଭାଇକୁ ମରଣାନ୍ତକ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବା ପରେ ସେମାନେ ତାକୁ ଲାତ, ବିଧା ମାରି ଚାଲିଥିଲେ। ଭାଇର ଚିତ୍କାର ଶୁଣି ପଡ଼ୋଶୀମାନେ ଚାଲି ଆସିବାରୁ ସେମାନେ ତାକୁ ଛାଡି ପଳାଇଥିଲେ।
ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେଠାରୁ ସେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।
ଆକ୍ରମଣକାରୀ ପରିବାରର ଜଣଙ୍କ ଦେହ ବାରମ୍ବାର ଅସୁସ୍ଥ ହେଉଥିବାରୁ ଏଥିପାଇଁ ସେମାନେ ଅର୍ଚ୍ଛୁଙ୍କୁ ଦାୟୀ କରି ଏହି ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ତଦନ୍ତ କରି ଆକ୍ରମଣ କରିଥିବା ଅଭିଯୋଗ ରେ ଅଭିଯୁକ୍ତ ପଦ୍ମନ ଭୋଇଙ୍କୁ କଣ୍ଟାବାଞ୍ଜି ଜେଲ୍କୁ ପଠା ଯାଇଥିବା ବେଳେ ଅନ୍ୟ ଦୁଇ ନାବାଳକ ଙ୍କୁ ଭବାନୀପାଟଣା ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ଜଣାପଡିଛି l