ଗୁରୁବାର ଭାରତ-ପାକିସ୍ତାନ ସେମି ‍ଫାଇନାଲ ଲଢ଼େଇ: ତେଜିଲା ବିବାଦ

WCLର ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ଥିଲା। କିନ୍ତୁ ଭାରତୀୟ ଟିମର ଏକାଧିକ ଖେଳାଳି ପାକିସ୍ତାନ ସହ ମ୍ୟାଚ୍‌ ଖେଳିବାକୁ ମନା କରିଥିଲେ।

ଗୁରୁବାର ଭାରତ-ପାକିସ୍ତାନ ସେମି ‍ଫାଇନାଲ ଲଢ଼େଇ: ତେଜିଲା ବିବାଦ

କିମ୍ବଦନ୍ତୀଙ୍କ ବିଶ୍ୱ ଚାମ୍ପିୟନଶିପ(WCL)ର ସେମି ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ପାକିସ୍ତାନ। ଆସନ୍ତାକାଲି ଇଂଲଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଛି। କିନ୍ତୁ ଭାରତ-ପାକିସ୍ତାନ ସେମି ଫାଇନାଲ ପୂର୍ବରୁ ଦେଖାଯାଇଛି ବିବାଦ। WCLର ପ୍ରମୁଖ ପ୍ରାୟୋଜକ EaseMyTrip ଭାରତ-ପାକିସ୍ତାନ ସେମି ଫାଇନାଲରୁ ଓହରି ଯାଇଛି। ଏନେଇ କମ୍ପାନୀର ସହ ପ୍ରତିଷ୍ଠାତା ନିଶାନ୍ତ ପିଟ୍ଟି ସୂଚନା ଦେଇଛନ୍ତି।

WCLର ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ଥିଲା। କିନ୍ତୁ ଭାରତୀୟ ଟିମର ଏକାଧିକ ଖେଳାଳି ପାକିସ୍ତାନ ସହ ମ୍ୟାଚ୍‌ ଖେଳିବାକୁ ମନା କରିଥିଲେ। ଏଥିଯୋଗୁ ଗ୍ରୁପ ପର୍ଯ୍ୟାୟ ମ୍ୟାଚକୁ ବାତିଲ କରି ଉଭୟ ଦଳକୁ ୧-୧ ପଏଣ୍ଟ ଦିଆଯାଇଥିଲା। ଏବେ ସେମି ଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହେବାର ସ୍ଥିତି ସୃଷ୍ଟି ହୋଇଛି।

ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନ ୧ନଂ ସ୍ଥାନରେ ରହିଥିବା ବେଳେ ଭାରତ ୪ ନମ୍ବରରେ ରହିଛି। ଟୁର୍ଣ୍ଣାମେଣ୍ଟ ନିୟମ ଅନୁସାରେ ପଏଣ୍ଟ ଟେବୁଲର ୧ନଂ ଓ ୪ ନଂ ସ୍ଥାନରେ ରହିଥିବା ଦଳ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ତେଣୁ ଭାରତ ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ନ ୫ଟାରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୀତିକ ବିବାଦ ଚାଲିଥିବାରୁ ଭାରତ-ପାକିସ୍ତାନ ସେମି ଫାଇନାଲ ଲଢ଼େଇକୁ ନେଇ ଅନିଶ୍ଚିତତା ଲାଗି ରହିଛି। ମ୍ୟାଚ୍‌ ଖେଳା ଯିବ କି ନାହିଁ, ସେନେଇ କୌଣସି ସ୍ପଷ୍ଟତା ଆସିନି। ଏହାପୂର୍ବରୁ କିନ୍ତୁ ନିଶାନ୍ତ ବଡ଼ ପଦକ୍ଷେପ ନେଇଛନ୍ତି। ଆତଙ୍କବାଦ ଓ କ୍ରିକେଟ ଏକାଠି ଚାଲି ପାରିବ ନାହିଁ ବୋଲି କହି ନିଶାନ୍ତଙ୍କ EaseMyTrip ଭାରତ-ପାକିସ୍ତାନ ମ୍ୟାଚ୍‌ରୁ ଓହରି ଯାଇଛି।

ସେ ଏକ୍ସରେ କହିଛନ୍ତି, “ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡରେ ଭାରତୀୟ ଟିମର ଚମତ୍କାର ପ୍ରଦର୍ଶନକୁ ଆମେ ପ୍ରଶଂସା କରୁଛୁ। ପୂରା ଟିମ ଦେଶକୁ ଗର୍ବିତ କରିଛି। ତେବେ ପାକିସ୍ତାନ ବିପକ୍ଷ ସେମି ଫାଇନାଲ ଗୋଟିଏ ସାଧାରଣ ମ୍ୟାଚ୍‌ ନୁହେଁ। ଆତଙ୍କବାଦ ଓ କ୍ରିକେଟ ଗୋଟିଏ ସମୟରେ ଚାଲି ପାରିବ ନାହିଁ। EaseMyTrip ଓ ଆମେ ଭାରତ ସହ ରହିଛୁ। ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶ ସହ ସମ୍ପର୍କକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଥିବା କୌଣସି କାର୍ଯ୍ୟକ୍ରମକୁ ଆମେ ସମର୍ଥନ କରିପାରିବୁ ନାହିଁ। ଭାରତର ଲୋକମାନେ କହିଛନ୍ତି ଓ ଆମେ ସେମାନଙ୍କୁ ଶୁଣିଛୁ। EaseMyTrip ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଯୋଡ଼ି ହେବ ନାହିଁ। ଖେଳ ଠାରୁ କିଛି ଅଧିକ ରହିଛି। ପ୍ରଥମେ ଦେଶ, ତା’ପରେ ବ୍ୟବସାୟ।”

WCL ପରି ଭାରତ ମଧ୍ୟ ଏସିଆ କପ ୨୦୨୫ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ବୟକଟ କରୁ ବୋଲି ମତ ଉଠିବାରେ ଲାଗିଛି। ଆସନ୍ତା ସେପ୍ଟେମ୍ବର ୯ରୁ ୟୁଏଇଇରେ ଏସିଆ କପ ଆରମ୍ଭ ହେବ। ଭାରତ ଓ ପାକିସ୍ତାନ ସେପ୍ଟେମ୍ବର ୧୪ରେ ମ୍ୟାଚ ଖେଳିବାର ରହିଛି। ଏହାକୁ ବୟକଟ କରିବାକୁ ଏବେ ଠାରୁ ସ୍ୱର ଉଠିବାରେ ଲାଗିଛି।