ଗୁଳିମାଡ଼ରୁ କେମିତି ବର୍ତ୍ତିଲେ ସୁଖବୀର ବାଦଲ; ଦେଖନ୍ତୁ ଭିଡିଓ

ଆଖି ପିଛୁଳାକେ ଆକ୍ରମଣକାରୀକୁ କାବୁ କଲେ ସେବାଦାର। ଅଳ୍ପକେ ଟଳିଲା ବଡ଼ ଅଘଟଣ।

ଗୁଳିମାଡ଼ରୁ କେମିତି ବର୍ତ୍ତିଲେ ସୁଖବୀର ବାଦଲ; ଦେଖନ୍ତୁ ଭିଡିଓ

ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ ସମୟର ଭିଡିଓ ସାମ୍ନାକୁ ଆସିଛି। ଗୁଳିମାଡ଼ କରିଥିବା ଆକ୍ରମଣକାରୀ ନାରାୟଣ ସିଂହକୁ ଗିରଫ କରିନେଇଛି ପୁଲିସ। ସେ ଜଫରବାଲ ଗ୍ରୁପ ଓ ବାବର ଖାଲସା ଆତଙ୍କବାଦୀ ସଂଗଠନ ସହ ଜଡିତ ଥିବା କୁହାଯାଉଛି। ତେବେ ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ ଏହି ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଛନ୍ତି।

ସ୍ୱର୍ଣ୍ଣ ମନ୍ଦିର ସାମ୍ନାରେ ଗୁଳିମାଡ଼:
ଉଲ୍ଲେଖଯୋଗ୍ୟ, ପଞ୍ଜାବରେ ଶିରୋମଣି ଅକାଳୀ ସରକାର ସମୟରେ ଏକ ଧାର୍ମିକ ଅପବିତ୍ରୀକରଣ ମାମଲାରେ ଅକାଲ ତଖ୍ତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ  ସୁଖବୀର ସିଂହ ବାଦଲ। ଧର୍ମଦଣ୍ଡ ସ୍ୱରୂପ ତାଙ୍କୁ ସ୍ୱର୍ଣ୍ଣ ମନ୍ଦିର ସମେତ ଅନ୍ୟ ଗୁରୁଦ୍ୱାରରେ ଶୌଚାଳୟ,ବାସନ ଓ ଜୋତା ସଫା କରିବା ସହ ଜଗୁଆଳୀ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ଏକ ହ୍ୱିଲ ଚେୟାରରେ ବସି ଆଜି (ବୁଧବାର) ସ୍ୱର୍ଣ୍ଣ ମନ୍ଦିରର ଜଗୁଆଳ ସାଜିଥିଲେ। ଏହି ସମୟରେ ଲୋକଙ୍କ ମଧ୍ୟରୁ ଆସି ହଠାତ ତାଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା ନାରାୟଣ ସିଂହ। ହେଲେ ପାଖରେ ଥିବା ଜଣେ ସେବାଦାରଙ୍କ କାରଣରୁ ସୁଖବୀର ସିଂ ବାଦଲ ବା ସେଠାରେ ଉପସ୍ଥିତ ଅନ୍ୟ କାହାର କୌଣସି କ୍ଷତି ହୋଇନାହିଁ।

କିଏ ଏହି ନାରାୟଣ ସିଂହ?
ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ନାରାୟଣ ସିଂହ ଗୁରୁଦାସପୁର ଜିଲ୍ଲାର ଚୌଡ଼ା ଗାଁର ବାସିନ୍ଦା। ତାର ପିତାଙ୍କ ନାମ ଚନନ ସିଂହ ବୋଲି ଜଣାପଡ଼ିଛି। ଅଭିଯୁକ୍ତକୁ ଚଣ୍ଡିଗଡ଼ ପୁଲିସ ପୂର୍ବରୁ ମଧ୍ୟ ଦୁଇଥର ଗିରଫ କରିଥିଲା। ସେ ଡେରା ବାବା ନାନକ ମାର୍କେଟ କମିଟି ଅଧ୍ୟକ୍ଷ ନରେନ୍ଦ୍ର ସିଂହ ଚୌଧୁରୀଙ୍କ ଭାଇ। ୨୦୦୪ ମସିହାରେ ଚାରି ଜଣ ଖାଲିସ୍ତାନୀ ଆତଙ୍କବାଦୀ ଜେଲରୁ ଫେରାର ହୋଇଥିଲେ। ଏହି ଘଟଣାରେ ସେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିଲା। ଏହି ଚାରିଜଣ କଏଦୀ ୯୪ ଫୁଟ ଲମ୍ବର ଟନେଲ ଖୋଳି ଜେଲରୁ ଖସି ଯାଇଥିଲେ। ତେବେ କୋର୍ଟ ଏହି ମାମଲାରେ ଅଭିଯୁକ୍ତ ନାରାୟଣ ସିଂହକୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ।

ଆକ୍ରମଣ ପୂର୍ବରୁ ଘେରି ରହିଥିଲେ ସୁରକ୍ଷାକର୍ମୀ:
କୁହାଯାଉଛି ଯେ ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ କରାଯାଇପାରେ ବୋଲି ପୁଲିସ ପୂର୍ବରୁ କୌଣସି ସୁରାକ୍ ପାଇଥିଲା। କାରଣ ଯେତେବେଳେ ସୁଖବୀର ବାଦଲ ତାଙ୍କୁ ମିଳିଥିବା ଧର୍ମଦଣ୍ଡର ଏକ ଅଂଶ ଭାବରେ ସ୍ୱର୍ଣ୍ଣ ମନ୍ଦିର ବାହାରେ ଜଗୁଆଳ ଭାବେ ବସିଥିଲେ, ସେତେବେଳେ ତାଙ୍କ ନିକଟରେ ସାଧା ପୋଷାକରେ ପୁଲିସ୍ ନିୟୋଜିତ ହୋଇଥିଲେ। ସେମାନେ ସୁଖବୀର ବାଦଲଙ୍କ ଚାରିପାଖରେ ଘେରି ରହି ସମ୍ଭାବ୍ୟ ଆକ୍ରମଣ ଉପରେ ନଜର ରଖିଥିଲେ। ଏବଂ ସମାନ ଘଟଣା ଘଟିଗଲା। ତେବେ ସେଠାରେ ଉପସ୍ଥିତ ଜଣେ ସେବାଦାରଙ୍କ ତତ୍ପରତା କାରଣରୁ ସେଠାରେ କାହାର କିଛି କ୍ଷତି ହୋଇ ନଥିଲା ଏବଂ ଆକ୍ରମଣକାରୀ ମଧ୍ୟ ଠିକ୍ ସମୟରେ ଧରାପଡିଥିଲା।