ଗୃହପାଳିତ ପଶୁଙ୍କୁ ଅଂଶୁଘାତ କବଳରୁ ସୁରକ୍ଷିତ ରଖିବାର ଉପାୟ…..
ବାୟୁ ମଣ୍ଡଳ ଉତ୍ତପ୍ତ ରହିବା ସଙ୍ଗେ ଗରମ ପବନ ବହିବାକୁ ଗ୍ରୀଷ୍ମପ୍ରବାହ ବା ହିଟ୍ୱେଭ୍ କୁହାଯାଏ। ଏହା ଗୃହପାଳିତ ପ୍ରାଣୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଏ। ତା ସହ ସେମାନଙ୍କର ଉତ୍ପାଦନ କ୍ଷମତା ହ୍ରାସ ପାଇଥାଏ। ତେଣୁ ଅଧିକ ତାପମାତ୍ରା ଯୋଗୁଁ ପ୍ରାଣୀଙ୍କୁ ଅଂଶୁଘାତ କବଳରୁ ସୁରକ୍ଷିତ ରଖିବାକୁ ବିଭିନ୍ନ ଉପାୟ ରହିଛି। ଗ୍ରୀଷ୍ମ ପ୍ରବାହରେ ଗାଈଙ୍କ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ୧୦୩ ରୁ ୧୦୪ ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ବଢ଼ିଯାଇଥାଏ। ସେମାନଙ୍କ ପାଟିରୁ ଲାଳ, […]

ବାୟୁ ମଣ୍ଡଳ ଉତ୍ତପ୍ତ ରହିବା ସଙ୍ଗେ ଗରମ ପବନ ବହିବାକୁ ଗ୍ରୀଷ୍ମପ୍ରବାହ ବା ହିଟ୍ୱେଭ୍ କୁହାଯାଏ। ଏହା ଗୃହପାଳିତ ପ୍ରାଣୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଏ। ତା ସହ ସେମାନଙ୍କର ଉତ୍ପାଦନ କ୍ଷମତା ହ୍ରାସ ପାଇଥାଏ। ତେଣୁ ଅଧିକ ତାପମାତ୍ରା ଯୋଗୁଁ ପ୍ରାଣୀଙ୍କୁ ଅଂଶୁଘାତ କବଳରୁ ସୁରକ୍ଷିତ ରଖିବାକୁ ବିଭିନ୍ନ ଉପାୟ ରହିଛି।
ଗ୍ରୀଷ୍ମ ପ୍ରବାହରେ ଗାଈଙ୍କ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ୧୦୩ ରୁ ୧୦୪ ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ବଢ଼ିଯାଇଥାଏ। ସେମାନଙ୍କ ପାଟିରୁ ଲାଳ, ଫେଣ ବାହାରିବା ସହ ଜୋର୍ରେ ନିଶ୍ୱାସ ପ୍ରଶ୍ୱାସ ନେଇ ଥାଆନ୍ତି। ଅସ୍ଥିର ହୋଇପଡ଼ିଥାନ୍ତି। ଖାଇବା ପିଇବା ମଧ୍ୟ କମାଇ ଦିଅନ୍ତି। ଏହା କମ୍ କ୍ଷୀର ଉତ୍ପାଦନର ଏକ ପ୍ରମୁଖ କାରଣ।
ଭିଟାମିନ୍ ସି ଉତ୍ସ: ଅଧିକ ଖରାରେ ଗାଈ ଓ ମଇଁଷିଙ୍କୁ ଚରିବାକୁ ନ ଛାଡି ସକାଳେ କିମ୍ବା ସନ୍ଧ୍ୟାରେ ତାଙ୍କୁ ଦାନା ଦେବା ଦରକାର। ଖରାବେଳେ କଅଁଳ ଘାସ ଦେବା ଦ୍ବାରା ଏହା ହଜମ ହେବାରେ ସହାୟକ ହୋଇଥାଏ। ଶରୀରର ତାପମାତ୍ରା ଅଧିକ ବଢ଼ି ନ ଥାଏ। ଏହାଛଡ଼ା ଭିଟାମିନ୍ ସିର ବିଭିନ୍ନ ପ୍ରକାର ଔଷଧ ଯଥା- ପାଉଡର ଏବଂ ତରଳକୁ ଗାଈ ଓ ମଇଁଷିକୁ ଦେଇପାରିବେ। ଏହାଦ୍ବାରା ସେମାନଙ୍କର ଉତ୍ତାପ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଥଣ୍ଡା ପାଣି ଦେବା ସହ ପାଣିକୁ ବାରମ୍ବାର ବଦଳାଇବା ଦ୍ବାରା ଏହା ଥଣ୍ଡା ରୁହେ।
ଗାଧୋଇବା ବିକଳ୍ପ: ହୋଲଷ୍ଟିନ୍ କିମ୍ବା ଜର୍ସି ପ୍ରଜାତି ଗାଈଙ୍କୁ ଖରାବେେଳ ଗାଧୋଇ ଦେଇ ପାରିବେ। ଅଧିକ ଗାଧୋଇବା ଦ୍ବାରା ଥଣ୍ଡା ଓ ବିଭିନ୍ନ ରୋଗ ହୋଇଥାଏ, ତେଣୁ ସେଥିପ୍ରତି ଧ୍ୟାନ ଦେବେ । ଗୁହାଳକୁ ମଶା, ମାଛି ଦାଉରୁ ସୁରକ୍ଷା ପାଇଁ ସଫା ରଖିବା ଜରୁରି।
ଛେଳିଙ୍କୁ ଚରିବାକୁ ଛାଡ଼ୁଥିଲେ : ଆମ ରାଜ୍ୟର ଛେଳି, ମେଣ୍ଢା ମୁଖ୍ୟତଃ ଚରିବୁଲି ଖାଦ୍ୟ ସଂଗ୍ରହ କରନ୍ତି। ତେଣୁ ସେମାନଙ୍କୁ ଚରିବାକୁ ନେଉଥିବା ସ୍ଥାନଟି ଛାଈ ହୋଇଥିବା ଦରକାର। ଅଂଶୁଘାତରୁ ସୁରକ୍ଷା ପାଇଁ ଉକ୍ତ ସ୍ଥାନରେ କୁଣ୍ଡରେ ପାଣି ରଖିବା ବନ୍ଦୋବସ୍ତ କରନ୍ତୁ।
ଝରକାରେ ଓହଳାନ୍ତୁ ଓଦା ଅଖା: କୁକୁଡ଼ା ଓ ବତକଙ୍କୁ ଦିନର ଥଣ୍ଡା ସମୟରେ ଖାଇବାକୁ ଦିଅନ୍ତୁ। ଡାକ୍ତରଙ୍କ ପରାମର୍ଶକ୍ରମେ ଭିଟାମିନ୍ ସି, ଇ ଦ୍ରବଣ ଦେଇ ତାଙ୍କର ହିଟ୍ଷ୍ଟ୍ରେସ୍ କମାଇପାରିବେ। କୁକୁଡ଼ା ଘରକୁ ଥଣ୍ଡା ରଖିବାକୁ ଓଦା ଅଖା ଓହଳାଇ ପାରିବେ।
କୃମି ଔଷଧ : ଗାଈ, କୁକୁଡା ବା ଛେଳିଙ୍କୁ ଯଦି କୃମି ଔଷଧ ଦେଇନାହାନ୍ତି, ଏହି ସମୟରେ ଦେଇ ଦେବା ଦରକାର। ଏହି ଔଷଧ ଦେଲାପରେ ସେମାନଙ୍କୁ ବାହାରକୁ ଚରିବାକୁ ଛାଡ଼ନ୍ତୁନି। ଗୁହାଳରେ ବାନ୍ଧି ସେମାନଙ୍କ ପାଇଁ ଖାଦ୍ୟପେୟ ବନ୍ଦୋବସ୍ତ କରିପାରିବେ।
ଅଂଶୁଘାତର ଉପଚାର : ଯଦି ଗାଈ, ମେଣ୍ଢା, ଛେଳି ବା କୁକୁଡ଼ା ହଠାତ୍ ପଡ଼ିଯାଉଛନ୍ତି ବା ଅଂଶୁଘାତର ଶିକାର ହେଉଛନ୍ତି, ତାଙ୍କୁ ସଙ୍ଗେ ସଙ୍ଗେ ଛାଇ ତଥା ଥଣ୍ଡା ସ୍ଥାନକୁ ନେଇ ତାଙ୍କ ଗୋଡ଼, କାନ, ମୁଣ୍ଡ ଉପରେ ଓଦା ଅଖା ବା କପଡ଼ା ପକାଇ ରଖିବେ। ଆବଶ୍ୟକ ହେଲେ, ବରଫ ପାଣି ଦେହରେ ଲଗାଇବା ଦ୍ବାରା ଶରୀରର ତାପମାତ୍ରା କମିଯାଇଥାଏ। ଚିକିତ୍ସକଙ୍କ ପରାମର୍ଶରେ ଥଣ୍ଡା ସାଲାଇନ୍ ଦିଆଯାଇଥାଏ।
ସନ୍ତୁଳିତ ଖାଦ୍ୟ ଯୋଗାଣ: ଗୁହାଳକୁ ଥଣ୍ଡା ରଖିବାକୁ ହାଲୁକା ପାଣି ସିଞ୍ଚି ପାରିବେ। ଗୁହାଳରେ ପଙ୍ଖା ଲଗାନ୍ତୁ। ଛାତ ଉପରେ ନଡ଼ା ଛପର ବିଛାଇ ପାରିବେ। ପ୍ରାଣୀଙ୍କ ଶରୀରର ଜଳୀୟଅଂଶ ବଜାୟ ରଖିବାକୁ ସ୍ବଚ୍ଛ ପାନୀୟ ଜଳ ଓ ସନ୍ତୁଳିତ ଖାଦ୍ୟ ଯୋଗାଇବା ଆବଶ୍ୟକ।