ଗେ’ ଡେଟିଂ ଆପ୍‌ରେ ଯୁବକଙ୍କୁ ହୋଟେଲ ଡାକି ଫିସିଗଲେ ଡାକ୍ତର, ହରାଇଲେ ୮ ଲକ୍ଷ

ଡାକ୍ତର ଜଣଙ୍କ ବାରାଣସୀରେ ଥିବା ଗୋଟିଏ ହୋଟେଲରେ ରହିଥିଲେ। ଏହି ସମୟରେ ସେ ଗେ’ ଡେଟିଂ ଆପ୍‌ରେ ଆଉ ଜଣେ ଯୁବକଙ୍କୁ ଯୋଗାଯୋଗ କରିଥିଲେ।

ଗେ’ ଡେଟିଂ ଆପ୍‌ରେ ଯୁବକଙ୍କୁ ହୋଟେଲ ଡାକି ଫିସିଗଲେ ଡାକ୍ତର, ହରାଇଲେ ୮ ଲକ୍ଷ

ପୁରୁଷ ହୋଇ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ଜଣେ ୫୭ ବର୍ଷୀୟ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଗୋଟିଏ ହୋଟେଲରେ ଗେ’ ଡେଟିଂ ପାଇଁ ପ୍ରୟାସ କରି ଘାଟାରେ ପଡ଼ିଛନ୍ତି ଡାକ୍ତର। ସେ ଗେ’ ଡେଟିଂ ଆପ୍‌ରେ ଜଣେ ଯୁବକଙ୍କୁ ବାରାଣସୀ ହୋଟେଲକୁ ଡାକି ଫସି ଯାଇଛନ୍ତି। ଯୁବକ ଜଣଙ୍କ ହୋଟେଲ ଆସି ତାଙ୍କ ଠାରୁ ଲୁଟି ନେଇଛନ୍ତି ୮ ଲକ୍ଷ ଟଙ୍କା। ଆର୍ଥିକ ଘାଟା ସହିବା ପରେ ଡାକ୍ତର ଜଣଙ୍କ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଏଫଆଇଆର ରୁଜୁ କରି ଏବେ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗି ପଡ଼ିଛି।

ଗତ ରବିବାର ଡାକ୍ତର ଜଣଙ୍କ ବାରାଣସୀରେ ଥିବା ଗୋଟିଏ ହୋଟେଲରେ ରହିଥିଲେ। ଏହି ସମୟରେ ସେ ଗେ’ ଡେଟିଂ ଆପ୍‌ରେ ଆଉ ଜଣେ ଯୁବକଙ୍କୁ ଯୋଗାଯୋଗ କରିଥିଲେ। ଡାକ୍ତର ଜଣଙ୍କ ତାଙ୍କ ଫୋନ ନମ୍ବର ଓ ହୋଟେଲ ଠିକଣା ବିକାଶ ନାମକ ଜଣେ ଯୁବକଙ୍କୁ ଦେଇଥିଲେ। ସେ ତାଙ୍କୁ ହୋଟେଲକୁ ଡାକିବା ସହ ଆସିଲା ବେଳକୁ ବିୟର ଆଣିବାକୁ କହିଥିଲେ।

ରାତି ପ୍ରାୟ ୧୦ଟା ବେଳେ ବିକାଶ ହୋଟେଲରେ ପହଞ୍ଚିଥିଲେ। ସେ ନିଜ ସହ କିଛି ବିୟର ଓ ଚାଖଣା ଆଣିଥିଲେ। ଉଭୟ ଏକାଠି ହୋଟେଲରେ ବସି ମଦ ପିଇଥିଲେ। କିଛି ସମୟ ପରେ ଡାକ୍ତର ଜଣଙ୍କ ଉଲ୍ଲଗ୍ନ ହେବା ସହ ବିକାଶଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ।

କିନ୍ତୁ ବିକାଶ ଡାକ୍ତରଙ୍କୁ କହିଥିଲେ ଯେ “ଏହି ବୟସରେ ଏସବୁ କାମ ତୁମକୁ ଶୋଭା ଦେଉନାହିଁ। ତୁମେ ଏବେ ଶିବ ନଗରୀରେ ରହିଛି। ଏସବୁ କର ନାହିଁ।” ଏତିକି କହିବା ବେଳେ ବିକାଶ ବେଶ ଚତୁରତାର ସହ ଡାକ୍ତରଙ୍କ ଉଲ୍ଲଗ୍ନ ଫଟୋ ଉଠାଇ ଦେଇଥିଲା। ଏଥିସହ ତାଙ୍କୁ ଏକାଧିକ ଚାପୁଡ଼ା ମାରିଥିଲେ।

ଗୋଟିଏ ଭଙ୍ଗା କାଚ ଗ୍ଲାସ ଦେଖାଇ ସେ ଡାକ୍ତରଙ୍କୁ ଭୟଭୀତ କରିଥିଲେ ଓ ଟଙ୍କା ନ ଦେଲେ ଉଲ୍ଲଗ୍ନ ଅବସ୍ଥାର ଫଟୋକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ବିକାଶ ନିଜର ରାଜନୀତିକ ଓ ଅପରାଧୀଙ୍କ ସହ ଲିଙ୍କ ଥିବା କହି ଡାକ୍ତରଙ୍କୁ ଦରକାର ପଡ଼ିଲେ ମାରି ଦେବେ ବୋଲି ମଧ୍ୟ କହିଥିଲେ। ଏହାଶୁଣି ଡାକ୍ତର ଜଣଙ୍କ ପୂରା ଡରି ଯାଇଥିଲେ। ସେ ୟୁପିଆଇ ଓ ଏଟିଏମରୁ ମୋଟ ୮ ଲକ୍ଷ ଟଙ୍କା ବିକାଶକୁ ରବିବାର ରାତି ଓ ସୋମବାର ସକାଳ ମଧ୍ୟରେ ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି।

ଏସିପି ଈଶାନ୍ତ ସୋନି କହିଛନ୍ତି ଯେ ଡାକ୍ତରଙ୍କ ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ୍‌ ଡେଟିଂ ଆପ ଠାରୁ ଆରମ୍ଭ କରି ୟୁପିଆଇ ତଥ୍ୟକୁ ଛାନଭିନ କରୁଛି।