ଟି-୨୦ ବିଶ୍ୱକପରୁ ନ୍ୟୁଜିଲ୍ୟାଣ୍ଡ ବିଦା, ଆଗେଇଲା ଆଫଗାନିସ୍ତାନ

ଗ୍ରୁପ ସିରୁ ନ୍ୟୁଜିଲ୍ୟାଣ୍ଡ ବିଦାୟ ନେଇଥିବା ବେଳେ ଗ୍ରୁପ ଡି’ରୁ ଶ୍ରୀଲଙ୍କା ସୁପର ୮ ରେସ୍‌ରୁ ବାଦ ପଡ଼ିଛି।

ଟି-୨୦ ବିଶ୍ୱକପରୁ ନ୍ୟୁଜିଲ୍ୟାଣ୍ଡ ବିଦା, ଆଗେଇଲା ଆଫଗାନିସ୍ତାନ

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଡାର୍କ ହର୍ସ ଷ୍ଟାଟସ ନେଇ ଆଗକୁ ବଢ଼ି ଚାଲିଛି। ଆଜି ଦଳ ଗ୍ରୁପ ପର୍ଯ୍ୟାୟରେ ପପୁଆ ନ୍ୟୁ ଗିନିକୁ ୭ ୱିକେଟରେ ହରାଇ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଆଫଗାନିସ୍ତାନ ଆଗେଇ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଗ୍ରୁପ ପର୍ଯ୍ୟାୟରୁ କ୍ୱିୱି ଟିମ ବାଦ ପଡ଼ିବା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଛି।

ଟୁର୍ଣ୍ଣାମେଣ୍ଟର ଏଯାଏ ସର୍ବାଧିକ ୱିକେଟ ନେଇଥିବା ଆଫଗାନର ଫଜଲହକ ଫାରୁକି ଆଜି ପିଏନଜି ବିପକ୍ଷରେ ମଧ୍ୟ କମାଲ କରିଛନ୍ତି। ସେ ୩ ୱିକେଟ ଦଖଲ କରିବାରୁ ପିଏନଜି ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୯୫ ରନ କରିବାକୁ ସକ୍ଷମ ହୋଇଥିଲା। ୯୬ ରନର ଟାର୍ଗେଟକୁ ଆଫଗାନିସ୍ତାନ ମାତ୍ର ୩ ୱିକେଟ ହରାଇ ହାସଲ କରି ନେଇଛି।

ଆଫଗାନିସ୍ତାନ ବିଜୟ ସହ ସୁପର ୮ ଖେଳିବାକୁ ନ୍ୟୁଜିଲ୍ୟାଣ୍ଡ ଦେଖିଥିବା ସ୍ୱପ୍ନ ଚୂରମାର ହୋଇଯାଇଛି। ଆଫଗାନିସ୍ତାନ ସହ ଆୟୋଜକ ୱେଷ୍ଟଇଣ୍ଡିଜ ସୁପର ୮ରେ ପ୍ରବେଶ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରେ ଆଉ ୨ଟି ମ୍ୟାଚ୍‌ ଖେଳିବାର ଅଛି। କିନ୍ତୁ ଉକ୍ତ ଦୁଇ ମ୍ୟାଚ୍‌ ଜିତିଲେ ମଧ୍ୟ ଦଳକୁ କୌଣସି ଫାଇଦା ମିଳିବ ନାହିଁ।

ପ୍ରଥମ ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନ ଠାରୁ ହାରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଠାରୁ ମାତ ଖାଇଥିଲା। କ୍ରମାଗତ ଦୁଇଟି ମ୍ୟାଚ୍‌ ହାରି ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଗ୍ରୁପ ସିରୁ ନ୍ୟୁଜିଲ୍ୟାଣ୍ଡ ବିଦାୟ ନେଇଥିବା ବେଳେ ଗ୍ରୁପ ଡି’ରୁ ଶ୍ରୀଲଙ୍କା ସୁପର ୮ ରେସ୍‌ରୁ ବାଦ ପଡ଼ିଛି।