ଗୋ-ବଂଶ ରକ୍ଷା ପାଇଁ ଯୁବକଙ୍କ ନିଆରା ପ୍ରୟାସ: ଗୋବରରୁ ତିଆରି କରୁଛନ୍ତି ଇଟ୍ଟା ଓ ମୂର୍ତ୍ତି
ଭୁବନେଶ୍ୱର: କୈଳାସ ପର୍ବତରେ ଭଗବାନ ଶିବ ବାସ କରୁଥିବା ସମୟରେ ସେମାନଙ୍କ ସହ ନନ୍ଦୀ ବଂଶ ମଧ୍ୟ ବାସ କରୁଥିଲେ। ସେହି ସମୟରେ ମାତା ସୀତା ଗୋ-ମାତାଙ୍କ ଗୋବରକୁ ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରୁଥିବା କଥା ଶିବ ପୁରାଣରୁ ଶୁଣିବାକୁ ମିଳିଥାଏ। ହେଲେ ବର୍ତ୍ତମାନ ଲୋକେ ଆଧୁନିକତାକୁ ଆପଣେଇ ଧୀରେ ଧୀରେ ଗୋ-ପାଳନ ପ୍ରତି ମୁହଁ ଫେରାଇଲେଣି। ପୂର୍ବରୁ ପ୍ରତେକ୍ୟକଙ୍କ ଗୋଠରେ ଗାଈଟିଏ ରହିବା ଶୁଭ ମନାଯାଉଥିବା ବେଳେ ବର୍ତ୍ତମାନ ଗାଁ ଗହଳିରେ ବି ଗୋ-ପାଳନ […]

ଭୁବନେଶ୍ୱର: କୈଳାସ ପର୍ବତରେ ଭଗବାନ ଶିବ ବାସ କରୁଥିବା ସମୟରେ ସେମାନଙ୍କ ସହ ନନ୍ଦୀ ବଂଶ ମଧ୍ୟ ବାସ କରୁଥିଲେ। ସେହି ସମୟରେ ମାତା ସୀତା ଗୋ-ମାତାଙ୍କ ଗୋବରକୁ ପ୍ରସାଧନ ସାମଗ୍ରୀ ଭାବେ ବ୍ୟବହାର କରୁଥିବା କଥା ଶିବ ପୁରାଣରୁ ଶୁଣିବାକୁ ମିଳିଥାଏ। ହେଲେ ବର୍ତ୍ତମାନ ଲୋକେ ଆଧୁନିକତାକୁ ଆପଣେଇ ଧୀରେ ଧୀରେ ଗୋ-ପାଳନ ପ୍ରତି ମୁହଁ ଫେରାଇଲେଣି। ପୂର୍ବରୁ ପ୍ରତେକ୍ୟକଙ୍କ ଗୋଠରେ ଗାଈଟିଏ ରହିବା ଶୁଭ ମନାଯାଉଥିବା ବେଳେ ବର୍ତ୍ତମାନ ଗାଁ ଗହଳିରେ ବି ଗୋ-ପାଳନ କରିବାକୁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ହିନ୍ଦୁ ଧର୍ମରେ ଗୋ-ମାତାଙ୍କୁ ପୂଜା କରିବା ସହ ଘରେ ରହିଲେ ତାହା ପରିବାର ପାଇଁ ଶୁଭ ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଛି। ଯଦିଓ ଗୋ-ପାଳନ ଦ୍ୱାରା ଲୋକେ ଲାଭବାନ ହୋଇଥାନ୍ତି ତଥାପି ଆଜିର ଆଧୁନିକ ପିଢ଼ି ଏଥିପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଗୋ ବଂଶର ଭିବଷ୍ୟତକୁ ନେଇ ଗୋ ସେବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଏଥିପ୍ରତି କିଭଳି ଲୋକେ ଆଗ୍ରହୀ ହେବେ, ଆର୍ଥିିକ ଭାବେ ସ୍ୱାବଲମ୍ବୀ ହେବେ ସେଥିପାଇଁ ଗୋ-ସେବକମାନେ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି। ଗୋବରରୁ ଇଟ୍ଟା ଓ ମୂର୍ତ୍ତି ତିଆରି କରି ସ୍ୱାବଲମ୍ବୀ ହେବାକୁ ସଚେତନତା ସୃଷ୍ଟି କରୁଛନ୍ତି ରାଜଧାନୀର ଯୁବ ଗୋ-ସେବକମାନେ।
ରାଜଧାନୀର ଶୈଳଶ୍ରୀବିହାରରେ ଥିବା ମା’ ବନଦୁର୍ଗା ଗୋଶାଳାରେ ପ୍ରାୟ ୩୦୦ ଗୋମାତା ରହୁଛନ୍ତି। ନିୟମିତ ଏହି ଗୋଶାଳାରୁ ବହୁ ପରିମାଣରେ ଗୋବର ବାହାରୁଥିବାବେଳେ ଏହାକୁ ନଷ୍ଟ ନ କରି କିଭଳି କାର୍ଯ୍ୟରେ ଲଗାଯାଇପାରିବ ଏବଂ ଏହାଦ୍ୱାରା ଜଣେ କିଭଳି ରୋଜଗାରକ୍ଷମ ହୋଇପାରିବ ତାହା ଚିନ୍ତା କରି ଗୋ-ସେବକମାନେ ଗୋବରରୁ ଇଟା ତିଆରି କରିବା ଆରମ୍ଭ କରିଛନ୍ତି। ଇଟାଗୁଡ଼ିକ ଶୁଖାଇବା ପରେ ତାହାକୁ ମାଟି ପ୍ରଲେପ ଦେଇ ଘରର କାନ୍ଥ ନିର୍ମାଣ କରାଯିବ। ଯଦିଓ ଏହା ସିମେଣ୍ଟ ଘର ଭଳି ହବ ନାହିଁ କିନ୍ତୁ ଉପର ଚାଳ କିମ୍ବା ଆଜବେଷ୍ଟ୍ସ ପକାଯାଇପାରିବ ବୋଲି ଗୋ-ସେବକ କ୍ରିଷ୍ଣା କହିଛନ୍ତି। ତାଙ୍କ କହିବା ଅନୁସାରେ, ଗୋବରରୁ ତିଆରି ସାମଗ୍ରୀଗୁଡ଼ିକ ଘରେ ରଖିଲେ ଲକ୍ଷ୍ମୀଙ୍କ ପ୍ରାପ୍ତି ହେବା ସହ ଘର ଭିତରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ପୂର୍ବଜମାନେ ଗୋବର ଓ ମାଟିରେ ଘର ଲେପୁଥିଲେ। ତେଣୁ ଗୋମାତାଙ୍କ ପ୍ରତି ସମ୍ମାନ ଓ ଭକ୍ତି ରହିବା ସହ ଗୋବରର ବ୍ୟବହାର ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ। ଏହି ଇଟ୍ଟା ବିଭିନ୍ନ ଫାର୍ମ ହାଉସ୍ କିମ୍ବା ଛାତ ଉପରେ ପକାଇ ସେଥିରେ ଘାସ କିମ୍ବା ବିଭିନ୍ନ ଗାର୍ଡେନ୍ କରାଯାଇପାରିବ। ଏହାସହ ଗୋବର ଇଟ୍ଟାରେ ତିଆରି ଚଟାଣ ଉପରେ ଚାଲିଲେ ତାହା ଆକ୍ୟୁପ୍ରେସ୍ ଭଳି କାମ ଦେବ। ସୁବଠାରୁ ବଡ଼କଥା ହେଉଛି ଗୋବର ଇଟ୍ଟାରେ ନିର୍ମିତ ଘର ଖରାଦିନେ ଥଣ୍ଡା ଓ ଶୀତଦିନରେ ଗରମ ଅନୁଭବ ଦେବା ସହ ମାନସିକ ଶାନ୍ତି ଦେବ।
ଦିନକୁ ଦିନ କଂକ୍ରିଟ ସହରରେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଭବିଷ୍ୟତରେ ମାଟିର ଅଭାବ ମଧ୍ୟ ସୃଷ୍ଟି ହେବ। ତେଣୁ ଚାଷ ପାଇଁ ଖତ ମଧ୍ୟ ଗୋବରର ବିକଳ୍ପ ହେବ ବୋଲି ଗୋସେବକ କ୍ରିଷ୍ଣା ନାଏକ କହିଛନ୍ତି। ଗୋମାତା ପାଳନ ଦ୍ୱାରା ଦହି, କ୍ଷୀର, ଛେନା, ଘିଅ ତିଆରି ସମେତ ଗୋବରରୁ ରୋଜଗାରକ୍ଷମ ହୋଇପାରିବ। ଏହାଦ୍ୱାରା ଗୋ-ପାଳନ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ ବୋଲି ଗୋସେବକ ପ୍ରଦୀପ ଜେନା, ଗୌତମ ପ୍ରମୁଖ ଗୋ ସେବକ କହିଛନ୍ତି। ସେମାନେ ତିଆରି କରୁଥିବା ଇଟ୍ଟାରେ ଏକ ଘର ନିର୍ମାଣ କରିବାକୁ ଯୋଜନା ରଖିଥିବାବେଳେ ଏହି ଇଟ୍ଟା କିଣିବାକୁ ମଧ୍ୟ ଗ୍ରାହକମାନେ ବରାଦ ଦେଇଥିବା ସେମାନେ କହିଛନ୍ତି। ତେବେ ଗୋବରରୁ ଇଟ୍ଟା ସମେତ ଦୀପ, ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ତିଆରି କରୁଥିବା ଦେଖିବାକୁ ମିଳିଛି।