ଗୋପାଳପୁର ଗଣଦୁଷ୍କର୍ମ ମନେ ପକାଇ ଦେଲା ୧୭ ବର୍ଷ ତଳର ଆଶିଷ ହତ୍ୟା ଘଟଣା, ଏଯାଏଁ ମିଳିନି ନ୍ୟାୟ

ଆଶିଷଙ୍କ ବାପା ନାରାୟଣ ତ୍ରିପାଠୀ ଜଣେ ଅବସରପ୍ରାପ୍ତ ପୁଲିସ ହାବିଲଦାର ହୋଇଥିଲେ ହେଁ ନ୍ୟାୟ ପାଇପାରି ନାହାନ୍ତି। ପୁଅକୁ ଝୁରି ଏବେ ବି ସେ କାନ୍ଦି ପକାନ୍ତି।

ଗୋପାଳପୁର ଗଣଦୁଷ୍କର୍ମ ମନେ ପକାଇ ଦେଲା ୧୭ ବର୍ଷ ତଳର ଆଶିଷ ହତ୍ୟା ଘଟଣା, ଏଯାଏଁ ମିଳିନି ନ୍ୟାୟ

ଗୋପାଳପୁର ବେଳାଭୂମିରେ ଗତ ରବିବାର ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣଦୁଷ୍କର୍ମ ଘଟଣା ୧୭ ବର୍ଷ ତଳେ ଘଟିଥିବା ଆଶିଷ ତ୍ରିପାଠୀ ହତ୍ୟା ଘଟଣାକୁ ଉଜ୍ଜୀବିତ କରିଛି।

୨୦୦୮ ନଭେମ୍ବର ୨୧ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ବ୍ରହ୍ମୁପର ଫାଷ୍ଟଗେଟ୍ ଅଞ୍ଚଳର ଆଶିଷ ତ୍ରିପାଠୀ ଓ ତାଙ୍କ ବାନ୍ଧବୀ ଗୋପାଳପୁର ବେଳାଭୂମିର ଏକ ଶୂନଶାନ ଅଞ୍ଚଳରେ ବୁଲୁଥିବା ବେଳେ ସେମାନଙ୍କୁ ଦେଖିଥିଲେ କିଛି ଲୋକ। ସେମାନେ ଆଶିଷଙ୍କ ବାନ୍ଧବୀଙ୍କୁ କମେଣ୍ଟ ମାରିବା ସହିତ ଟଣାଓଟରା କରିଥିଲେ। ଆଶିଷ ଏହାକୁ ବିରୋଧ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେହି ଲୋକମାନେ ଆଶିଷଙ୍କ ମୁଣ୍ଡକୁ ମତ୍ସ୍ୟଜୀବୀଙ୍କ ଦ୍ୱାରା ବ୍ୟବହୃତ ଏକ ଆହୁଲାରେ ପିଟି ଦେଇଥିଲେ। ଫଳରେ ଆଶିଷଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ପରେ ସେଠାକୁ କିଛି ଲୋକ ପଳାଇ ଆସିବାରୁ ସେହି ଯୁବକମାନେ ସେଠାରୁ ଫେରାର ହୋଇଯାଇଥିଲେ।

ଫେରାର ହେବା ବେଳେ ଅଭିଯୁକ୍ତମାନେ ଆଶିଷ ଓ ତାଙ୍କ ବାନ୍ଧବୀଙ୍କ ମୋବାଇଲ ଫୋନ ନେଇଯାଇଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସକୁ ୪ ମାସ ଲାଗିଯାଇଥିଲା। ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ। ଅନ୍ୟ ଜଣେ ଅଭିଯୁକ୍ତଙ୍କର ଏଯାବତ ପତ୍ତା ମିଳିପାରି ନାହିଁ। ହେଲେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଆଶିଷଙ୍କ ପରିବାରକୁ ମିଳିପାରି ନଥିଲା ନ୍ୟାୟ। ଗିରଫ ୭ ଅଭିଯୁକ୍ତ ତଳ କୋର୍ଟରେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିଲେ। ଆଶିଷଙ୍କ ବାପା ନାରାୟଣ ତ୍ରିପାଠୀ ଜଣେ ଅବସରପ୍ରାପ୍ତ ପୁଲିସ ହାବିଲଦାର ହୋଇଥିଲେ ହେଁ ନ୍ୟାୟ ପାଇପାରି ନାହାନ୍ତି। ପୁଅକୁ ଝୁରି ଏବେ ବି ସେ କାନ୍ଦି ପକାନ୍ତି।

ଆଶିଷଙ୍କ ବାପା ଅବସରପ୍ରାପ୍ତ ହାବିଲଦାର ନାରାୟଣ ତ୍ରିପାଠୀ କହିଛନ୍ତି, ଏବେ ମାମଲା ହାଇକୋର୍ଟରେ ରହିଛି। ତେବେ ଏହାର ସ୍ଥିତାବସ୍ଥା କ’ଣ ମୁଁ ଜାଣି ନାହିଁ। ମୁଁ ଚାହୁଁଛି ସରକାର ମୋତେ ନ୍ୟାୟ ଦିଅନ୍ତୁ। ମୋ ପୁଅ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଜୀବନ ହାରିଛନ୍ତି।

ଗତ ରବିବାର ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କରିଛନ୍ତି ନାରାୟଣ ତ୍ରିପାଠୀ। ଗୋପାଳପୁର ବେଳାଭୂମି ଅଞ୍ଚଳରେ ପୁଲିସ ପାଟ୍ରୋଲିଂର ଅଭାବ ଏହାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ପାଟ୍ରୋଲିଂ ନଥିଲା ବୋଲି ତାଙ୍କ ପୁଅର ବି ଜୀବନ ଗଲା ବୋଲି ସେ କହିଛନ୍ତି। ଏହି ଗଣଦୁଷ୍କର୍ମ ମାମଲାରେ ବି ନ୍ୟାୟ ମିଳିବା ଆଶା କମ୍ ବୋଲି ସେ କହିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଉଭୟ ମାମଲାକୁ ଗୁରୁତର ସହିତ ନେଇ ନ୍ୟାୟ ଦେବାକୁ ଚେଷ୍ଟା କରିବେ, ତା’ହେଲେ ଆଗକୁ ଆଉ ଏଭଳି ଘଟଣା ଘଟନ୍ତା ନାହିଁ ବୋଲି ନାରାୟଣ କହିଛନ୍ତି।