ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ଆସାମ ସରକାର

ଆସାମରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ଆସାମ ସରକାର

ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ଲାଗିଛି ସଂପୂର୍ଣ୍ଣ ପ୍ରତିବନ୍ଧକ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ବିଧାନସଭାରେ ଗୋ’ମାଂସ ଉପରେ ପ୍ରତିବନ୍ଧକ ନେଇ ଆଇନ ଆସିଥିଲା। ଏବେ ଏହି ଆଇନରେ ସଂଶୋଧନ ଏବଂ ନୂତନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।

ଆଜି ଦିଲ୍ଲୀରେ ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ଅନ୍ୟ ମନ୍ତ୍ରୀମାନେ ଯୋଡ଼ି ହୋଇଥିଲେ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହାରି ଭିତରେ ଆସାମର ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏନେଇ ସେ ଏକ ପ୍ରେସମିଟରୋ ଘୋଷଣା କରିଥିବାବେଳେ ଏହି ସମୟର ଭିଡିଓ ନିଜ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

ସେ କହିଛନ୍ତି ଯେ ପୂର୍ବରୁ ଆମର ନିଷ୍ପତ୍ତି ଥିଲା ଯେ ମନ୍ଦିର ନିକଟରେ ଗୋ’ମାଂସ ଖାଇବାକୁ ବାରଣ କରିବା। କିନ୍ତୁ ବର୍ତ୍ତମାନ ଆମେ ଏହି ଆଇନକୁ ସମଗ୍ର ରାଜ୍ୟକୁ ବିସ୍ତାର କରିଛୁ। କୌଣସି ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ସର୍ବସାଧାରଣ ସ୍ଥାନରେ ଖାଇ ପାରିବେ ନାହିଁ। ଏହି ନିୟମ ସର୍ବସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଯୁଜ୍ୟ ହେବ। ଡିସେମ୍ବର ୭ରେ ମଧ୍ୟାହ୍ନ ୧୨ଟା ସମୟରେ ଆସାମ କ୍ୟାବିନେଟର ସମ୍ପ୍ରସାରଣ ହେବ ବୋଲି ମଧ୍ୟ ଏହି ସମୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ତେଜିଛି। ଆସାମ ସରକାରରେ ମନ୍ତ୍ରୀ ପୀୟୁଷ ହଜାରିକା ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ସମୟର ଭିଡିଓ ଏକ୍ସରେ ଶେୟାର କରି ଲେଖିଛନ୍ତି ଯେ ମୁଁ ଆସାମ କଂଗ୍ରେସକୁ ଚ୍ୟାଲେଞ୍ଜ କରୁଛି, ଗୋମାଂସ ନିଷେଧ ଆଇନକୁ ସ୍ୱାଗତ କରନ୍ତୁ କିମ୍ବା ଯାଇ ପାକିସ୍ତାନରେ ରୁହନ୍ତୁ। ଏପଟେ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ହାଫିଜ ରଫିକୁଲ ଇସଲାମ କହିଛନ୍ତି ଯେ ଲୋକମାନେ କଣ ଖାଇବେ କିମ୍ବା ପିନ୍ଧିବେ ତାହା କ୍ୟାବିନେଟ ସ୍ଥିର କରିବ ନାହିଁ। ଗୋଆରେ ବିଜେପି ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇ ପାରିବ ନାହିଁ, ସେମାନେ କୌଣସି ଉତ୍ତର-ପୂର୍ବ ରାଜ୍ୟରେ ଏହା ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ନାହିଁ, ତେବେ ଆସାମରେ କାହିଁକି? ଆମେ ଏହି ନିଷ୍ପତ୍ତି ପ୍ରତି ଅଧିକ ଧ୍ୟାନ ଦେଉନାହୁଁ ବୋଲି ସେ ଲେଖିଛନ୍ତି।