ଗୋଡ଼ ଅପରେସନ ପାଇଁ ଗଞ୍ଜେଇ ଚାଲାଣ କରୁଥିଲେ ଦିବ୍ୟାଙ୍ଗ, ଧରିଦେଲା ପୁଲିସ୍‌

ସହଜରେ ଟଙ୍କା ଯୋଗାଡ଼ ପାଇଁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କଲେ ଦିବ୍ୟାଙ୍ଗ। ମାତ୍ର ତାଙ୍କର ସବୁ ଯୋଜନା ଫେଲ୍‌ ମାରିଲା। ଗଞ୍ଜେଇ ଜବତ ସହ ସମ୍ପୃକ୍ତ ଦିବ୍ୟାଙ୍ଗକୁ ମାଡ଼ି ବସିଛି ପୁଲିସ୍‌।

ଗୋଡ଼ ଅପରେସନ ପାଇଁ ଗଞ୍ଜେଇ ଚାଲାଣ କରୁଥିଲେ ଦିବ୍ୟାଙ୍ଗ, ଧରିଦେଲା ପୁଲିସ୍‌

ନିଜ ଗୋଡ଼ର ଅପରେସନ ନିମନ୍ତେ ଟଙ୍କା ଆବଶ୍ୟକ ଥିଲା। ତେଣୁ ସହଜରେ ଟଙ୍କା ଯୋଗାଡ଼ ପାଇଁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କଲେ ଦିବ୍ୟାଙ୍ଗ। ମାତ୍ର ତାଙ୍କର ସବୁ ଯୋଜନା ଫେଲ୍‌ ମାରିଲା। ଗଞ୍ଜେଇ ଜବତ ସହ ସମ୍ପୃକ୍ତ ଦିବ୍ୟାଙ୍ଗକୁ ମାଡ଼ି ବସିଛି ପୁଲିସ୍‌। ଏପରି ଏକ ଘଟଣା ଗଜପତି ଜିଲ୍ଲା ଅଡବା ଥାନା ଅଧୀନରେ ଘଟିଛି। ଗିରଫ ବ୍ୟକ୍ତିଜଣକ ତାମିଲନାଡୁର ଏସ.ଆର ମହାଦୀପନନ୍ଦ ନାଲ୍ଲାକୋଇ ବୋଲି ଜଣାଯାଇଛି।

କିଛି ମାସ ପୂର୍ବେ ଟ୍ରେନ୍‌ ଦୁର୍ଘଟଣାରେ ମହାଦୀପନନ୍ଦଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ତାଙ୍କର ଗୋଟିଏ ଗୋଡ଼ ଅକର୍ମଣ୍ୟ ହୋଇ ଯାଇଥିବା ବେଳେ ଅପରେସନ ପାଇଁ ଟଙ୍କା ନାହିଁ। ଏପରି ସ୍ଥଳରେ ସହଜରେ ଟଙ୍କା ଯୋଗାଡ଼ ନିମନ୍ତେ ସେ ଗଞ୍ଜେଇ ଚାଲାଣ କରିବାକୁ ମନସ୍ଥ କରିଥିଲେ।

ଗଞ୍ଜେଇ କିଣିବା ନିମନ୍ତେ ସେ ଅଡ଼ବା ଥାନା ଅଧୀନ ରାଇପଙ୍କା ଅଞ୍ଚଳକୁ ଆସିଥିଲେ। ସେଠାରୁ ପ୍ରାୟ ୯ କେଜି ଗଞ୍ଜେଇ କିଣି ୪ ପ୍ୟାକେଟରେ ତାହାକୁ ଧରି ତାମିଲନାଡ଼ୁ ଯାଉଥିଲେ।

ଏଥିନିମନ୍ତେ ସେ ଡୁମିଗୁଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ। ସେଠାରୁ ସେ ବ୍ରହ୍ମପୁର ଯାଇ ଟ୍ରେନ୍‌ରେ ତାମିଲନାଡ଼ୁ ଯିବାକୁ ଟିକେଟ କରିଥିଲେ। ମାତ୍ର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌ ପହଞ୍ଚି ତାଙ୍କୁ ଡୁମିଗୁଡ଼ା ବସ୍‌ଷ୍ଟାଣ୍ଡ ନିକଟରୁ ଉଠାଇ ନେଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ହଜାର ଟଙ୍କା ହେବ ବୋଲି ଜଣାଯାଇଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ମହାଦୀପନନ୍ଦ ପୂର୍ବରୁ ବି ଅଡ଼ବା ଅଞ୍ଚଳକୁ ଆସିଥିବା ପୁଲିସ୍‌ ଅଧିକାରୀ ପ୍ରକାଶ କରିଛନ୍ତି।

ଏନେଇ ମହାଦୀପନନ୍ଦଙ୍କୁ ପଚାରିବାରୁ, ମୋ’ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଅପରେସନ ପାଇଁ ପାଖରେ ଅର୍ଥ ନାହିଁ। ମୋର ପରିବାର ବୋଲି କେହି ନ ଥିବା ବେଳେ ଅସହ୍ୟ ଯନ୍ତ୍ରଣା ସହ୍ୟ କରି ହେଉନି। ତେଣୁ ଗଞ୍ଜେଇ ଚାଲାଣ କରି କିଛି ଟଙ୍କା ରୋଜଗାର କରି ଗୋଡ଼ ଅପରେସନ କରାଇବାକୁ ଭାବି ଏପରି କରିଥିବା ସେ କହିଛନ୍ତି। ପୁଲିସ୍‌ ତାଙ୍କୁ କୋର୍ଟଚାଲାଣ କରି ଦେଇଛି। ଏଥିସହ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ କରୁଛି ପୁଲିସ୍‌।