ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୮ା୯ (କଳ୍ପତରୁ ନାୟକ): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ ସଲାସୁତରା ଯୋଗୁ ସେହି ଅର୍ଥ ବାଟମାରଣା ହେଉଛି। ଫଳରେ ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏପରି କି କେତେକ କ୍ଷେତ୍ରରେ ସରକାରୀ ନିୟମ ମୁତାବକ କାମ କରା ନ ଯାଇ ଠିକାଦାର ନିଜ ମନ ମୁତାବକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। କାମ ଆରମ୍ଭ ପୂର୍ବରୁ […] The post ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ appeared first on Dharitri Odia News.

ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୮ା୯ (କଳ୍ପତରୁ ନାୟକ): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ ସଲାସୁତରା ଯୋଗୁ ସେହି ଅର୍ଥ ବାଟମାରଣା ହେଉଛି। ଫଳରେ ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏପରି କି କେତେକ କ୍ଷେତ୍ରରେ ସରକାରୀ ନିୟମ ମୁତାବକ କାମ କରା ନ ଯାଇ ଠିକାଦାର ନିଜ ମନ ମୁତାବକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। କାମ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେ ମଧ୍ୟ ଠିକାଦାର ଫଳକ ନ ଲଗାଇ ଜନସାଧାରଣଙ୍କୁ ଅନ୍ଧାରରେ ରଖିବାକୁ ପ୍ରୟାସ କରୁଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ବଳଭଦ୍ରପୁର-ଡାମରପୁର ପଞ୍ଚାୟତରେ ହେଉଥିବା ରାସ୍ତା କାମରେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ସେଠୀ, ସୁଧୀର ରଞ୍ଜନ ଦାସ, ମହାଦେବ ପଲାଇ, ରାଧାଗୋବିନ୍ଦ ସାହୁ, ନୀଳମାଧବ ରାୟ, ଜଗନ୍ନାଥ ସିଂହ, ପତିତପାବନ ରଥ, ଜ୍ଞାନ ରଞ୍ଜନ ମହାରଣା, ରତିରଞ୍ଜନ ଖଟୁଆ ଓ ସାଧୁ ଚରଣ ପଲାଇ ପ୍ରମୁଖ ଅଭିଯୋଗ କରିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର-ଡାମରପୁର ପଞ୍ଚାୟତର ଶତାଧିକ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ୨୦୧୨ ମସିହାରେ ପୂର୍ବତନ ସରପଞ୍ଚ ବାବାଜୀ ଧଳଙ୍କ ସମୟରେ ପଞ୍ଚାୟତ ପକ୍ଷରୁ ଏହି ରାସ୍ତାକୁ କଂକ୍ରିଟ ଢଳାଇ କରାଯାଇଥିଲା। ଅତି ସ୍ବଳ୍ପ ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଅଣ ଚଉଡ଼ା ରାସ୍ତାରେ ଯାତାୟାତ ହୋଇପାରୁଥିବା ବେଳେ ବର୍ଷାରେ ପାଣି ବୁଡ଼ି ଯାଉଥିଲା। ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ପରେ ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାକାମ କରିବାକୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ବିଜୟ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା। ଏହି ନିର୍ମାଣ ନିମନ୍ତେ ୪ କୋଟି ୪୪ ଲକ୍ଷ ୧୨ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି ଅର୍ଥରେ ରାସ୍ତା ଉଚ୍ଚା ଚଉଡ଼ା କରି ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ଥିଲା। ମାତ୍ର ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ଉକ୍ତ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ରାସ୍ତାକୁ ସମ୍ପ୍ରସାରଣ ନିମନ୍ତେ ଉଭୟପାଶର୍‌ବରେ କରାଯାଉଥିବା କଂକ୍ରିଟ୍‌ କାମରେ ଧାର୍ଯ୍ୟ ପରିମାଣଠାରୁ ବହୁ କମ୍‌ ସିମେଣ୍ଟ ଓ ଅଧିକ ବାଲି ମିଶାଯାଇଥିବାରୁ ତାହା ବହୁ ସ୍ଥାନରେ ଦବିଯିବା ସହ ଫାଟ ସୃଷ୍ଟି ହୋଇଛି। ଉଭୟ ପାଶର୍‌ବ ସମ୍ପ୍ରସାରଣ ନିମନ୍ତେ ପ୍ରଥମେ ମାଟି ଖୋଳାଯାଇ ବାଲି, ପରେ ଡିଏଲ୍‌ସି କରାଯିବା କଥା, ମାତ୍ର ଏକାଧିକ ସ୍ଥାନରେ ଧାର୍ଯ୍ୟ ପରିମାଣରେ ବାଲି ନ ଦିଆଯିବା ଓ ରୋଲିଂ ନ କରାଯାଇ ପଚପଚିଆ କାଦୁଅ ଉପରେ ଢଳେଇ କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଅନିୟମିତତା ସମ୍ପର୍କରେ ପ୍ରତିବାଦ କଲେ ଠିକାଦାର କି ଯନ୍ତ୍ରୀ କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ନିୟମିତ ଘଟଣାସ୍ଥଳକୁ ଆସୁ ନ ଥିବାରୁ ଏହି କାମ ନିମ୍ନମାନର ହେଉଛି। ଏ ସମ୍ପର୍କରେ ଭାରପ୍ରାପ୍ତ ସହକାରୀ ଯନ୍ତ୍ରୀ ବିକାଶ ଗାହାଣଙ୍କୁ ପଚାରିବାରୁ ଅଭିଯୋଗ ଆସିଛି, ତଦନ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

The post ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ appeared first on Dharitri Odia News.