ଗ୍ରୋସରୀ ଦୋକାନ ମାଲିକଙ୍କ ମୃତ୍ୟୁ ଘଟଣା: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ହତ୍ୟା ମାମଲା

ଗ୍ରୋସରୀ ଦୋକାନ ମାଲିକ ଅବୁ ସୟିଦ ଢାକାର ମହମ୍ମଦପୁରରେ ହୋଇଥିବା ହିଂସାକାଣ୍ଡ ବେଳେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିଲେ।

ଗ୍ରୋସରୀ ଦୋକାନ ମାଲିକଙ୍କ ମୃତ୍ୟୁ ଘଟଣା: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ହତ୍ୟା ମାମଲା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଆଉ ୬ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା। ଗୋଟିଏ ଗ୍ରୋସରୀ ଦୋକାନ ମାଲିକଙ୍କ ମୃତ୍ୟୁ ଘଟଣାରେ ଏପରି ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

ଢାକା ଟ୍ରିବ୍ୟୁନରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଗ୍ରୋସରୀ ଦୋକାନ ମାଲିକ ଅବୁ ସୟିଦ ଢାକାର ମହମ୍ମଦପୁରରେ ହୋଇଥିବା ହିଂସାକାଣ୍ଡ ବେଳେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିଲେ। ଜୁଲାଇ ୧୯ରେ ଏହା ଘଟିଥିଲା। ହସିନା ବିକ୍ଷୋଭକାରୀଙ୍କୁ ଦମନ କରିବା ପାଇଁ ଗୁଳି ମାଡ଼ର ନିର୍ଦ୍ଦେଶ ଦେଇଥିବାରୁ ତାଙ୍କ ବିରୋଧରେ ପ୍ରଥମଥର ହତ୍ୟା ମାମଲା ରୁଜୁ କରାଯାଇଛି।

ଅଗଷ୍ଟ ୫ରେ ଶେଖ ହସିନା ହିଂସାତ୍ମକ ଆନ୍ଦୋଳନ ଦେଖି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ଦେଶରୁ ପଳାୟନ କରିଥିଲେ। ସେ ଦେଶ ଛାଡ଼ିବା ପରେ ପ୍ରଥମଥର ପାଇଁ କୌଣସି ଆଇନଗତ ମାମଲା ତାଙ୍କ ବିରୋଧରେ ରୁଜୁ କରାଯାଇଛି।

ହସିନାଙ୍କ ବ୍ୟତୀତ ତାଙ୍କ ଦଳ ଆବାମୀ ଲିଗର ସାଧାରଣ ସମ୍ପାଦକ ଓବୈଦୁଲ କାଦିର, ପୂର୍ବତନ ଗୃହ ମନ୍ତ୍ରୀ ଅସାଦୁଜାମନ ଖାନ କାମା, ପୂର୍ବତନ ଆଇଜିପି ଚୌଧୁରୀ ଅବଦୁଲ୍ଲା ଅଲ ମମୁନ ଓ ହାରନୁର ରଶିଦନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି। ଡିଏମପିର ପୂର୍ବତନ କମିଶନର ହବିବୁର ରହମାନ ଓ ବିପ୍ଳବ କୁମାର ସରକାରଙ୍କ ବିରୋଧରେ ମଧ୍ୟ ହତ୍ୟା ମାମଲା ରୁଜୁ ହୋଇଛି।

ଅଗଷ୍ଟ ୫ରେ ହସିନା ଦେଶ ଛାଡ଼ିବା ସହ ୧୫ ବର୍ଷ ଧରି ବାଂଲାଦେଶରେ ସେ କରୁଥିବା ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ହସିନାଙ୍କ ପରେ ଏବେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ବାଂଲାଦେଶରେ ଗଠନ ହୋଇଛି।