ଘମାଘୋଟ ଲଢେ଼ଇ; ଇରାନରେ ୭୮, ଇସ୍ରାଏଲରେ ୧୩ ମୃତ
ତେହରାନ: ଗତ ଶୁକ୍ରବାର ଇରାନ ଉପରେ ଇସ୍ରାଲର ପ୍ରଚଣ୍ଡ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ତିନି ଦିନ ଧରି ଉଭୟ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ ଚଳାଇଛନ୍ତି। ଆକ୍ରମଣରେ କେବଳ ସାମରିକ ପ୍ରତିଷ୍ଠାନ ନୁହେଁ, ତୈଳ ବିଶୋଧନାଗାର ଏବଂ ଆବାସିକ ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରାଯାଇଛି। ଗତକାଲି ଇରାନର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଇରାନ ଇସ୍ରାଏଲ ଉପରେ ଜବାବୀ ହମଲା କରିଛି। ଇରାନ […]

ତେହରାନ: ଗତ ଶୁକ୍ରବାର ଇରାନ ଉପରେ ଇସ୍ରାଲର ପ୍ରଚଣ୍ଡ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ତିନି ଦିନ ଧରି ଉଭୟ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ ଚଳାଇଛନ୍ତି। ଆକ୍ରମଣରେ କେବଳ ସାମରିକ ପ୍ରତିଷ୍ଠାନ ନୁହେଁ, ତୈଳ ବିଶୋଧନାଗାର ଏବଂ ଆବାସିକ ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରାଯାଇଛି। ଗତକାଲି ଇରାନର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ଇରାନ ଇସ୍ରାଏଲ ଉପରେ ଜବାବୀ ହମଲା କରିଛି। ଇରାନ ମଧ୍ୟ ଇସ୍ରାଏଲର ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛି। ଇସ୍ରାଏଲ ପକ୍ଷରୁ ଏହି ସୂଚନା ଦେଇ କୁହାଯାଇଛି ଯେ ଗତ ରାତି ତମାମ ଇରାନ ପକ୍ଷରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆଜି ସନ୍ଧ୍ୟାର ଇରାନ ପୁଣି ଥରେ ଇସ୍ରାଏଲ ରାଜଧାନୀ ତେଲ ଆଭିଭ୍ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଥିବା ଜଣାପଡ଼ିଛି। ଇରାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଇସ୍ରାଏଲ ଆକ୍ରମଣ ବନ୍ଦ ନକରିବା ପର୍ଯ୍ୟନ୍ତ ଇରାନ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ଧାରଣ କରୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ କଥବାର୍ତ୍ତା ଚାଲିଛି ଏବଂ ଯୁଦ୍ଧ ଖୁବଶୀଘ୍ର ବନ୍ଦ ହୋଇଯିବ। ଏହାସହିତ ଇରାନକୁ ସେ ଧମକ ଦେଇଛନ୍ତି, ଆମେରିକାର କୌଣସି ପ୍ରତିଷ୍ଠାନ ଉପରେ ଅାକ୍ରମଣ ହେଲେ ଇରାନକୁ ଧ୍ବଂସ କରିବା ଲାଗି ତାଙ୍କ ଦେଶ ସମସ୍ତ ଶକ୍ତି ଖଟାଇବାକୁ ପଛାଇବ ନାହିଁ।
ଯୁଦ୍ଧ ମଇଦାନରୁ ମିଳିଥିବା ସୂଚନା ଅନୁଯାୟୀ ଇରାନର ପରମାଣୁ କେନ୍ଦ୍ର, ସାମରିକ ପ୍ରତିଷ୍ଠାନ ଏବଂ ଏୟାର ଡିଫେନ୍ସ ସିଷ୍ଟମ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଏଥିରେ ୭୮ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ବରିଷ୍ଠ ସେନା ଅଧିକାରୀ ଏଥିରେ ସାମିଲ ଅଛନ୍ତି। ଗତରାତିରେ ଇରାନର ପ୍ରତିରକ୍ଷା ବିଭାଗ ମୁଖ୍ୟାଳୟ ଉପରେ ମଧ୍ୟ ଇସ୍ରାଏଲ ଆକ୍ରମଣ କରିଥିବା ଖବର ମିଳିଛି। ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଗତ ତିନି ଦିନ ମଧ୍ୟରେ ଇରାନର ୭୨ରୁ ଅଧିକ ସାମରିକ ଭିତ୍ତିଭୂମି ସହିତ ୧୭୦ଟି ସ୍ଥାନରେ କ୍ଷେପଣାସ୍ତ୍ର ଏବଂ ବୋମାମାଡ଼ କରାଯାଇଛି। ଏହି ଅଭିଯାନରେ ୨୦ରୁ ଅଧିକ ଲଢ଼ୁଆ ବିମାନ ସାମିଲ ହୋଇଥିଲେ। ଗତକାଲି ଇସ୍ରାଏଲ ଆକ୍ରମଣରେ ତେହରାନରେ ଏକ ଆବାସିକ କୋଠା ଭୁଶୁଡ଼ିବା ଯୋଗୁଁ ୨୯ ଶିଶୁଙ୍କ ସମେତ ୬୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।
ଇସ୍ରାଏଲରୁ ମିଳିଥିବା ସୂଚନା ଅନୁଯାୟୀ ଇରାନ ଆକ୍ରମଣରେ ୧୩ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଗତ ରାତିସାରା ଇରାନ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରଖିଥିବା ବେଳେ ଏଥିରେ ୧୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଇସ୍ରାଏଲର ଆବାସିକ କୋଠାକୁ ଟାର୍ଗେଟ କରି ଇରାନ ଆକ୍ରମଣ ଚଳାଇଥିବା କୁହାଯାଉଛି। ଏଥିରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଗତକାଲି ଇସ୍ରାଏଲର ସେନା ମୁଖ୍ୟାଳୟ ଉପରେ ମଧ୍ୟ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଇରାନର ଏଭଳି ଆକ୍ରମଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଚେତାବନୀ ଦେଇଛନ୍ତି ଯେ ଇରାନରେ ଆୟୋତୋଲ୍ଲା ପ୍ରଶାସନର ସବୁ ଟାର୍ଗେଟ ଉପରେ ଆକ୍ରମଣ କରାଯିବ।
ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାକଚି କହିଛନ୍ତି ଯେ ଇରାନ ଓ ଆମେରିକା ମଧ୍ୟରେ ପରମାଣୁ କଥାବାର୍ତ୍ତା ଚାଲିଥିଲା ଏବଂ ଚୁକ୍ତି ପାଇଁ ପଥ ପ୍ରସ୍ତୁତ ହେଉଥିବା ବେଳେ ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରି ଇସ୍ରାଏଲ ଭୟଙ୍କର ଭୁଲ କରିଛି। କଥାବାର୍ତ୍ତାକୁ ଭଣ୍ଡୁର କରିବା ସହିତ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବାତାବରଣ ସୃଷ୍ଟି କରିବାକୁ ଇସ୍ରାଏଲ ଚକ୍ରାନ୍ତ ଚଳାଇଛି। ସେ କହିଲେ ଯେ ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରି ଇସ୍ରାଏଲ ଯେଉଁ ଭୁଲ କରିଛି ତାର ପରିଣାମ ଭୋଗିବାକୁ ଇସ୍ରାଏଲ ପ୍ରସ୍ତୁତ ରହୁ। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ସେ ଚାହିଲେ ଯୁଦ୍ଧ କିଛି କ୍ଷଣ ମଧ୍ୟରେ ଶେଷ ହୋଇଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧର ଉଦାହରଣ ଦେଇ ସେ କହିଲେ ଯେ ତାଙ୍କ ଯୋଗୁଁ ଦୁଇ ଦେଶ ଅସ୍ତ୍ରବିରତି କରିଥିଲେ। ଇରାନ ଓ ଇସ୍ରାଏଲ ମଧ୍ୟରେ ମଧ୍ୟ ଯୁଦ୍ଧବିରତି ହୋଇଯିବ। ଏଥିପାଇଁ ବିଭିନ୍ନ ସ୍ତରରେ କଥାବାର୍ତ୍ତା ଚାଲିଥିବା ସେ କହିଛନ୍ତି।