ଘର ଅଭାବରୁ ଯନ୍ତ୍ରଣାରେ ବିତୁଛି ଜୀବନ: ୩ ପରିବାର ପାଇଁ ଆବାସ ଯୋଜନା ସାତ ସପନ

ସୁନ୍ଦରଗଡ଼: ବର୍ଷା ଋତୁରେ ସୁନ୍ଦରଗଡ ସଦର ବ୍ଲକର ବିରବିରା ପଂଚାୟତରେ ଘର ଅଭାବରୁ ତିନି ଗୋଟି ଗିରବ, ଅସହାୟ ପରିବାର ନର୍କ ଯନ୍ତ୍ରଣା ଭୋଗିବାରେ ଲାଗିଛନ୍ତି। ତଥାପି ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ ହୋଇଛି। ପ୍ରଶାସନ ନିର୍ଦ୍ଦୟ ସାଜିଛି। ପାଲିଡିହି ଗ୍ରାମର କାର୍ତିକ ଧୃଆ ଗରିବ ଆଦିବାସୀ ଅଟନ୍ତି। ଜମି ବାଡି ବିଶେଷ କିଛି ନାହିଁ। ପର ଘରେ ମୂଲ ଲାଗିଲେ ପେଟ ଚଳେ। ଘରଟିଏ ତିଆରି କରିବାକୁ ସମ୍ବଳ ନାହିଁ। ପୂର୍ବପୁରୁଷଙ୍କ ତିଆରି […]

ଘର ଅଭାବରୁ ଯନ୍ତ୍ରଣାରେ ବିତୁଛି ଜୀବନ: ୩ ପରିବାର ପାଇଁ ଆବାସ ଯୋଜନା ସାତ ସପନ
eruite

ସୁନ୍ଦରଗଡ଼: ବର୍ଷା ଋତୁରେ ସୁନ୍ଦରଗଡ ସଦର ବ୍ଲକର ବିରବିରା ପଂଚାୟତରେ ଘର ଅଭାବରୁ ତିନି ଗୋଟି ଗିରବ, ଅସହାୟ ପରିବାର ନର୍କ ଯନ୍ତ୍ରଣା ଭୋଗିବାରେ ଲାଗିଛନ୍ତି। ତଥାପି ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ ହୋଇଛି। ପ୍ରଶାସନ ନିର୍ଦ୍ଦୟ ସାଜିଛି। ପାଲିଡିହି ଗ୍ରାମର କାର୍ତିକ ଧୃଆ ଗରିବ ଆଦିବାସୀ ଅଟନ୍ତି। ଜମି ବାଡି ବିଶେଷ କିଛି ନାହିଁ। ପର ଘରେ ମୂଲ ଲାଗିଲେ ପେଟ ଚଳେ। ଘରଟିଏ ତିଆରି କରିବାକୁ ସମ୍ବଳ ନାହିଁ। ପୂର୍ବପୁରୁଷଙ୍କ ତିଆରି ଦୁଇ ବଖରା ମାଟି ଚାଳ ଘରେ ରହି ଆସୁଥିଲେ। ତେବେ ବର୍ଷାରେ ତାଙ୍କ ଏହି ମାଟି ଚାଳ ଘର ମାଟିରେ ମିଶି ଯାଇଛି। ସେମାନେ ଖୋଲା ପଡିଆରେ କାଠ ଖୁଂଟ ପୋତି ତମ୍ବୁଟିଏ ତିଆରି କରିଛନ୍ତି। ଉପରେ ଛିଣ୍ଡା ଜରି ଖଣ୍ଡେ ଢାଙ୍କିଥିବା ବେଳେ ଚାରି ପାଖରେ ଦଦରା ଶାଢୀ ଛେକିଛନ୍ତି। ଏପରି କୁଡିଆରେ କାର୍ତିକ ପତ୍ନୀ ପ୍ରମିଳା, ଝିଅ ହରିସ୍ମା (୯) ଓ ପୁଅ ରୁପେଶ (୫)ଙ୍କୁ ନେଇ ନର୍କ ଯନ୍ତ୍ରଣା ମଧ୍ୟରେ ରହୁଛନ୍ତି। ଘର ଖଣ୍ଡେ ପାଇଁ ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଗୁହାରୀ କରି ଥକି ପଡିଲେଣି। ହେଲେ ତାଙ୍କ କଥା କେହି ଶୁଣୁ ନାହାନ୍ତି। ଆବାସ ଯୋଜନାର ହିତାଧିକାରୀ ତାଲିକାରେ ତାଙ୍କ ନାମ ଥିବା ସତ୍ୱେ ତାଙ୍କୁ ଏହା ମିଳି ପାରୁ ନାହିଁ।

ସେହିପରି ବିରବିରା ଗ୍ରାମର ବିଧବା ମହିଳା ପୁଷ୍ପା ଡେଲକିଙ୍କ ଦୁର୍ଦ୍ଦଶା କହିଲେ ନସରେ। ସରକାରୀ ଜମିରେ ମୁଣ୍ଡ ଗୁଞୁଛନ୍ତି। ପ୍ରାୟ ୪ ଫୁଟ ଉଚ୍ଚତାର ପୁରୁଣା ମାଟି କାନ୍ଥ ରହିଥିବା ବେଳେ ଘରକୁ ଛିଣ୍ଡା ଜରିରେ ଢାଙ୍କିଛନ୍ତି । ଛିଣ୍ଡା ଜରି ପବନରେ ନଉଡିବା ପାଇଁ ଖଣ୍ଡେ ଅଧରେ ଟୁକୁରା ଆଜବେଷ୍ଟସ ଢଙ୍କା ଯାଇଛି। କବାଟ ନାହିଁ। ଘର ବାଟରେ ଚିରା ଶାଢୀ ଝୁଲୁଛି। ଏହି ଭଙ୍ଗା ଦଦରା କୁଡିଆରେ ସେ ତାଙ୍କ ୨ ପୁଅ ଝିଅଙ୍କୁ ନେଇ ରହୁଛନ୍ତି। ଦଦରା ମାଟି କାନ୍ଥ କେତେବେଳେ ଭୁଷୁଡି ପଡିବ କହି ହେଉ ନାହିଁ।

ତଳସରା ଗ୍ରାମର ଅସହାୟ ବିଧବା ଚଂଚଳା ଭୈଷାଲ (୭୦)ଙ୍କ ଦୁର୍ଦ୍ଦଶା ସୀମ ଲଂଘନ କରିଛି। ଝାଟିମାଟି ଝୁମ୍ପୁଡି ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ସେ ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ହେଁ ଆବାସ ଯୋଜନା ବି ତାଙ୍କ ପାଇଁ ସାତ ସପନ ହୋଇଛି। ସ୍ୱାମୀ ଆରପାରିକୁ ଚାଲି ଯାଇଥିବା ବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗଣା ବୋହୂଙ୍କ ବି ମୃତ୍ୟୁ ଘଟିଛି। ମଦ୍ୟପ ପୁଅ କିଛି ବି କାମ ଧନ୍ଦା କରୁ ନାହାନ୍ତି କି ମାଆକୁ ପଚାରୁ ନାହାନ୍ତି। ୨ ପୁଅ ଝିଅଙ୍କ ବି ଦେଖାଶୁଣା କରୁ ନଥିବାରୁ ସେମାନେ ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଏ ସ୍ଥିତିରେ ଚଂଚଳା ଏପରି ଘରେ ପଡି ରହି ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଆବାସଟିଏ କରାଇ ଦେବାକୁ କହି ଜଣେ ପୂର୍ବତନ ଜନ ପ୍ରତିନିଧି ତାଙ୍କ ଆଧାର କାର୍ଡ ନେଇ ଆଉ ଫେରାଉ ନାହାନ୍ତି। ଏଣୁ ଆଧାର କାର୍ଡ ବିନା ଆବାସ ମିଳି ପାରୁ ନଥିବା ସ୍ଥାନୀୟ ସରପଂଚ ସଫେଇ ଦେଉଛନ୍ତି। ଗ୍ରାମବାସୀ ତାଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରିବାକୁ ଦାବି କରି ଆସୁଥିଲେ ହେଁ ତାହା ହୋଇ ପାରି ନାହିଁ।

ସଂପ୍ରତି ଲଗାଣ ବର୍ଷାରେ ଏହି ତିନି ଗିରବ ଅସହାୟ ପରିବାରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡିଛି। ପାଣି ଗଳିବା ଯୋଗୁଁ ରାତିରେ ଅନିଦ୍ରା ହୋଇ ରହିବାକୁ ପଡୁଛି। ସନ୍ତସନ୍ତିଆ ଘରେ ରୋଗ ବ୍ୟାଧିର ଆଶଙ୍କା ରହିଛି। ସାପ, ବିଛା, ବିଷାକ୍ତ ପୋକ ଜୋକର ଭୟ ଘାରିଛି। ଏମାନଙ୍କ ଦୁର୍ଦ୍ଦଶା ସମ୍ପର୍କୀୟ ଖବର ଗଣ ମାଧ୍ୟମରେ ପ୍ରକାଶ ପାଉଥିଲେ ହେଁ ପ୍ରଶାସନର କର୍ଣ୍ଣଭେଦ ହେଉ ନାହିଁ। ଏ ସ୍ଥିତିରେ ଏମାନେ ଭାଗ୍ୟକୁ ଆଦରି ନର୍କ ଯନ୍ତ୍ରଣା ମଧ୍ୟରେ ଗତି କରୁଛନ୍ତି।