ଘେରିବନ୍ଧରେ ଘାଇ, ଚିନ୍ତାରେ ଚାଷୀ

ମହାକାଳପଡ଼ା,୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ସମୁଦ୍ରର ଉଚ୍ଚ ଜୁଆରରେ ଲୁଣିପାଣି ମାଡ଼ି ଜଙ୍ଗଲ ନିକଟ ଘେରିବନ୍ଧରେ ଘାଇ ସୃଷ୍ଟି ହୋଇଛି। ନିକଟସ୍ଥ ଚାଷ ଜମିରେ ଲୁଣି ପାଣି ପ୍ରବେଶ କରି ତଳି ନଷ୍ଟ କରିଛି। ଏହାକୁ ନେଇ ସାନ୍ତାଳୀ ଚାଷୀମାନେ ଚାଷ ଆରମ୍ଭରୁ ଚିନ୍ତାରେ ପଡିଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତ ପାଣିଖିଆ ଗ୍ରାମ ନିକଟ ଘେରିବନ୍ଧରେ ଘାଇ ସୃଷ୍ଟି ହୋଇଛି। ଫଳରେ ବହୁ ଚାଷ ଜମିରେ ସମୁଦ୍ରର ଲୁଣି ପାଣି […] The post ଘେରିବନ୍ଧରେ ଘାଇ, ଚିନ୍ତାରେ ଚାଷୀ appeared first on Dharitri Odia News.

ଘେରିବନ୍ଧରେ ଘାଇ, ଚିନ୍ତାରେ ଚାଷୀ

ମହାକାଳପଡ଼ା,୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ସମୁଦ୍ରର ଉଚ୍ଚ ଜୁଆରରେ ଲୁଣିପାଣି ମାଡ଼ି ଜଙ୍ଗଲ ନିକଟ ଘେରିବନ୍ଧରେ ଘାଇ ସୃଷ୍ଟି ହୋଇଛି। ନିକଟସ୍ଥ ଚାଷ ଜମିରେ ଲୁଣି ପାଣି ପ୍ରବେଶ କରି ତଳି ନଷ୍ଟ କରିଛି। ଏହାକୁ ନେଇ ସାନ୍ତାଳୀ ଚାଷୀମାନେ ଚାଷ ଆରମ୍ଭରୁ ଚିନ୍ତାରେ ପଡିଛନ୍ତି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ନାଞ୍ଜୁରା ପଞ୍ଚାୟତ ପାଣିଖିଆ ଗ୍ରାମ ନିକଟ ଘେରିବନ୍ଧରେ ଘାଇ ସୃଷ୍ଟି ହୋଇଛି। ଫଳରେ ବହୁ ଚାଷ ଜମିରେ ସମୁଦ୍ରର ଲୁଣି ପାଣି ମାଡ଼ି ଆସିଛି। ଏଥିଯୋଗୁ ଚଳିତ ଖରିଫ ଋତୁରେ ଶତାଧିକ ଏକର ଜମିରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଗ୍ରାମର ଗଜେନ୍ଦ୍ର ମାରାଣ୍ଡି, ସୁନା ଟୁଡୁ, ରମେଶ ମାରାଣ୍ଡି, ପୂର୍ଣ୍ଣ ଚନ୍ଦ୍ର ଟୁଡୁ, ନବ ମାରାଣ୍ଡି, ସୁନା ମାରାଣ୍ଡି, ଚରଣ ଟୁଡୁ, ଗୁରୁଭା ହାଁସଦା, ନୁଗୁର୍‌ ସୋରେନ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ୫୭ ପରିବାରର ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଏମାନଙ୍କ ମୂଳ ବାସିନ୍ଦା ମୟୂରଭଞ୍ଜ ଜିଲାରେ ଅଛନ୍ତି। ପୂର୍ବଜମାନେ ଏହି ଜଙ୍ଗଲ ଜମିରେ ଝାଟିମାଟି ଘର ନିର୍ମାଣ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଚାଷ ବ୍ୟତୀତ ଏହି ସାନ୍ତାଳୀମାନଙ୍କ ଅନ୍ୟ କୌଣସି ରୋଜଗାର ପନ୍ଥା ନ ଥିବାରୁ ସେମାନଙ୍କ ମଧ୍ୟରୁ ୭୦ରୁ ଊର୍ଦ୍ଧ୍ୱ ଦାଦନ ଖଟିବାକୁ ରାଜ୍ୟ ବାହାରେ ରହୁଛନ୍ତି। ଏହି ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ କେବଳ ଭଗବାନକୁ ଭରସା କରି ଏହି ଗ୍ରାମର ଲୋକମାନେ ରହିଥାଆନ୍ତି। ଆଜି ପର୍ଯ୍ୟନ୍ତ ଏହି ଗାଁକୁ କୌଣସି ସରକାରୀ ପଦାଧିକାରୀ ଆସି ନ ଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ଏଥିପାଇଁ ଏହି ଗାଁର ବିକାଶ ସପ୍ନ ହୋଇଯାଇଛି। ଏ ସଂକ୍ରାନ୍ତରେ ବିଡିଓ ସାଗର ରଞ୍ଜନ ନନ୍ଦଙ୍କୁ ପଚାରିବାରୁ ଉପରୋକ୍ତ ଗାଁର ସମସ୍ୟା ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

The post ଘେରିବନ୍ଧରେ ଘାଇ, ଚିନ୍ତାରେ ଚାଷୀ appeared first on Dharitri Odia News.