ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ
ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ରବି ଧାନଚାଷ ଆରମ୍ଭରୁ ପାଗ ଅନୁକୂଳ ଥିଲା। ଫଳରେ ଏଥର ବରଗଡ଼ ଜିଲାରେ ରବି ଧାନ ଫସଲ ଭଲ ହୋଇଛି। କିନ୍ତୁ ଧାନ ଅମଳକ୍ଷମ ଅବସ୍ଥାକୁ ଯେତେ ପାଖେଇ ଆସୁଛି, ଫସଲରେ ରୋଗପୋକ ଉପଦ୍ରବ ଚାଷୀଙ୍କ ଚିନ୍ତା ସେତେ ବଢ଼ାଇ ଚାଲିଛି। ଧାନ ଫସଲରେ ଚକଡ଼ା ରୋଗପୋକ ଆରମ୍ଭ ହେବା ଏବେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ‘ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା’ ଶୀର୍ଷକ ଏକ ସଚିତ୍ର ବିସ୍ତୃତ ଖବର ଶନିବାର […] The post ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ appeared first on Dharitri Odia News.
ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ରବି ଧାନଚାଷ ଆରମ୍ଭରୁ ପାଗ ଅନୁକୂଳ ଥିଲା। ଫଳରେ ଏଥର ବରଗଡ଼ ଜିଲାରେ ରବି ଧାନ ଫସଲ ଭଲ ହୋଇଛି। କିନ୍ତୁ ଧାନ ଅମଳକ୍ଷମ ଅବସ୍ଥାକୁ ଯେତେ ପାଖେଇ ଆସୁଛି, ଫସଲରେ ରୋଗପୋକ ଉପଦ୍ରବ ଚାଷୀଙ୍କ ଚିନ୍ତା ସେତେ ବଢ଼ାଇ ଚାଲିଛି। ଧାନ ଫସଲରେ ଚକଡ଼ା ରୋଗପୋକ ଆରମ୍ଭ ହେବା ଏବେ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ‘ଚାଷୀଙ୍କ ଚିନ୍ତା ବଢ଼ାଇଲାଣି ଚକଡ଼ା’ ଶୀର୍ଷକ ଏକ ସଚିତ୍ର ବିସ୍ତୃତ ଖବର ଶନିବାର ଧରିତ୍ରୀରେ ପ୍ରକାଶ ପାଇବା ପରେ ରବିବାର ଛୁଟି ଦିବସ ସତ୍ତ୍ୱେ କୃଷି ବିଭାଗର ଏକ ଟିମ୍ ବରଗଡ଼ ବ୍ଲକ କଲାପାଣିକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ସହିତ ପ୍ରଭାବିତ ଫସଲ ନିରୀକ୍ଷଣ କରିଥିଲେ। ମୁଖ୍ୟ ଜିଲା କୃଷି ଅଧିକାରୀ(ସିଡିଏଓ) ପ୍ରସନ୍ନ କୁମାର ମିଶ୍ରଙ୍କ ସମେତ ସହକାରୀ କୃଷି ଅଧିକାରୀ ସ୍ନେହଲ ମନ୍ଦିପ, କୃଷି ଅଧିଦର୍ଶିକା କୁନ୍ତି ପ୍ରଧାନ, ଦିଲୀପ ଦାଶ ପ୍ରମୁଖ ଏହି ଟିମ୍ରେ ଥିଲେ। କଲାପାଣି ଗ୍ରାମର ଚାଷୀ ସୁରେଶ ନେକାଣ୍ଟିଙ୍କ ଚାଷଜମିକୁ ପହଞ୍ଚିଥିଲେ। ସେତେବେଳେ ଚାଷୀ ନେକାଣ୍ଟି ଚକଡ଼ା ପ୍ରଭାବିତ ଧାନ ଫସଲରେ କୀଟନାଶକ ସିଞ୍ଚନ କରୁଥିଲେ। ପ୍ରଭାବିତ ଫସଲରେ ପ୍ରୟୋଗ କରୁଥିବା କୀଟନାଶକକୁ ଉକ୍ତ ଟିମ୍ ଦେଖିଥିଲେ ଏବଂ ସେହି କୀଟନାଶକ ପ୍ରୟୋଗ ସତ୍ତ୍ୱେ ଚକଡ଼ା ପ୍ରତିହତ ନ ହେଲେ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆବଶ୍ୟକ ପରାମର୍ଶ ନେବାକୁ ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର କହିଥିଲେ। ସେହିପରି ଚକଡ଼ା ଅଧିକ ବ୍ୟାପିଲେ ରିହାତିରେ କୀଟନାଶକ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ତାଙ୍କୁ ଉକ୍ତ ଟିମ୍ କହିଥିବା ଚାଷୀ ନେକାଣ୍ଟି ପ୍ରକାଶ କରିଛନ୍ତି।
ତେବେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ଏବଂ ବିଲରେ ରହିଥିବା ପାଣି ଯୋଗୁ ବିଭିନ୍ନ ରୋଗପୋକର ପ୍ରାଦୁର୍ଭାବ ଦେଖାଯାଉଥିବା ଯୋଗୁ କୃଷି ବିଭାଗ ସହିତ ଯୋଗାଯୋଗ କରି କେବଳ ଅନୁମୋଦିତ କୀଟନାଶକ ପ୍ରୟୋଗ ପାଇଁ ମୁଖ୍ୟ ଜିଲା କୃଷି ଅଧିକାରୀ ଚାଷୀଙ୍କୁ ପରାମର୍ଶ ଦେବା ସହିତ ସଚେତନ କରାଇଥିଲେ। ସେହିପରି ସାମ୍ପ୍ରତିକ ଧାନ ଫସଲରେ ରୋଗପୋକ ଉପଦ୍ରବ ସମ୍ଭାବନାକୁ ଦୃଷ୍ଟିରେ ରଖି ସେଥିପ୍ରତି ସଜାଗ ରହିବା ସହିତ ନିୟମିତ ସର୍ବେକ୍ଷଣ, ଉପଯୁକ୍ତ କୀଟନାଶକ ଅନୁମୋଦନ କରିବା ପାଇଁ ସମସ୍ତ କୃଷି ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର କହିଛନ୍ତି। ଅନ୍ୟପଟେ ଏଭଳି ସ୍ଥଳେ ଚାଷୀମାନେ ମଧ୍ୟ କୃଷି ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଫସଲ ସ୍ଥିତି ଉପରେ ଅବଗତ କରିବା ଏବଂ ଆବଶ୍ୟକ ପରାମର୍ଶ ନେବାକୁ ମୁଖ୍ୟ ଜିଲା କୃଷି ଅଧିକାରୀ ଚାଷୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ପ୍ରକାଶଥାଉ କି, ଗତ କିଛିଦିନ ହେଲା, ଜିଲାର ବିଭିନ୍ନ ଅଞ୍ଚଳର ଧାନ ଫସଲରେ ରୋଗପୋକଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। କିଛିଦିନ ତଳେ ବରଗଡ଼ ବ୍ଳକ ଅନ୍ତର୍ଗତ ଗାଇସୀମା, ଧାଙ୍ଗେର, କୁରୁଆଁ, ଖଣ୍ଡହଥା ଅଞ୍ଚଳର ଧାନକେଣ୍ଡା ଅଗାଡ଼ି ହୋଇ ଯାଉଥିବା ପରିଲକ୍ଷିତ ହୋଇଥିଲା। ତେବେ ତାହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନ ହେଉଣୁ ଗାଇସୀମା, କଲାପାଣି ଆଦି ଅଞ୍ଚଳରେ ଧାନ ଫସଲରେ ଚକଡ଼ା ରୋଗପୋକ ଉପଦ୍ରବ ଆରମ୍ଭ ହୋଇଥିବା ଚାଷୀମାନେ କହିଛନ୍ତି। ଏଭଳି ସ୍ଥିତିରେ ପ୍ରଭାବିତ ଫସଲରେ ଉପଯୁକ୍ତ କୀଟନାଶକ ପ୍ରୟୋଗ କରା ନ ଗଲେ ତାହା ସବୁଆଡ଼େ ବ୍ୟାପୀ ଫସଲକୁ ଧୂଳିସାତ୍ କରି ଦେବାର ଆଶଙ୍କା ରହିଛି। ସେହିପରି କୃଷି ବିଭାଗ ମଧ୍ୟ ଏଥିପ୍ରତି ସଚେତନ ହୋଇ ଚାଷୀଙ୍କୁ ଉଚିତ ପରାମର୍ଶ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି। ସେଥିପ୍ରତି ସଜାଗ ରହି ବିହିତ ପଦକ୍ଷେପ ନେବାକୁ ଜିଲାର ସମସ୍ତ କୃଷି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଜିଲା କୃଷି ଅଧିକାରୀ ମିଶ୍ର କହିଛନ୍ତି।
The post ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ appeared first on Dharitri Odia News.