ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ; ୪ ମୃତ, ୨୦ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାରେ ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ୍‌ ଟ୍ରେନ୍‌ର ୮ଟି ବଗି ଲାଇନଚ୍ୟୁତ ହୋଇଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଓ ପାଖାପାଖି ୨୦ ଯାତ୍ରୀ ଆହତ ହୋଇଛନ୍ତି। ରାତି ୧୧.୩୫ରେ ଚଣ୍ଡିଗଡ଼ ଛାଡ଼ିଥିବା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ମୋତିଗଞ୍ଜ ଏବଂ ଝିଲାହି ରେଳ ଷ୍ଟେସନ୍‌ ମଧ୍ୟବର୍ତ୍ତୀ ଅଂଚଳରେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରେଳ ବିଭାଗର ଶୀର୍ଷ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥି‌ଲେ ଏବଂ ଅତି […]

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ; ୪ ମୃତ, ୨୦ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋଣ୍ଡାରେ ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ୍‌ ଟ୍ରେନ୍‌ର ୮ଟି ବଗି ଲାଇନଚ୍ୟୁତ ହୋଇଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଓ ପାଖାପାଖି ୨୦ ଯାତ୍ରୀ ଆହତ ହୋଇଛନ୍ତି। ରାତି ୧୧.୩୫ରେ ଚଣ୍ଡିଗଡ଼ ଛାଡ଼ିଥିବା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ମୋତିଗଞ୍ଜ ଏବଂ ଝିଲାହି ରେଳ ଷ୍ଟେସନ୍‌ ମଧ୍ୟବର୍ତ୍ତୀ ଅଂଚଳରେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ରେଳ ବିଭାଗର ଶୀର୍ଷ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥି‌ଲେ ଏବଂ ଅତି କମ୍‌ରେ ୧୫ଟି ଆମ୍ବୁଲାନ୍ସ ଏବଂ ୪୦ ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ୍‌ ଘଟଣାସ୍ଥଳକୁ ପଠାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ ଏସ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ମୁତୟନ ହୋଇଥିଲେ।
ରେଳବାଇ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଟ୍ରେନ୍‌ର ୨ ଜଣ ଲୋକୋ ପାଇଲଟ୍‌ ସୁରକ୍ଷିତ ଅଛନ୍ତି। ତେବେ ଦୁର୍ଘଟଣା ପୂର୍ବରୁ ଲୋକୋ ପାଇଲଟ୍‌ ପ୍ରଚଣ୍ଡ ଶବ୍ଦ ଶୁଣିଥିବା କହିଛନ୍ତି। ରେଳବାଇ ପକ୍ଷରୁ ଏବେ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଏବଂ ଗୁରୁତର ଆହତଙ୍କ ପରିବାର ସଦସ୍ୟଙ୍କୁ ଅଢ଼େଇ ଲକ୍ଷ ଓ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା‌ ହୋଇଛି।