ଚଣ୍ଡିଗଡ଼ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶ୍ନ ପଚାରି ଘାଇଲା କଲେ ସିଜେଆଇ

ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ କୌଣସି ରିଟର୍ଣ୍ଣିଂ ଅଫିସରଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜେରା କରିଛନ୍ତି।

ଚଣ୍ଡିଗଡ଼ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶ୍ନ ପଚାରି ଘାଇଲା କଲେ ସିଜେଆଇ

ଚଣ୍ଡିଗଡ଼ ମେୟର ନିର୍ବାଚନ ବେଳେ ରିଟର୍ଣ୍ଣିଂ ଅଫିସର ଥିବା ଅନୀଲ ମସିହଙ୍କ ଉପରେ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ସେ ନିର୍ବାଚନରେ ଅନିୟମିତତା କରି ଆପ୍‌ର ୮ ଜଣ କାଉନସିଲରଙ୍କ ଭୋଟକୁ ନାକଚ କରିଦେଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ସଂଖ୍ୟା ନଥାଇ ବି ବିଜେପି ମେୟର ନିର୍ବାଚନରେ ବାଜିମାତ କରିଥିଲା।

ଆପ୍‌ ଓ କଂଗ୍ରେସ ଅନୀଲଙ୍କ ଭୂମିକା ଉପରେ ପ୍ରଶ୍ନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରିଟର୍ଣ୍ଣିଂ ଅଫିସରଙ୍କ ବିରୋଧରେ ମାମଲା ଚଳାଇବାକୁ କହିଛନ୍ତି। ଏଥିସହ ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ କୌଣସି ରିଟର୍ଣ୍ଣିଂ ଅଫିସରଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜେରା କରିଛନ୍ତି।

ଅନୀଲ ମସିହ ହେଉଛନ୍ତି ବିଜେପି ସଂଖ୍ୟାଲଘୁ ସେଲର ସଦସ୍ୟ। ତଥାପି ତାଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ମିଳିଥିଲା। ସେ ବିଜେପିକୁ ଜିତାଇବା ପାଇଁ ଜାଣିଶୁଣି ଆପର ୮ଟି ଭୋଟକୁ ନାକଚ କରିଦେଇଥିବା ଅଭିଯୋଗ ହୋଇଛି। ୮ଟି ଭୋଟ ନାକଚ ହୋଇଯିବାରୁ ବିଜେପି ପ୍ରାର୍ଥୀ ମନୋଜ ସୋନକର ମେୟର ନିର୍ବାଚନ ଜିତି ଯାଇଥିଲେ।

ଅନୀଲ କିଛି ବାଲଟ ପେପର ଉପରେ ଛକ ଚିହ୍ନ ମାରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନୀଲଙ୍କୁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଶୁଣାଣି ବେଳେ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି।

ସିଜେଆଇ: ଶ୍ରୀ ଅନୀଲ, ମୁଁ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହେଁ। ଯଦି ଆପଣ ସବୁ କିଛି ସତ ନ କହିବେ, ତା’ହେଲେ ଆପଣଙ୍କ ବିରୋଧରେ ମାମଲା ଚାଲିବ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଆମେ ଆପଣଙ୍କ ଭିଡିଓ ଦେଖିଛୁ। ଆପଣ କ୍ୟାମେରାକୁ ଦେଖି ବାଲଟ ପେପରରେ କାହିଁକି ଛକ ଚିହ୍ନ ମାରୁଥିଲେ? ଆପଣ କାହିଁକି ବାଲଟ ପେପରରେ ଚିହ୍ନ ଦେଉଥିଲେ?

ଅନୀଲ : ଭୋଟିଂ ପରେ ମୋତେ ବାଲଟ ପେପରରେ ଦସ୍ତଖତ କରିବାର ଥିଲା। ବିକୃତ ହୋଇଥିବା ବାଲଟ ପେପରକୁ ଏକାଠି କରିବାର ଥିଲା।

ସିଜେଆଇ : ଭିଡିଓରୁ ଦେଖିବାକୁ ମିଳୁଛି ଯେ ଆପଣ କିଛି ନିର୍ଦ୍ଦିଷ୍ଟ ବାଲଟ ପେପର ଉପରେ ଛକ ଚିହ୍ନ ମାରୁଛନ୍ତି। କ’ଣ ଆପଣ କିଛି ବାଲଟ ପେପର ଉପରେ ଛକ ମାରିଥିଲେ? ଉତ୍ତର ନିର୍ଦ୍ଦିଷ୍ଟ ଭାବେ ହଁ କିମ୍ବା ନାରେ ଦିଅନ୍ତୁ।

ଅନୀଲ : ହଁ

ସିଜେଆଇ: କେତୋଟି ବାଲଟ ପେପରରେ ଚିହ୍ନ ଦେଇଥିଲେ?

ଅନୀଲ : ୮ଟି

ସିଜେଆଇ: ଆପଣ କାହିଁକି ବାଲଟ ପେପରକୁ ବିକୃତ କରିଥିଲେ? ଆପଣଙ୍କୁ କେବଳ ଦସ୍ତଖତ କରିବାର ଥିଲା। ବାଲଟ ପେପରରେ ଚିହ୍ନ ଦେବାର କିଛି ନିୟମ କେଉଁଠି ରହିଛି କି?

ଅନୀଲ : ବାଲଟ ପେପରକୁ ପ୍ରାର୍ଥୀମାନେ ବିକୃତ କରିଥିଲେ। ସେମାନେ ଛଡ଼ାଇ ନେଇ ଏହାକୁ ନଷ୍ଟ କରି ଦେଇଥିଲେ।

ସିଜେଆଇ: ମିଷ୍ଟର ସଲିସିଟର ଜେନେରାଲ, ଏହି ବ୍ୟକ୍ତିଙ୍କ ବିରୋଧରେ ମାମଲା ଚାଲିବା ଦରକାର। କାରଣ ସେ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେ କରିଛନ୍ତି।

ମଙ୍ଗଳବାର ସିଜେଆଇ ବାଲଟ ପେପରଗୁଡ଼ିକ ନିଜେ ଯାଞ୍ଚ କରିବେ। ବାଲଟ ପେପର ଆଣିବାକୁ ଆଜି ସିଜେଆଇ ନିର୍ଦ୍ଦେଶ ଦେଇଛନ୍ତି।