ଚଳନ୍ତା ବାଇକରେ ଲାଗିଲା ନିଆଁ

ଅଳ୍ପକେ ବର୍ତ୍ତିଗଲେ ବାଇକ ଚାଳକ।

ଚଳନ୍ତା ବାଇକରେ ଲାଗିଲା ନିଆଁ

ଭୁବନେଶ୍ୱରରେ ଆଜି ଏକ ଚଳନ୍ତା ବାଇକରେ ନିଆଁ ଲାଗି ଯାଇଛି। ତେବେ ବାଇକ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଟେକ୍ ମହିନ୍ଦ୍ରାରେ କାମ କରୁଥିବା ଅର୍ଦ୍ଧେନ୍ଦୁ ଶେଖର ଶ୍ରୀଚନ୍ଦନ ଆଜି ଅପରାହ୍ନରେ ହଂସପାଳ ସ୍ଥିତ ତାଙ୍କ ଘରୁ ମୈତ୍ରୀ ବିହାର ସ୍ଥିତ ତାଙ୍କ ଅଫିସକୁ ଯାଉଥିଲେ। ପ୍ରାୟ ୩ଟା ବେଳେ ସେ ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ତାଙ୍କ ବାଇକରେ ନିଆଁ ଲାଗି ଯାଇଥିଲା। ସେ ସଙ୍ଗେ ସଙ୍ଗେ ବାଇକକୁ ଓଭର ବ୍ରିଜ୍‌ କଡ଼ରେ ରଖି ଓହ୍ଲାଇ ପଡ଼ିଥିଲେ। ହେଲେ ଦେଖୁ ଦେଖୁ ନିଆଁ ଜୋରରେ ଜଳିବାକୁ ଲାଗିଥିଲା। ସେ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତେବେ ସେହି ବାଟ ଦେଇ ବାଇକ୍‌ରେ ଯାଉଥିବା କିଛି ଲୋକ ଓହ୍ଲାଇ ସେମାନଙ୍କ ପାଖରେ ଥିବା ପାଣି ବୋତଲ ବାହାର କରି ଜଳନ୍ତା ବାଇକ ଉପରେ ପକାଇଥିଲେ। ଫଳରେ ନିଆଁ କାବୁ ହୋଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ନିଆଁ ଲିଭି ସାରିଥିଲା।

ଘଟଣା ନେଇ ଅର୍ଦ୍ଧେନ୍ଦୁ ଶେଖର ଶ୍ରୀଚନ୍ଦନ କହିଛନ୍ତି, ମୁଁ ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ହଠାତ୍ ମୋ ଡାହାଣ ଗୋଡ଼ଟି ତାତି ଗଲା। କ’ଣ ହେଲା ଭାବି ମୁଁ ତଳକୁ ଦେଖିଲା ବେଳକୁ ବାଇକରେ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ମୁଁ ବାଇକ୍‌ଟିକୁ ପାର୍କ କରି ଓହ୍ଲାଇ ପଡ଼ିଥିଲି। ଆଉ ତା’ ପରେ ପରେ ନିଆଁ ଅଧିକ ମାତ୍ରରେ ଜଳି ଉଠିଥିଲା। ସେହି ସମୟରେ ବାଇକରେ ଯାଉଥିବା ଅନ୍ୟ କିଛି ଲୋକ ଅଟକି ସେଥିରେ ପାଣି ପକାଇଥିଲେ। ଫଳରେ ନିଆଁ ଲିଭିଥିଲା। ଏହି ଘଟଣା ନେଇ ମୁଁ ପୁଲିସରେ ଏକ ଏଫଆଇଆର ମଧ୍ୟ ଦେଇଛି।

ସୂଚନାଯୋଗ୍ୟ, ବାଇକ୍‌ଟିରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ।